ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧ ତାରିଖ ଠାରୁ ସୁପ୍ରିମକୋର୍ଟରେ ସୀମିତ ଲୋକଙ୍କୁ ନେଇ ପ୍ରତ୍ୟକ୍ଷ ଶୁଣାଣି(Physical Hearing) ଆରମ୍ଭ ହେବ । ଦୀର୍ଘ ୧୮ ମାସର ଭର୍ଚ୍ଚୁଆଲ ଶୁଣାଣି ପରେ ପୁଣି ପ୍ରତ୍ୟକ୍ଷ ଶୁଣାଣି କୋର୍ଟରେ ଆରମ୍ଭ ହେବାକୁ ଯାଉଛି । ଏହାସହିତ ସପ୍ତାହକୁ ୩ ଥର ଭର୍ଚ୍ଚୁଆଲ ଶୁଣାଣି କରାଯିବ । ଏହାକୁ ନେଇ କୋର୍ଟ ପକ୍ଷରୁ ଏକ SOP ଜାରି କରାଯାଇଛି ।
ଏହି ଧାର୍ଯ୍ୟ ସମୟ ଠାରୁ ସବୁଦିନ ପ୍ରତ୍ୟକ୍ଷ ଶୁଣାଣି କରାଯିବ ନାହିଁ । ଭର୍ଚ୍ଚୁଆଲ ଶୁଣାଣି ପାଇଁ ଆଉ ଏକ ସଫ୍ଟୱେରର ବ୍ୟବହାର କରାଯିବ । ଜଷ୍ଟିସ ଏ.ଏମ ଖାନାୱିଲକରଙ୍କ ଖଣ୍ଡପୀଠ ଗତ ଶୁକ୍ରବାର ଠାରୁ ଏହି ସଫ୍ଟୱେରକୁ ବ୍ୟବହାର କରି ଶୁଣାଣି କରିଛନ୍ତି । ତେବେ ଗତ ୧୬ ମାସ ଧରି ସୁପ୍ରିମକୋର୍ଟ ନିଜ ବିଶେଷଜ୍ଞଙ୍କ ସହାୟତାରେ ତିଆରି ହୋଇଥିବା ଏକ ଭିଡ଼ିଓ ଆପ ଜରିଆରେ ଶୁଣାଣି କରୁଥିଲେ । କିନ୍ତୁ ଏଥିରେ ଅନେକ ଯାନ୍ତ୍ରିକ ସମସ୍ୟା ସୃଷ୍ଟି ହେଉଥିଲା । ଏହି ଭିଡ଼ିଓରେ କେତେବେଳେ ଅଡ଼ିଓ ଶୁଣାଯାଉନଥିବା ବେଳେ ଭିଡ଼ିଓ ମଧ୍ୟ ଗାଏବ ରହିଥିବା ଦେଖିବାକୁ ମିଳିଥିଲା । କିନ୍ତୁ ନୂତନ ଭାବେ ଆସିଥିବା ସଫ୍ଟୱେରକୁ ବ୍ୟବହାର କରି ସୁପ୍ରିମକୋର୍ଟରେ ସୁରୁଖୁରୁରେ ଭର୍ଚ୍ଚୁଆଲ ମାଧ୍ୟମରେ ଶୁଣାଣି କରାଯିବ ।
ମଙ୍ଗଳବାର, ବୁଧବାର ଓ ଗୁରୁବାର ପ୍ରତ୍ୟକ୍ଷ ସହିତ ଭର୍ଚ୍ଚୁଆଲ ଶୁଣାଣି କରାଯିବ । ସେହିପରି ସୋମବାର ଓ ଶୁକ୍ରବାର କେବଳ ଭର୍ଚ୍ଚୁଆଲ ଶୁଣାଣି ହେବ । ସୁପ୍ରିମକୋର୍ଟରେ ପ୍ରତ୍ୟକ୍ଷ ଶୁଣାଣି ଆରମ୍ଭ ହେବା ପରେ ସମ୍ପୂର୍ଣ୍ଣ ବ୍ୟବସ୍ଥା ବଦଳିବ । ଅନେକ ଥର କୋର୍ଟକୁ ସାନିଟାଇଜ କରାଯିବ । କୋର୍ଟ ପରିସର ମଧ୍ୟରେ ସାମାଜିକ ଦୂରତା ବଜାୟ ରହିବ । କିଛି ମାମଲାର ଇ-ଫାଇଲ କରାଯିବ । ବିଚାରପତି କମ୍ପ୍ୟୁଟର ସ୍କ୍ରିନରେ ଦସ୍ତାବିଜଗୁଡିକୁ ଦେଖିବେ । ବିଚାରପତି ଓ ମାମଲା ଲଢୁଥିବା ଓକିଲଙ୍କ ଆଗରେ ଏକ ସ୍ବଚ୍ଛ ବା ଟ୍ରାନ୍ସପରେଣ୍ଟ ସ୍କ୍ରିନ ଲଗାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ