ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ମହାରାଷ୍ଟ୍ର ଶିବସେନା ବିଦ୍ରୋହ ଓ ରାଜନୈତିକ ସଙ୍କଟ ମାମଲାରେ ଆସନ୍ତକାଲି ସର୍ବୋଚ୍ଚ କୋର୍ଟରେ ରାୟ ପ୍ରକାଶ ପାଇବ । ଏହି ମାମଲାର ଶୁଣାଣି ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ 5 ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଦ୍ବାରା କରାଯାଉଛି । ଏଥିରେ ଜଷ୍ଟିସ ଏମ.ଆର ଶାହ, ଜଷ୍ଟିସ କ୍ରିଷ୍ଣା ମୁରାରୀ, ହିମା କୋହଲି ଓ ପି.ଏସ ନରସିହ୍ମା ସଦସ୍ୟ ବିଚାରପତି ରହିଛନ୍ତି । ଆସନ୍ତାକାଲି ପ୍ରଧାନ ବିଚାରପତି ରାୟ ଘୋଷଣା କରିବା ନେଇ ଏକପ୍ରକାର ସ୍ପଷ୍ଟ ହୋଇଛି ।
କୋର୍ଟଙ୍କ ରାୟ ଆସିବା ପୂର୍ବରୁ ମହାରାଷ୍ଟ୍ର ବାଚସ୍ପତି ରାହୁଲ ନରଓ୍ବେକର ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ସରକାରଙ୍କ ପ୍ରତି କୌଣସି ବିପଦ ନଥିବା ପ୍ରକାଶ କରିଛନ୍ତି । ସରକାର ନିକଟରେ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ଅଛି । ସର୍ବୋଚ୍ଚ କୋର୍ଟରୁ ରାୟ ଯାହା ବି ଆସିଲେ ସରକାର ପ୍ରଭାବିତ ହେବ ନାହିଁ ବୋଲି ସେ ମତ ଦେଇଛନ୍ତି । ମୂଳ ଶିବସେନାରୁ ଏକନାଥ ସିନ୍ଦେଙ୍କ ସମେତ ବିଦ୍ରୋହ କରି ଦଳ ଛାଡିଥିବା 16 ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବା ପାଇଁ ମାମଲା ଦାଏର କରାଯାଇଥିଲା ।
ଶିବେସନାର ବିରୋଧୀ ବିଧାୟକମାନେ ଏକନାଥ ସିନ୍ଦେଙ୍କ ନେତୃତ୍ବରେ ଗୌହାଟୀର ଏକ ହୋଟେଲରେ ଥିବା ସମୟରେ ତତ୍କାଳୀନ ଉପବାଚସ୍ପତି ସିନ୍ଦେଙ୍କ ସମେତ ଅନ୍ୟ 16 ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ନେଇ ନୋଟିସ ଜାରି କରିଥଲେ । ଯାହାକୁ ନେଇ ସର୍ବୋଚ୍ଚ କୋର୍ଟର ଦ୍ବାରସ୍ଥ ହୋଇଥିଲେ ସିନ୍ଦେ ଗୋଷ୍ଠୀ । ସେହିପରି ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପରେ ନୂତନ ବାଚସ୍ପତି ନିଯୁକ୍ତ ହୋଇଥିଲେ । ପରେ ସିନ୍ଦେଗୋଷ୍ଠୀର ସଚେତକଙ୍କୁ ଶିବସେନାର ମୁଖ୍ୟ ସଚେତକ ଭାବେ ନବନିର୍ବାଚିତ ବାଚସ୍ପତି ଅନୁମୋଦନ ଦେବା ପ୍ରସଙ୍ଗକୁ ନେଇ ଉଦ୍ଧବ ଗୋଷ୍ଠୀ ମଧ୍ୟ ସର୍ବୋଚ୍ଚ କୋର୍ଟର ଦ୍ବାରସ୍ଥ ହୋଇଥିଲା । ପରସ୍ପର ବିରୋଧୀ ଗୋଷ୍ଠୀ ସର୍ବୋଚ୍ଚ କୋର୍ଟର ଦ୍ବାରସ୍ଥ ହୋଇଥିବା ବେଳେ ନିର୍ବାଚନ କମିଶନ ସିନ୍ଦେ ଗୋଷ୍ଠୀକୁ ଶିବସେନା ଘୋଷଣା କରିଥିଲା ।
ଏହି ବହୁପ୍ରତୀକ୍ଷିତ ମାମଲାରେ ଉଦ୍ଧବ ଠାକ୍ରେ ଗୋଷ୍ଠୀ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ଓ ଅଭିଷେକ ମନୁ ସିଙ୍ଗଭୀ ମାମଲା ପରିଚାଳନା କରୁଥିବା ବେଳେ ପ୍ରତିପକ୍ଷ ଏକନାଥ ସିନ୍ଦେ ଗୋଷ୍ଠୀ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ ସାଲ୍ଭେ, ଏନ.କେ କୌଲ ଓ ମହେଶ ଜେଠମାଳିନୀ ପକ୍ଷ ରଖୁଛନ୍ତି । ତେବେ ଏହି ମାମଲାରେ ସର୍ବୋଚ୍ଚ କୋର୍ଟ କଣ ରାୟ ପ୍ରଦାନ କରୁଛନ୍ତି ତାହା ଉପରେ ସମଗ୍ର ଦେଶର ନଜର ରହିଛି । ପୂର୍ବରୁ ଭାରତୀୟ ନିର୍ବାଚନ ଆୟୋଗ ସିନ୍ଦେ ଗୋଷ୍ଠୀକୁ ଶିବସେନା ଭାବେ ମାନ୍ୟତା ପ୍ରଦାନ କରିବା ସହ ମୂଳ ନିର୍ବାଚନୀ ଚିହ୍ନ ‘ଧନୁ ତୀର’ ମଧ୍ୟ ପ୍ରଦାନ କରି ସାରିଛନ୍ତି ।
ଯାହାକୁ ନେଇ ଉଦ୍ଧବ ଗୋଷ୍ଠୀ ତୀବ୍ର ପ୍ରତିକ୍ରିୟାଶୀଳ ହେବା ସହ ଏହା ଦେଶର ଇତିହାସରେ ଅଣସମ୍ବିଧାନିକ ଘଟଣା ବୋଲି ଅଭିଯୋଗ କରିଥିଲା । ଏହାରି ମଧ୍ୟରେ ଶିବସେନାର ବିଭାଜନ ହୋଇ ସାରିଥିବା ବେଳେ ଏକନାଥ ସିନ୍ଦେ ଗୋଷ୍ଠୀ ଭାରତୀୟ ଜନତା ପାର୍ଟି ସହଯୋଗରେ ସରକାର ଗଠନ କରିଛି । ମାତ୍ର କିଛି ବିଧାୟକଙ୍କ ସମର୍ଥନ ଥିବା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଆସନ୍ତାକାଲି ଏହି ବହୁଚର୍ଚ୍ଚିତ ମାମଲାର ରାୟ ଉପରେ ସମସ୍ତଙ୍କ ନଜର ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ