ନୂଆଦିଲ୍ଲୀ: 31 ବର୍ଷ ପରେ ଜେଲରୁ ବାହାରିବେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ଏଜି ପେରାରିଭାଲାନ । ପେରାରିଭାଲାନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିଲେ ପେରାରିଭାଲାନ । 2014ରେ ସୁପ୍ରିମକୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଥିଲେ । 2015ରେ ସୁପ୍ରିମକୋର୍ଟରେ କ୍ଷମା ପ୍ରାର୍ଥନା ଆବେଦନ କରିଥିଲେ ଏଜି ପେରାରିଭାଲାନ । ଆଜି ଜେଲର ଚାରିକାନ୍ଥରୁ ସେ ମୁକ୍ତ ହେବେ ।
ରାଜୀବ ଗାନ୍ଧୀଙ୍କୁ ହତ୍ୟା ବେଳେ ପେରାରିଭାଲାନଙ୍କୁ ୧୯ ବର୍ଷ ହୋଇଥିଲା । ରାଜୀବଙ୍କ ହତ୍ୟା ଷଡ଼ଯନ୍ତ୍ରର ଅନ୍ୟତମ ଖଳନାୟକ ଥିଲେ ପେରାରିଭାଲାନ । ୧୯୯୮ରେ ଆତଙ୍କବାଦୀ ନିରୋଧୀ କୋର୍ଟରେ ପେରାରିଭାଲାନ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା । ଏହାର ପରବର୍ଷ ସୁପ୍ରିମକୋର୍ଟ ତଳକୋର୍ଟର ରାୟକୁ କାଏମ ରଖିଥିଲେ । ତେବେ ୨୦୧୪ରେ ତାଙ୍କ ଫାଶୀଦଣ୍ଡାଦେଶକୁ କୋହଳ କରି ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।
ଚଳିତ ବର୍ଷ ମାର୍ଚ୍ଚ ମାସରେ ସୁପ୍ରିମକୋର୍ଟ ତାଙ୍କ ଜାମିନ ମଞ୍ଜୁର କରିଥିଲେ । ଏହା ପରେ ଜେଲରୁ ମୁକୁଳିବା ପାଇଁ ପେରାରିଭାଲାନ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ଜଷ୍ଟିସ୍ ଏଲ୍ ନାଗେଶ୍ବର ରାଓଙ୍କ ଖଣ୍ଡପୀଠରେ ଧାରା 142 ଆଧାରରେ ତାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ହୋଇଛି । ୧୯୯୧ମସିହାରେ ତାମିଲନାଡ଼ୁ ଗସ୍ତରେ ଥିବା ବେଳେ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା । ମାମଲାରେ ୭ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ । ପରେ ମାମଲାକୁ ନେଇ ଏଜି ପେରାରିଭାଲାନ ଓ ଅନ୍ୟ ଦୋଷୀମାନେ ସୁପ୍ରିମକୋର୍ଟ ଯାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ