ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ନୂପୁର ଶର୍ମା ଦେଇଥିବା ଆପତ୍ତି ଜନକ ମନ୍ତବ୍ୟକୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି । ବିବାଦୀୟ ମନ୍ତବ୍ୟ ପାଇଁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ନୁପୂରଙ୍କ ଆବେଦନର ଶୁଣାଣି କରି ପୁରା ଦେଶକୁ ନୁପୂର କ୍ଷମା ମାଗିବା ଉଚିତ୍ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଉଦୟପୁର ଘଟଣାକୁ ନେଇ ନୂପୁରଙ୍କ ବୟାନକୁ ଦାୟୀ କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ନୂପୁର ଶର୍ମାଙ୍କୁ ଆହୁରି କହିଛନ୍ତି, ଯେତେବେଳେ ତୁମେ କାହା ବିରୁଦ୍ଧରେ ଅଭିଯୋଗ କରୁଛ, ସେହି ବ୍ୟକ୍ତିଙ୍କୁ ଗିରଫ କରାଯାଏ କିନ୍ତୁ ତୁମକୁ ଛୁଇଁବାକୁ କେହି ସାହସ କରିବେ ନାହିଁ ।
ଶୁକ୍ରବାର ନୂପୁର ଶର୍ମା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଭିନ୍ନ ଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ଯେତିକି ବି ମାମଲା ରୁଜୁ ହୋଇଛି ସେ ସବୁକୁ ଦିଲ୍ଲୀ ସ୍ଥାନାନ୍ତର କରିବା ପାଇଁ ସେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ତାଙ୍କର ଏହି ଆବେଦନ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ତାଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ‘ତାଙ୍କ ମନ୍ତବ୍ୟ ସାରା ଦେଶରେ ଲୋକଙ୍କ ମନରେ ଉତ୍ତେଜନା ସୃଷ୍ଟି କରିଛି । ଆଜି ଦେଶରେ ଯାହା ଘଟୁଛି ସେଥିପାଇଁ ସେ ଦାୟୀ ।
ନୂପୁର ଶର୍ମା ନିଜ ଆବେଦନରେ ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦିଆଯାଇଥିବା ଦର୍ଶାଇ ତାଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ହୋଇଥିବା ସମସ୍ତ ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବା ପାଇଁ ଦାବି କରିଥିଲେ । ନୂପୁର ଶର୍ମା ନିଜ ଆବେଦନରେ କହିଛନ୍ତି ଯେ, ତାଙ୍କୁ ଲଗାତର ହତ୍ୟା ଧମକ ମିଳୁଛି, ତେଣୁ ବିଭିନ୍ନ ରାଜ୍ୟରେ ପଚରାଉଚରା ବେଳେ ତାଙ୍କ ଜୀବନ ପ୍ରତି ବିପଦରେ ରହିଛି । ତେଣୁ ବିଭିନ୍ନ ରାଜ୍ୟରେ ରୁଜୁ ହୋଇଥିବା ସମସ୍ତ ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଏହି ମାମଲାକୁ ଦିଲ୍ଲୀକୁ ସ୍ଥାନାନ୍ତର କରିବାକୁ ସେ ଦାବି କରିଥିଲେ ।
ପ୍ରକାଶ ଥାଉ କି, ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ନୂପୁର ଶର୍ମା ଦେଇଥିବା ଆପତ୍ତି ଜନକ ମନ୍ତବ୍ୟକୁ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ଧୀରେ ଧୀରେ ନୂପୁର ଶର୍ମାଙ୍କ ଅଡୁଆ ବଢ଼ିବାରେ ଲାଗିଥିଲା । ପରେ ବିଜେପି ତାଙ୍କୁ ଦଳରୁ ବାହାର କରିଥିଲା । ନୂପୁରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବିରେ ବିକ୍ଷୋଭ ଓ ହିଂସା ହୋଇଥିଲା ।