ମୁମ୍ବାଇ: ନିଜର ଜଣେ ମହିଳା ପ୍ରଫେସରଙ୍କ ନଗ୍ନ ଭିିଡିଓ ଉତ୍ତୋଳନ କରି ବ୍ଲାକମେଲା କଲା ଛାତ୍ର । ମାଗିଲା 5 ହଜାର ଆମେରିକୀୟ ଡଲାର । ନଦେଲେ ଏହି ଭିଡିଓ ସମ୍ପୃକ୍ତ ମହିଳା ପ୍ରଫେସରଙ୍କ ସ୍ବାମୀଙ୍କ ନିକଟକୁ ପଠାଇଦେବା ସହ ଭାଇରାଲ କରିଦେବାକୁ ଧମକ ଦେଲା । ହେଲେ ନିଜ ବ୍ଲାକମେଲରେ ସଫଳ ନହେବା କାରଣରୁ ସେ ଭିଡିଓ ସମ୍ପୃକ୍ତ ମହିଳା ପ୍ରଫେସରଙ୍କ ସ୍ବାମୀଙ୍କ ନିକଟକୁ ପଠାଇବା ସହ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ କରିଦେଲା । ମହାରାଷ୍ଟ୍ରର ପୁଣେର ଏକ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟର ଜଣେ ଛାତ୍ରଙ୍କ ଏପରି ଜଘନ୍ୟ କାଣ୍ଡ ସାମ୍ନାକୁ ଆସିଛି । ପୀଡିତା ମହିଳା ପ୍ରଫେସର ଓ ତାଙ୍କ ସ୍ବାମୀଙ୍କ ଅଭିଯୋଗ ପରେ ସମ୍ପୃକ୍ତ ଅଭିଯୁକ୍ତକୁ ପୋଲିସ ଗିରଫ ମଧ୍ୟ କରିଛି ।
ପୋଲିସର ସୂଚନା ଅନୁସାରେ, ଏହି କାଣ୍ଡ ଘଟାଇଥିବା ଅଭିଯୁକ୍ତର ନାମ ମୟଙ୍କ ସିଂ ଓ ତାର ବୟସ 26 ବର୍ଷ । ସେ ନିଜେ ପାଠ ପଢୁଥିବା ଏକ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟର ଜଣେ ମହିଳା ପ୍ରଫେସରଙ୍କୁ ଏପରି ଢଙ୍ଗରେ ଯୌନ ନିର୍ଯାତନା ଦେବା ସହ ବ୍ଲାକମେଲ କରିଛି । ଭିଡିଓ ଭାଇରାଲ କରିବା ଅଭିଯୋଗରେ ତା ବିରୋଧରେ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ଅନୁସାରେ ମାମଲା ରୁଜୁ କରାଯିବା ସହ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ଅଭିଯୁକ୍ତକୁ ପ୍ରାଥମିକ ଜେରା ପରେ ମିଳିଥିବା ସୂଚନା ଅନୁସାରେ, ଏହି ଅଭିଯୁକ୍ତଜଣଙ୍କ ନିଜର ଉକ୍ତ ମହିଳା ପ୍ରଫେସରଙ୍କ ସହ ଯୋଗାଯୋଗରେ ଥିଲା । ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ଥିବା କାରଣରୁ ଉଭୟଙ୍କ ମଧ୍ୟରେ ସୋସିଆଲ ମିଡିଆରେ ନିୟମିତ ବାର୍ତ୍ତାଳାପ ମଧ୍ୟ ହେଉଥିଲା । ହେଲେ ଏହାର ଫାଇଦା ନେବା ପାଇଁ ଅଭିଯୁକ୍ତ ଷଡଯନ୍ତ୍ର ରଚିଥିଲା । ବାର୍ତ୍ତାଳାପ ସମ୍ପର୍କରେ ସେ କ୍ୟାମ୍ପସରେ ପ୍ରଘଟ କରିଦେବା ସହ ମହିଳା ପ୍ରଫେସରଙ୍କୁ ବଦନାମ କରିଦେବାକୁ ଧମକ ଦେଇଥିଲା । ଏପରି ନକରିବା ପାଇଁ ସେ ମହିଳାଙ୍କୁ ଭିଡିଓ କଲ କରି ପୋଷାକ ଖୋଲିବାକୁ ବାଧ୍ୟ କରିଥିଲା । ମହିଳା ପ୍ରଫେସରଜଣଙ୍କ ନିଜ ପ୍ରତିଷ୍ଠା ବଞ୍ଚାଇବାକୁ ଅଭିଯୁକ୍ତର କଥାରେ ରାଜି ହେବାକୁ ବାଧ୍ୟ ମଧ୍ୟ ହୋଇଥିଲା । ଏହା ପରେ ଅଭିଯୁକ୍ତ ଏହି ଭିଡିଓକୁ ରେକର୍ଡ କରି 5 ହଜାର ଆମେରିକୀୟ ଡଲାର ଦାବି କରିବା ସହ ଟଙ୍କା ନଦେଲେ ଭାଇରାଲ କରିବାକୁ ଧମକ ଦେଇଥିଲେ ।
ପରେ ସେ ଏହି ଭିଡିଓକୁ ପୀଡିତାଙ୍କ ସ୍ବାମୀଙ୍କ ନିକଟକୁ ପଠାଇବା ସହ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ କରିଦେଇଥିଲା । ମହିଳା ପ୍ରଫେସର ଓ ତାଙ୍କ ସ୍ବାମୀ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସମ୍ପୃକ୍ତ ଛାତ୍ରକୁ ଗିରଫ କରିଛି । ସେ ବ୍ୟବହାର କରୁଥିବା ମୋବାଇଲ ଓ ଅନ୍ୟ ସମସ୍ତ ଡିଜିଟାଲ ଟିଭାଇସ ମଧ୍ୟ ଜବତ କରିଛି । ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମରେ ଗିରଫ କରି ପୋଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ବେଳେ ମାମଲାର ତଦନ୍ତ ମଧ୍ୟ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ