ନୂଆଦିଲ୍ଲୀ: ୱାନ ନେଶନ ୱାନ ରାସନ କାର୍ଡ ଲାଗୁ କରିବାରେ ଟାଳଟୁଳ ନୀତିକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ବିନା କୌଣସି ବାହାନାରେ ପଶ୍ଚିମବଙ୍ଗ ସରକାର ଏହି ଯୋଜନା ତୁରନ୍ତ ଲାଗୁ କରନ୍ତୁ ବୋଲି କୋର୍ଟ କହିଛନ୍ତି ।
କୋର୍ଟ ସ୍ପଷ୍ଟ କହିଛନ୍ତି, ଆପଣ ଗୋଟିଏ ପରେ ଗୋଟିଏ ସମସ୍ୟା ଗଣାଇ ପାରିବେ ନାହିଁ । ଏହା ପ୍ରବାସୀ ଶ୍ରମିକଙ୍କ ମାମଲା । ପ୍ରବାସୀ ଶ୍ରମିକଙ୍କୁ ଶସ୍ତା କିମ୍ବା ମାଗଣାରେ ରାସନ ଦିଆଯିବା ମାମଲାରେ ସୁପ୍ରିମକୋର୍ଟ ନିଜ ନିଷ୍ପତ୍ତି ସୁରକ୍ଷିତ କରିଛନ୍ତି ।
ଶୁଣାଣିର ଶେଷ ଦିନରେ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକରାଙ୍କୁ କହିଛନ୍ତି, ରାଜ୍ୟକୁ କେନ୍ଦ୍ର ସରକାରଙ୍କ ଏକ ଦେଶ ଏକ ରାସନ କାର୍ଡ ଯୋଜନା ଲାଗୁ କରିବାକୁ ପଡିବ । ପଶ୍ଚିମବଙ୍ଗ ସରକାରଙ୍କ ଆଇନଜୀବୀ କହିଛନ୍ତି, ଆଧାରକାର୍ଡ ସମସ୍ୟା କାରଣରୁ ଏହି ଯୋଜନା ଲାଗୁ ହୋଇପାରିନାହିଁ ।
ଏହା ଉପରେ ଜଷ୍ଟିସ ଏମଆର ଶାହ କହିଛନ୍ତି, ଏଭଳି କୌଣସି ବାହାନା ଚଳିବ ନାହିଁ । ଯେବେ ସବୁ ରାଜ୍ୟ ଏହା କରିସାରିଛନ୍ତି, ସେବେ ପଶ୍ଚିମବଙ୍ଗକୁ କଣ ସମସ୍ୟା ରହିଛି ? କୌଣସି ବି ପରିସ୍ଥିତିରେ ଏହି ଯୋଜନା ଲାଗୁ ହେବା ଆବଶ୍ୟକ । କୋର୍ଟ ଏହି ଆଭିମୁଖ୍ୟକୁ ଦେଖି ପଶ୍ଚିମବଙ୍ଗ ସରକାରଙ୍କ ଆଇନଜୀବୀ ଏହା ଉପରେ ସହମତି ପ୍ରକାଶ କରିଛନ୍ତି ।
ୱାନ ନେସନ-ୱାନ ରାସନ କାର୍ଡ ଯୋଜନା ଅନୁଯାୟୀ, ପ୍ରବାସୀ ଶ୍ରମିକଙ୍କ ପାଖରେ କୌଣସି ବି ରାଜ୍ୟର ରାସନ କାର୍ଡ ଥାଉ ସେମାନେ ଅନ୍ୟ ରାଜ୍ୟରେ ରାସନ ପାଇବେ । ଶୁଣାଣି ସମୟରେ ସୁପ୍ରିମକୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । କୋର୍ଟ କହିଛନ୍ତି କେନ୍ଦ୍ର ସରକାରଙ୍କୁ ଏକ ୱେବସାଇଟ ତିଆରି କରିବାକୁ ପଡିବ ଯେଉଁଥିରେ ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ପଞ୍ଜୀକୃତ କରିବାକୁ ପଡିବ | ସେହି ଆଧାରରେ ସେହି ଶ୍ରମିକମାନଙ୍କୁ ସରକାରୀ ସୁବିଧା ଦିଆଯିବ ।