ହାଇଦ୍ରାବାଦ: ଖେଳ ହେଲା କାଳ । ଅନଲାଇମ ଗେମରେ ହାରିଯାଇ କ୍ଷତି ସହିବାରୁ ଯୁବକଙ୍କ ଆତ୍ମହତ୍ୟା । ହାଇଦ୍ରାବାଦର ବନସ୍ଥଳିପୁରମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଓସମାନିଆ ମେଡିକାଲକୁ ପଠାଇଛି । ମୃତ ବ୍ୟକ୍ତିଙ୍କ ନାମ ଜଗଦିଶ ଏବଂ ସେ ହାଇଦ୍ରାବାଦର ବାସିନ୍ଦା ହୋଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ଜଗଦିଶ ପୂର୍ବରୁ ମଧ୍ୟ ଏହି ଗେମ ଖେଳି ହାରିବାରୁ 12 ଲକ୍ଷ ଟଙ୍କାର ଋଣ ପରିଶୋଧ କରିଥିଲେ । ପରେ ପୁଣି ସେହି ଗେମ ଖେଳି ହାରି ଯାଇଥିଲେ । ଫଳରେ ନିଜର ସମସ୍ତ ସମ୍ପତ୍ତି ତାଙ୍କୁ ହରାଇବାକୁ ପଡିଥିଲା । ଏଭଳି ଦୁଃଶ୍ଚିନ୍ତା ସହ୍ୟ କରି ନପାରି ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା ସମୟରେ 'ମୁଁ ଅନଲାଇନ ଗେମ ଖେଳି ସବୁ କିଛି ହରାଇଛି, ଏଥିପାଇଁ ମୁଁ ବହୁତ ଦୁଃଖିତ' ବୋଲି ଏକ ସେଲ୍ଫି ଭିଡିଓ ରେକର୍ଡ କରି ସେ ନିଜ ସ୍ତ୍ରୀକୁ ମଧ୍ୟ ପଠାଇଛନ୍ତି ଏବଂ ଏହାପରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ବ୍ୟକ୍ତିଙ୍କ ଦୁଇଟି ଛୁଆ ଥିବା ମଧ୍ୟ ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ