ରାଇରଙ୍ଗପୁର (ମୟୁରଭଞ୍ଜ): ମହୁମାଛି ଆକ୍ରମଣରେ ଚାଲିଗଲା କନିଷ୍ଠ ଯନ୍ତ୍ରୀଙ୍କ ଜୀବନ । ମୃତକ ହେଉଛନ୍ତି ରାଇରଙ୍ଗପୁର ଗ୍ରାମ୍ୟ ନିର୍ମାଣ ଉପ-ବିଭାଜନ ବିଭାଗର କନିଷ୍ଠ ଯନ୍ତ୍ରୀ 33 ବର୍ଷୀୟ ଇଂ.ବିଶ୍ବନାଥ ମୁର୍ମୁ । ଆଜି ସକାଳେ ଅଫିସ୍ ବାହାରୁ ଥିବା ସମୟରେ ସେ ମହୁଲଡିହାସ୍ଥିତ ସରକାରୀ ବାସଭବନ ସମ୍ମୁଖରେ ଵାଘୁଆ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ଅଚେତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
- ଅଫିସ ଯିବା ରାସ୍ତାରେ ହଠାତ ଆକ୍ରମଣ କରିଥିଲେ ମହୁମାଛି
ସୂଚନାଯୋଗ୍ୟ ଯେ, ତିରିଂ ବ୍ଳକ ସେକ୍ସନରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଇଂ ବିଶ୍ବନାଥ ମୁର୍ମୁ ଆଜି (ରବିବାର) ପୂର୍ବାହ୍ନ ପ୍ରାୟ ୮.୪୫ ସମୟରେ ରାଇରଙ୍ଗପୁର ସ୍ଥିତ ନିଜ ସରକାରୀ ବାସଭବନରୁ ତିରିଂ ଅଭିମୁଖେ ନିଜ କାର୍ଯ୍ୟସ୍ଥଳକୁ ଅଭିମୁଖେ ବାହାରିଥିଲେ । ହଠାତ୍ ଘର ସମ୍ମୁଖରେ ଥିବା ଏକ ବିଶାଳକାୟ କୃଷ୍ଣଚୂଡା ଗଛରେ ଥିବା ମହୁଫେଣାରୁ ଶହ ଶହ ସଂଖ୍ୟାରେ ବାଘୁଆ ମହୁମାଛି ତାଙ୍କୁ ଆକ୍ରମଣ କରିଥିଲେ । ଭୀଷଣ ଯନ୍ତ୍ରଣାରେ ସେଠାରେ ସେ ଚେତାଶୂନ୍ୟ ହୋଇ ପଡିଥିଲେ । ତୁରନ୍ତ ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ରାଇରଙ୍ଗପୁର ମେଡିକାଲକୁ ଆଣିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଦିନ ପ୍ରାୟ ୧୦ଟା ସମୟରେ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏହା ମଧ୍ୟ ପଢନ୍ତୁ :- ଗ୍ରାଉଣ୍ଡ ଜିରୋରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନୟାଗଡ ଓ ଗଜପତିରେ ପରଖିଲେ ଫସଲ କ୍ଷୟକ୍ଷତି ଯନ୍ତାରେ ପଶିଲା ବାଘୁଣୀ ଜୀନତ, ପଶ୍ଚିମବଙ୍ଗରେ ଟ୍ରାଙ୍କୁଲାଇଜ୍ କଲା ବନ ବିଭାଗ |
- ଶୋକ ପ୍ରକାଶ କଲା ଡିପ୍ଲୋମା ଇଞ୍ଜିନିୟର ସଂଘ
ଏ ନେଇ ରାଇରଙ୍ଗପୁର ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ତାଙ୍କ ମୃତ୍ୟୁରେ ରାଇରଙ୍ଗପୁର ଡିପ୍ଲୋମା ଇଞ୍ଜିନିୟର ସଂଘର କାର୍ଯ୍ୟକର୍ତ୍ତା ମଧ୍ଯରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ କର୍ମଠ, ଦାୟିତ୍ଵ ସମ୍ପନ୍ନ , ଅମାୟିକ, ସରଳ, ମିଷ୍ଟଭାଷୀ ବ୍ୟକ୍ତି ଥିଲେ ବୋଲି ତାଙ୍କର ସହଯୋଗୀମାନେ ପ୍ରକାଶ କରିଛନ୍ତି । ତେବେ ଆଗକୁ ନୂଆ ବର୍ଷ ଥିବା ବେଳେ ଏଭଳି ଦୁଃଖଦ ଘଟଣା ସମସ୍ତଙ୍କୁ ମର୍ମାହତ କରିଛି । ରାଇରଙ୍ଗପୁର ଆରଡ଼ି ବିଭାଗର ସୁପରିଣ୍ଟେଡେଣ୍ଟ ଇଞ୍ଜିନିୟର, ବିଭାଗୀୟ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଏବଂ ସମସ୍ତ କର୍ମଚାରୀ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ନିଜର ସାଥୀଙ୍କୁ ଶେଷ ଦର୍ଶନ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମୃତଦେହ ବ୍ଯବଚ୍ଛେଦ ତାଙ୍କ ପୈତୃକ ଘର ଉଦଳାକୁ ପଠାଯାଇଛି । ସେଠାରେ ଶେଷକୃତ୍ୟ ହେବ ।
ଇଟିଭି ଭାରତ, ରାଇରଙ୍ଗପୁର