ନୂଆଦିଲ୍ଲୀ: ଦିଲ୍ଲୀ ଉପରାଜ୍ୟପାଳଙ୍କୁ ପୁଣି ଏକ ଚିଠି ଲେଖିଲା ମାଣ୍ଡୋଲି ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର । ଏହି ଚିଠିରେ ସେ ପୁଣିଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କୁ ହଇରାଣ କରୁଥିବା ନେଇ ଚିଠିରେ ଦର୍ଶାଇଥିବା ବେଳେ ଉପରାଜ୍ୟପାଳଙ୍କୁ ସାହାଯ୍ୟ କରିବା ପାଇଁ କହିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆମ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନାଙ୍କ ବିରୋଧରେ ସେ କରିଥିବା ଅଭିଯୋଗକୁ ଫେରାଇ ନେବା ପାଇଁ ତାଙ୍କୁ ଧମକ ଦିଆଯାଉଥିବା ସେ ଚିଠିରେ ଲେଖିଛନ୍ତି ।
ସୁକେଶ ଚିଠିରେ ଉଲ୍ଲେଖ କରିଛି, "ଆପ ନେତା ମୋତେ ହଇରାଣ କରୁଛନ୍ତି । ଅରବିନ୍ଦ କେଜ୍ରିୱାଲ ଏବଂ ତାଙ୍କର କିଛି ସହଯୋଗୀ ମୋର ପରିବାରକୁ ଧମକ ଦେଉଛନ୍ତି । ଆପର ଦୁଇ ନେତା ଜେଲରେ ଥିବାରୁ ତାଙ୍କର ପୋଲ ଖୋଲିବାରେ ଲାଗିଛି । ତେଣୁ ଆପଣ ଏବେ ଜେଲ ଯିବା ପାଇଁ ପ୍ରସ୍ତୁତି କରନ୍ତୁ ।"
ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲକୁ ଟାର୍ଗେଟ କରି ସେ କହିଛନ୍ତି, " କେଜ୍ରିଓ୍ବାଲ ଏବଂ ଗେହଲଟ ଖୁବ ଶୀଘ୍ର ଜେଲ ଯିବେ । ତେଣୁ ଏବେ ନାଟକ ବନ୍ଦ କରନ୍ତୁ । ଆପଣ ନିଆଁ ସହ ଖେଳୁଛନ୍ତି । ମୋତେ ଆପଣ ଭଲ ଭାବେ ଜାଣିଛନ୍ତି ମୁଁ କଣ, ତେଣୁ ନିଆଁ ସହ ଖେଳିବା ବନ୍ଦ କରନ୍ତୁ । ମୋର ପରିବାରକୁ ନେଇ ଭୁଲ କଥା କୁହାଯାଉଛି ତେଣୁ ମୋତେ ଆପଣ ସାହାଯ୍ୟ କରନ୍ତୁ ।"
ଅନ୍ୟପଟେ ମନୀଷ ସିସୋଦିଆକୁ ନେଇ ମଧ୍ୟ ଠକ ଚିଠିରେ ଉଲ୍ଲେଖ କରିଛି । ସେ କହିଛି, "ମନୀଷ ସିସୋଦିଆ ଜେଲ ଭିତରେ ଫାର୍ମ ହାଉସରେ ରହିଲା ଭଳି ରହୁଛନ୍ତି । ତାଙ୍କ ନେତାମାନେ ମିଛଟାରେ କହୁଛନ୍ତି ଜୀବନ ପ୍ରତି ବିପଦ ରହିଛି । ଦିଲ୍ଲୀର ଜେଲ ଗୁଡିକ ତ ସରକାରଙ୍କ ଅଧୀନରେ ରହିଛି ତେବେ ସିସୋଦିଆଙ୍କ ଜୀବନ ପ୍ରତି ଆଉ କେଉଁ ବିପଦ ରହିଛି? ଖାଲି ଜୀବନ ପ୍ରତି ବିପଦ ବୋଲି ଗୁଜବ କରୁଛନ୍ତି । ଯଦି କେଜ୍ରିଓ୍ବାଲ ସରକାରଙ୍କ ସାହାସ ଅଛି ତାହେଲେ ଜେଲ ଓ୍ବାର୍ଡରେ ସିସିଟିଭି ଲଗାନ୍ତୁ ଏବଂ ଏହି ଫୁଟେଜ ଗଣମାଧ୍ୟମ ପାଇଁ ଜାରି କରାଯାଉ ।"
ପ୍ରକାଶଥାଉକି, ଉପରାଜ୍ୟପାଳଙ୍କୁ ସୁକେଶଙ୍କ ଏହା ପ୍ରଥମ ଚିଠି ନୁହେଁ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ସତ୍ୟେନ୍ଦ୍ର ଜୈନାଙ୍କ ବିରୋଧରେ ଅନେକ ସଙ୍ଗୀନ ଅଭିଯୋଗ କରି ସେ ଚିଠି କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ