ନୂଆଦିଲ୍ଲୀ: ଶୁକ୍ରବାର ଦିନ ଦିଲ୍ଲୀର ବାୟୁ ଗୁଣବତ୍ତାରେ ସୁଧାର ଆସିଛି । ପବନର ବେଗ ଏବଂ ହାଲୁକା ବର୍ଷା କାରଣରୁ ଆସନ୍ତା ଦୁଇ ଦିନ ମଧ୍ୟରେ ଯଥେଷ୍ଟ ଉନ୍ନତି ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।
ସହରର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ସକାଳ 9 ଟାରେ 271 ରହିଥିବା ବେଳେ ଗତ 24 ଘଣ୍ଟାରେ ହାରାହାରି ବାୟୁ ଗୁଣବତ୍ତା 284 ଥିଲା । ପଡୋଶୀ ସହର ଗାଜିଆବାଦ 330, ଗ୍ରେଟର ନୋଏଡା 322 ଏବଂ ନୋଏଡା 310 'ଅତ୍ୟନ୍ତ ଖରାପ' ବର୍ଗରେ ବାୟୁ ଗୁଣବତ୍ତାକୁ ରେକର୍ଡ କରାଯାଇଛି । ବାୟୁର ପ୍ରବାହରେ ଉନ୍ନତି ହେତୁ ଶନିବାର ଏବଂ ରବିବାର ଦିନ ବାୟୁ ଗୁଣବତ୍ତା ଯଥେଷ୍ଟ ଉନ୍ନତ ହେବ ବୋଲି କେନ୍ଦ୍ର ସରକାରଙ୍କ ଏୟାର କ୍ବାଲିଟି ୱାର୍ଣ୍ଣିଙ୍କ ସିଷ୍ଟମ ପକ୍ଷରୁ ଜଣାପଡିଛି । ବାୟୁ ଗୁଣବତ୍ତାକୁ ସରକାରଙ୍କ ତରଫରୁ ବିଭିନ୍ନ ସ୍ତରରେ ଅନ୍ତର୍ଭୁକ୍ତ କରାଯାଇଛି । 0ରୁ 50କୁ ଭଲ, 51-100 ସନ୍ତୋଷଜନକ, 101-200 ମଧ୍ୟମ, 201-300 ଖରାପ, 301-400 ଅତ୍ୟନ୍ତ ଖରାପ, 401-500 ବାୟୁ ଗୁଣବତ୍ତାକୁ ଭୀଷଣ ଆଦିରେ ତାଲିକାଭୁକ୍ତ କରାଯାଇଛି ।
ରାଜଧାନୀ ଏବଂ ଏହାର ପଡୋଶୀ ସହର ଗୁଡ଼ିକରେ ଶୁକ୍ରବାର ଏବଂ ଶନିବାର ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ସୂଚନା ଦେଇଛି । ପ୍ରଦୂଷଣର ମାତ୍ରା କମିବା ପାଇଁ ଅନୁକୂଳ ପବନର ବେଗ 15 କିଲୋମିଟର ହେବ ବୋଲି ପୂର୍ବାନୁମାନ କରାଯାଇଛି । ସେପଟେ ତୁଷାରପାତିତ ହିମାଳୟରୁ ଥଣ୍ଡା ଉତ୍ତର-ପଶ୍ଚିମ ପବନ ସମତଳ ଅଞ୍ଚଳରେ ପ୍ରବାହ ହେବା ପରେ ଦିଲ୍ଲୀରେ ତାପମାତ୍ରା ହ୍ରାସ ହେବ ବୋଲି ଆଇଏମଡି କହିଛି।
ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ସୋମବାର ସୁଦ୍ଧା 8 ଡିଗ୍ରୀ ସେଲସିୟସକୁ ଖସିଯିବ ବୋଲି ଆଶା କରାଯାଉଥିବା ବେଳେ ଶୁକ୍ରବାର ଦିନ ସହରର ସର୍ବନିମ୍ନ ତାପମାତ୍ରା 10.9 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ସର୍ବାଧିକ ତାପମାତ୍ରା ପ୍ରାୟ 29 ଡିଗ୍ରୀ ସେଲସିୟସ ରହିବ । ଧୀର ପବନ ଏବଂ ନିମ୍ନ ତାପମାତ୍ରା ପ୍ରଦୂଷଣକୁ ଗୋଟିଏ ସ୍ଥାନରେ ରଖିଥାଏ । ପବନର ଗତି ବଢିଲେ ବା ପବନ ପ୍ରବାହିତ ହେଲେ ପ୍ରଦୂଷଣ ବିଚ୍ଛୁରିତ ହେବା ପରେ ବାୟୁମଣ୍ଡଳର ଗୁଣବତ୍ତା ଭଲ ସ୍ଥିତିକୁ ଆସିଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ