ଭୁବନେଶ୍ବର: ରେଳ ମାନଚିତ୍ରରେ ଯୋଡି ହେବ ବିଶ୍ବ ପ୍ରସିଦ୍ଧ ଅର୍କକ୍ଷେତ୍ର କୋଣାର୍କ । ଏନେଇ ଖୁବ ଶୀଘ୍ର ସର୍ଭେ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ପୁରୀ କିମ୍ବା ନିକଟସ୍ଥ ରେଳ ଷ୍ଟେସନ ସହ କୋଣାର୍କକୁ ସିଧାସଳଖ ରେଳପଥ ସହ ଯୋଡିବା ପାଇଁ ପ୍ରୟାସ କରାଯିବା ନେଇ ବୈଷ୍ଣବ କହିଛନ୍ତି ।
ପୁରୀ ଗସ୍ତରେ ଥିବା ରେଳମନ୍ତ୍ରୀ ବୈଷ୍ଣବ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ପରେ ରେଳମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧନ ବେଳେ କୋଣାର୍କକୁ ରେଳ ମାନଚିତ୍ରରେ ଯୋଡିବା ନେଇ ସୂଚନା ଦେଇଥିଲେ । ସାରା ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ କୋଣାର୍କର ସ୍ବତନ୍ତ୍ର ସ୍ଥାନ ରହିଛି । ସମଗ୍ର ବିଶ୍ବରୁ ପର୍ଯ୍ୟଟକମାନେ କୋଣାର୍କର ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବାକୁ ଆସିଥାନ୍ତି ।
ତେବେ ଏହି ବିଶ୍ବ ଐତିହ୍ୟ ସ୍ଥଳୀର ନିକଟବର୍ତ୍ତୀ ବିମାନ ବନ୍ଦର ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦର ହୋଇଥିବା ବେଳେ ନିକଟବର୍ତ୍ତୀ ରେଳ ଷ୍ଟେସନ ପୁରୀ । ତେଣୁ ସିଧାସଳଖ କୋଣାର୍କକୁ ରେଳସେବା ସହିତ ଯୋଡିବା ପାଇଁ ସରକାର ଚିନ୍ତା କରୁଥିବା ମଧ୍ୟ ସାମ୍ନାକୁ ଆସିଛି । ରେଳମନ୍ତ୍ରୀ ପୁରୀ ରେଳ ଷ୍ଟେସନ ପରିଦର୍ଶନ କରିବା ସହ ସେଠାରେ ଜାରି ରହିଥିବା ଭିତ୍ତିଭୂମି ବିକାଶ କାର୍ଯ୍ୟ ମଧ୍ୟ ତଦାରଖ କରିଥିଲେ । ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀକୁ ପ୍ରାୟ 200 ସ୍ବତନ୍ତ୍ର ଟ୍ରେନ ଚାଲିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ