କୋଲକାତା: ପୂର୍ବତନ ଭାରତୀୟ କ୍ୟାପଟେନ ତଥା ବର୍ତ୍ତମାନର BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ କୋରୋନା (Sourav Ganguly Tests Covid Positive) । ସୋମବାର ରାତିରେ ତାଙ୍କର କୋରୋନା ଟେଷ୍ଟ କରାଯାଇଥିବାବେଳେ ସେ ଆଜି(ମଙ୍ଗଳବାର) ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ତାଙ୍କୁ କୋଲକାତାର ଉଡଲ୍ୟାଣ୍ଡ ହସ୍ପିଟାଲ(Woodlands Hospital)ରେ ଭର୍ତ୍ତି କରାଯାଇଛି । ଡାକ୍ତର ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟବସ୍ଥା ନିରୀକ୍ଷଣ କରୁଛନ୍ତି । ବର୍ତ୍ତମାନ ଦେଶରେ ଓମିକ୍ରନ ମାମଲା ବଢୁଥିବାରୁ ଗାଙ୍ଗୁଲିଙ୍କ ସାମ୍ପୂଲ ଜିନୋମ୍ ସିକ୍ବେନ୍ସିଂ ପାଇଁ ପଠାଯାଇଛି ।
ସେପଟେ ଗାଙ୍ଗୁଲି ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିବା ପରେ ତାଙ୍କ ପ୍ରଶଂସକ ସୋସିଆଲ ମିଡିଆରେ ଚିନ୍ତା ବ୍ୟକ୍ତ କରିଛନ୍ତି ଏବଂ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
କହିରଖୁଛୁ କି, ୨୦୨୧ ଜାନୁୟାରୀରେ ସୌରଭ ଗାଙ୍ଗୁଲିଙ୍କୁ ହାର୍ଟ ଆଟାକ୍ ଆସିଥିଲା । ଯେଉଁ କାରଣରୁ ତାଙ୍କୁ ମେଡିକାଲରେ ଭର୍ତ୍ତି ହେବାକୁ ପଡିଥିଲା । କୋଲକାତାର ଆପୋଲୋ ଗ୍ଳେନେଗ୍ଳେସ ହସ୍ପିଟାଲରେ ଗାଙ୍ଗୁଲିଙ୍କ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା । କିଛି ଦିନ ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ