ବେଙ୍ଗାଲୁରୁ: ମମତାମୟୀ ମାଆ, ସେ ସ୍ନେହରେ ଆଦରି ନେଲେ ସଂସାର ଦୁଃଖ ଦୂର ହୋଇଯାଏ । ସନ୍ତାନର ମୁହଁ ଦେଖି ପେଟ କଥା ଜାଣିନିଏ ମାଆ । ତେବେ କର୍ଣ୍ଣାଟକ ୱାଦି ଥାନା ଅଞ୍ଚଳରେ ଏଭଳି ଏକ ଘଟଣା ମିଳିଛି, ଯାହାପରେ ମାଆ ମମତା ଉପରେ ସନ୍ଦେହ ସୃଷ୍ଟି କରାଉଛି । ଏଠାରେ ଜଣେ ଶିଶୁ ଖାଇବାକୁ ମାଗିବାରୁ ମାଆ ଚିଡି ଯାଇ ଶିଶୁଟିର ହାତ ପୋଡ଼ି ଦେଇଛି । ତଦନ୍ତ ପରେ ଜଣା ପଡ଼ିଛି ଯେ, ଶିଶୁଟିର ହାତ ପୋଡ଼ିଥିବା ମହିଳା ତାର ପ୍ରକୃତ ମାଆ ନୁହେଁ ବରଂ ସାବତ ମାଆ ।
କଳାବୁରାଗି ଜିଲ୍ଲା ୱାଦି ପୋଲିସ ଥାନା ଅଞ୍ଚଳ ଟାଣ୍ଡା ଅଞ୍ଚଳର ଏହି ଘଟଣା । ଥିପ୍ପାନ୍ନା ନାମକ ଯୁବକଙ୍କ ପତ୍ନୀଙ୍କ ମୃତ୍ୟୁ ପରେ 4ବର୍ଷ ଶିଶୁର ଯତ୍ନ ନେବା ପାଇଁ ସେ ମେରେମ୍ମା ନାମକ ମହିଳାଙ୍କୁ ବିବାହ କରିଛନ୍ତି । ଥିପ୍ପାନା ଥିବା ସମୟରେ ଶିଶୁଟି ସହ ଭଲ ବ୍ୟବହାର କରନ୍ତି ମହିଳା । ସେ ମହାରାଷ୍ଟ୍ରକୁ କାମ କରିବାକୁ ଯିବା ପରେ ଶିଶୁଟି ଉପରେ ଅତ୍ୟାଚାର ଆରମ୍ଭ କରିଦିଅନ୍ତି । ତେବେ ଶିଶୁଟି ଅଳି କରି ଖାଇବାକୁ ମାଗିବା ପରେ ମହିଳା ଜଣକ ଶିଶୁଟିର ହାତ ଜାଳିବା ସହ ତାକୁ ଏକ ଖଟରେ ବାନ୍ଧି ରଖିଥିଲେ । ୩ଦିନ ଧରି ଶିଶୁଟି ବାହାରକୁ ନଆସିବାରୁ ସ୍ଥାନୀୟ ଲୋକେ ସନ୍ଦେହ କରି ମହିଳାଙ୍କ ଘରେ ପଶିବାରୁ ଶିଶୁଟି ଖଟରେ ବନ୍ଧା ହୋଇଥିବା ଦେଖିବାକୁ ପାଇଥିଲେ ।
ଏହାକୁ ନେଇ ସ୍ଥାନୀୟ ଲୋକେ ପଚାରିବାରୁ ମୋ ପରିବାର ବିଷୟରେ ତୁମେ ମୁଣ୍ଡ ଖେଳାଅ ନାହିଁ ବୋଲି ମହିଳା ତାଗିଦ କରିଥିଲେ । ମୋର ଯାହା ଇଚ୍ଛା ତାହା କରିବି ବୋଲି କହିଥିଲେ । ଏହାକୁ ନେଇ ପୋଲିସକୁ ଖବର ଦେବା ପରେ ପୋଲିସ ଶିଶୁଟିକୁ ଉଦ୍ଧାର କରିବା ସହ ତଦନ୍ତ ଚଳାଇଛି । ଥାନା ବାବୁଙ୍କ ସମ୍ମୁଖରେ ଶିଶୁଟି ମାଆ ବିରୋଧରେ କାନ୍ଦିକାନ୍ଦି ଅଭିଯୋଗ କରିଥିବା ଦେଖିବାକୁ ମିଳିଥିଲା ।