ନୂଆଦିଲ୍ଲୀ: ସାଗର ଧନଖର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ 3 ସପ୍ତାହ ପାଇଁ ଜାମିନ ପ୍ରଦାନ କରାଯାଇଛି । ରୋହିଣୀ କୋର୍ଟର ଅତିରିକ୍ତ ଜିଲ୍ଲା ତଥା ଦୌରା ଜଜ ଶିବାଜୀ ଆନନ୍ଦ ଜାମିନ ମଞ୍ଜୁର କରିଛନ୍ତି । ପତ୍ନୀଙ୍କ ଅସୁସ୍ଥତା ଦର୍ଶାଇ ସୁଶୀଲ କୁମାର ଜାମିନ ଆବେଦନ କରିଥିଲେ ।
ଏହାପୂର୍ବରୁ ଅକ୍ଟୋବର 12ରେ ଦିଲ୍ଲୀ କୋର୍ଟରେ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ଦଙ୍ଗା, ବେଆଇନ କାର୍ଯ୍ୟକଳାପ ତଥା ଅନ୍ୟାନ୍ୟ ଅପରାଧିକ ମାମଲା ରୁଜୁ ହୋଇଥିଲା । ଏଥିରେ ସୁଶୀଲଙ୍କ ସମେତ ଅନ୍ୟ 17 ଜଣ ଜୁନିୟର ରେସଲର ମଧ୍ୟ ଅଛନ୍ତି । ସେମାନେ ମଧ୍ୟ ସାଗର ଧନଖରଙ୍କ ହତ୍ୟାରେ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି। ଅନ୍ୟ ଦୁଇ ଜଣ ଫେରାର ଅଭିଯୁକ୍ତଙ୍କ ବିରୋଧରେ କୋର୍ଟରେ ମାମଲା ରୁଜୁ ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ: ସାଗର ରାଣା ହତ୍ୟା ମାମଲା: ରୋହିଣୀ କୋର୍ଟରେ ସୁଶୀଲ କୁମାରଙ୍କ ଜାମିନ ଆବେଦନ
ସୂଚନା ଥାଉକି, 23 ମେ 2021ରେ ଛତ୍ରସାଲ ଷ୍ଟାଡିୟମରେ ସାଗର ଧନଖର ହତ୍ୟା ମାମଲାରେ ଅଲିମ୍ପିୟାନ ସୁଶୀଲ କୁମାର ଏବଂ ତାଙ୍କ କିଛି ସହଯୋଗୀଙ୍କୁ ଗିରଫ କରାଯାଇଥିଲା । ମେ 4 ତାରିଖରେ ସୁଶୀଲ ଓ ତାଙ୍କ ସହଯୋଗୀ ମୃତ ସାଗର ଓ ତାଙ୍କ ସାଥୀଙ୍କୁ ପ୍ରବଳ ମାଡ ମାରିଥିଲେ । ଯେଉଁଥିରେ ସାଗରଙ୍କ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ଦିଲ୍ଲୀର ରୋହିଣୀ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଛି ।