ସୁପ୍ରିମକୋର୍ଟ ନଦୀରେ ବର୍ଜ୍ୟବସ୍ତୁ ଓ ମଇଳା ନ ପକାଇବା ପାଇଁ ପୁଣି ଥରେ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଣି ଏହି ସମସ୍ୟା ପ୍ରତି ସମସ୍ତଙ୍କ ଧ୍ୟାନ ଆକର୍ଷଣ ହୋଇଛି । ଯମୁନା ନଦୀର ପ୍ରଦୂଷଣ ପ୍ରସଙ୍ଗକୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍.ଏ ବୋବଡେଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଗୁରୁତର ସହକାରେ ନେଇଛନ୍ତି । ଯମୁନା ନଦୀକୁ ପ୍ରଦୂଷିତ କରୁଥିବା ବର୍ଜ୍ୟବସ୍ତୁକୁ ନଦୀକୁ ନ ଛାଡିବା ପାଇଁ ହରିୟାଣା ସରକାରଙ୍କୁ ଦିଲ୍ଲୀ ଜଳ ବୋର୍ଡ (ଡିଜେବି) ନିର୍ଦ୍ଦେଶ ଦେଇ ଏକ ପିଟିସନ ଦାଖଲ କରିଥିଲା । ଏହି ପିଟିସନ ଆଧାରରେ ସମଗ୍ର ପ୍ରସଙ୍ଗକୁ ଦ୍ୱିତୀୟ ଥର ପାଇଁ ତର୍ଜମା କରିବାକୁ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ ।
ସର୍ବୋଚ୍ଚ ନ୍ୟାୟାଳୟ ଏହି ପ୍ରସଙ୍ଗରେ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ହରିୟାଣା, ଦିଲ୍ଲୀ ଓ ଉତ୍ତର ପ୍ରଦେଶକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଦୂଷଣ ଯୋଗୁଁ ଭାରତର ଅନେକ ନଦୀର ଅବସ୍ଥା ଯମୁନା ଭଳି ହେବାରେ ଲାଗିଛି । ଗୋଦାବରୀ, କ୍ରିଷ୍ଣା, ମଞ୍ଜିରା, ମୁସୀ, ପେନ୍ନା, ତୁଙ୍ଗଭଦ୍ରା, ନାଗାବଳୀ ଓ ବଂଶଧାରା ନଦୀ ପ୍ରଦୂଷିତ ହୋଇସାରିଛନ୍ତି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁସାରେ ଭାରତର ୪୫୦ଟି ନଦୀ ମଧ୍ୟରୁ ୩୫୦ଟି ପ୍ରଦୂଷିତ ହୋଇଛି, କିନ୍ତୁ ୧୦ ବର୍ଷ ପୂର୍ବେ ଦେଶରେ ଏହି ପ୍ରଦୂଷିତ ନଦୀ ସଂଖ୍ୟା ୧୨୧ ଥିଲା । ୨୦୧୫ ମସିହାର ସିପିସିବି ରିପୋର୍ଟ ଅନୁସାରେ ଭାରତର ବିଭିନ୍ନ ସହର ଓ ମହାନଗରରୁ ୬194.8 କୋଟି ଲିଟର ମଇଳାପାଣି ବାହାରିଥିଲା । ପ୍ରଦୂଷିତ ପାଣି ମଧ୍ୟରୁ ମାତ୍ର ୩୮ ପ୍ରତିଶତ ବିଶୋଧନ କରିବାକୁ ଦେଶର ୱାଟର ଟ୍ରିଟମେଂଟ୍ ପ୍ଲାଣ୍ଟଗୁଡିକର କ୍ଷମତା ରହିଛି । ଯାହାଦ୍ବାରା ୩ ହଜାର ୮ ଶହ ଲିଟର ଅବିଶୋଧିତ ଜଳ ନଦୀ, ହ୍ରଦ ଓ ଅନ୍ୟ ଜଳାଶୟକୁ ଚାଲିଯାଇଥାଏ ବୋଲି ଜଣାପଡିଛି ।
ଏଥିଲାଗି ଅଧିକ ସଂଖ୍ୟାରେ ୱାଟର ଟ୍ରିଟମେଣ୍ଟ ପ୍ଲାଂଟ୍ ସ୍ଥାପନା କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ପୌରପାଳିକାଗୁଡିକୁ ନିର୍ଦ୍ଦେଶ ଦେଇଥିଲେ । ବର୍ଜ୍ୟବସ୍ତୁ ଓ ମଇଳା ପାଣି ବିଭିନ୍ନ ନଦୀ ଓ ଜଳାଶୟରେ ଅବାଧରେ ପ୍ରବେଶ କରୁଛି । ଏଥିରୁ ହିଁ ଜଣାପଡିଯାଉଛି ଯେ, ପ୍ରଦୂଷଣ ନିୟନ୍ତ୍ରଣ କେତେ ଦୁର୍ବଳ ସ୍ଥିତିରେ ରହିଛି । ସେପଟେ ନଦୀ ସଂରକ୍ଷଣ ଓ ପୁନରୁଦ୍ଧାର ଓ ପ୍ରଦୂଷଣ ମୁକ୍ତ ପାଇଁ ଅନେକ ପ୍ରକଳ୍ପ ହାତକୁ ନିଆଯାଇଛି ଜାତୀୟ ନଦୀ ସଂରକ୍ଷଣ ଯୋଜନା (ଏନଆରସିପି), ଅଟଳ ମିଶନ ( ଏଏମଆରୟୁଟି ) ଓ ନମାମି ଗଙ୍ଗେ କାର୍ଯ୍ୟକ୍ରମ ପାଇଁ ଅଜସ୍ର ଅର୍ଥ ବ୍ୟୟ କରାଯାଉଥିଲେ ମଧ୍ୟ ସୁଫଳ ମିଳିପାରିନାହିଁ । ସିପିସିବି ତଥ୍ୟରୁ ଜଣାପଡିଛି ଯେ, ଦେଶର ଅଧିକାଂଶ ଭୂପୃଷ୍ଠ ଜଳ ସମ୍ବଳ ବ୍ୟବହାର ଉପଯୋଗୀ ନୁହେଁ । ପବିତ୍ର ଗଙ୍ଗା ନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ କେନ୍ଦ୍ର ପକ୍ଷରୁ ନମାମି ଗଙ୍ଗେ ଯୋଜନା ଆରମ୍ଭ କରାଯାଇଥିଲା । ୨୦୨୦ ମସିହା ସୁଦ୍ଧା ୨୦ ହଜାର କୋଟି ଟଙ୍କା ବିଶିଷ୍ଟ ଏହି ପ୍ରକଳ୍ପର କାର୍ଯ୍ୟ ସରିବାର ଥିଲେ ମଧ୍ୟ ଏ ଯାଏଁ ମାତ୍ର ୩୭ ପ୍ରତିଶତ କାମ ହିଁ ଶେଷ ହୋଇପାରିଛି ।
ବିକାଶମୂଳକ ପ୍ରକଳ୍ପ ପ୍ରତି ଆମ ସରକାରୀ ବ୍ୟବସ୍ଥାର ଉଦାସିନତା ସ୍ପଷ୍ଟ ଜଣାପଡିଯାଉଛି । କେବଳ ବିପୁଳ ପରିମାଣରେ ପାଣ୍ଠି ବା ଅନୁଦାନ ଯୋଗାଇଦେଲେ ସମସ୍ୟାର ସମାଧାନ ହୋଇପାରିବ ନାହିଁ । ନଦୀ ସଂରକ୍ଷଣ ଓ ପ୍ରଦୂଷଣ ମୁକ୍ତ କରିବା ପାଇଁ କଡା ଆଇନ ଦରକାର । ପ୍ରଦୂଷଣ ନିୟନ୍ତ୍ରଣ ବି କଡାକଡି ହେବା ଜରୁରୀ ହୋଇ ପଡିଛି । ନମାମି ଗଙ୍ଗେ ପ୍ରକଳ୍ପରେ ୧୧ ହଜାର କୋଟି ଟଙ୍କା ବ୍ୟୟରେ କିଛି ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଥିଲା । ପ୍ରତିଦିନ ୧୧୭ କୋଟି ଲିଟର ମଇଳାପାଣି ବିଶୋଧନ କରିବା ଲକ୍ଷ୍ୟ ରଖାଯାଇଥିଲା । ହେଲେ ଗଙ୍ଗା ସଫେଇ ଜାତୀୟ ଅଭିଯାନରୁ ଜଣାପଡିଛି ଯେ, ପ୍ରତିଦିନ ୨୯୦ କୋଟି ଲିଟରର ସିୱେଜ ୱାଟର ଗଙ୍ଗା ନଦୀକୁ ଛଡାଯାଉଛି । ଦେଶର ୧୩ଟି ନଦୀର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ଯୋଜନା ହାତକୁ ନେଇଛନ୍ତି । ଗୋଦାବରୀ ଓ କ୍ରିଷ୍ଣାନଦୀ ବି ଏହି ଯୋଜନାରେ ରହିଛି । ଫସ୍ଫେଟସ ଭଳି ବିଷାକ୍ତ କେମିକାଲର ଉପସ୍ଥିତି ଯୋଗୁଁ ଜଳାଶୟଗୁଡିକରେ ଫେଣ ବାହାରୁଛି ।
ଦିଲ୍ଲୀ ଓ ଆଗ୍ରା ମଧ୍ୟରେ ପ୍ରବାହିତ ହେଉଥିବା ଯମୁନା ନଦୀରେ ଏହି ସମସ୍ୟା ସାଧାରଣ ଘଟଣାରେ ପରିଣତ ହୋଇଗଲାଣି । ଅତୀତରେ ୟୁରୋପୀୟ ଦେଶଗୁଡିକ ନଦୀରେ ଫେଣ ରୋକିବା ପାଇଁ ଫସଫେଟସ ଡିଟରଜେଣ୍ଟକୁ ନିଷିଦ୍ଧ କରିଥିଲେ । ବିଶ୍ୱର ସର୍ବାଧିକ ପ୍ରଦୂଷିତ ନଦୀ ମଧ୍ୟରେ ଆମର ଗଙ୍ଗା ନଦୀ ବି ରହିଛି । ଅନ୍ୟ ନଦୀଗୁଡିକ ହେଲେ ଇଟାଲୀର ସାର୍ନୋ, ଇଣ୍ଡୋନେସିଆରେ ସିଟାରୁନ, ଆମେରିକା ନ୍ୟୁଜର୍ସିର ପାସାଇକ୍ ଓ ଆର୍ଜେଣ୍ଟିନାର ମତାଞ୍ଜା ନଦୀ । ଅବିଶୋଧିତ ପାଣି ଛଡାଯାଉଥିବାରୁ ଏସବୁ ନଦୀ ପ୍ରଦୂଷିତ ହୋଇଛି । ଗତବର୍ଷ ସେପଟେମ୍ବରରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲକୁ ଏକ ରିପୋର୍ଟ ପ୍ରଦାନ କରିଥିଲା ।
ଏହି ରିପୋର୍ଟରେ ଦର୍ଶାଯାଇଥିଲା ଯେ, ୧୪ଟି ନଦୀର ପ୍ରଦୂଷଣର ମାତ୍ରା ହ୍ରାସ ପାଇଛି । କିନ୍ତୁ ବିଶେଷଜ୍ଞମାନେ ଏହି ରିପୋର୍ଟର ସତ୍ୟତା ପ୍ରତି ସନ୍ଦେହ ପ୍ରକଟ କରିଛନ୍ତି । ଜଳ ସଂରକ୍ଷଣ ପାଇଁ ଦୀର୍ଘମିଆଦୀ, ପ୍ରଭାବଶାଳୀ ଓ ଫଳାଫଳ ଭିତ୍ତିକ ପଦକ୍ଷେପ ଦରକାର । ଜଳାଶୟଗୁଡିକରେ ଗାଧୁଆ, ଲୁଗା ସଫା କରିବା ଓ ଗାଡି ଧୋଇବା ଭଳି କାର୍ଯ୍ୟକଳାପ ବ୍ୟାନ କରିବା ଦରକାର । ନଦୀ ଓ ଅନ୍ୟ ଜଳାଶୟଗୁଡିକର ସଂରକ୍ଷଣ ଓ ପୁନରୁଦ୍ଧାର ପାଇଁ କଠୋର ଆଇନ ପ୍ରଣୟନ ହେବା ଦରକାର । ଯାହା ଦ୍ୱାରା କି ଶିଳ୍ପସଂସ୍ଥାମାନେ ପ୍ରଦୂଷିତ ଓ ଅବିଶୋଧିତ ପାଣି ନଦୀକୁ ଛାଡିପାରିବେ ନାହିଁ ।