ନୂଆଦିଲ୍ଲୀ: ଦେଶର ସଡକ ପଥରେ ପଣ୍ୟ ପରିବହନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଟ୍ରକ ଡ୍ରାଇଭରଙ୍କ ପାଇଁ ବଡ ଆଶ୍ବସ୍ତି ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏଣିକି ଟ୍ରକର ଡ୍ରାଇଭର କ୍ୟାବିନ ହେବ ଶୀତତାପ ନିୟନ୍ତ୍ରିତ । ଅଟୋମୋବାଇଲ ନିର୍ମାତା କମ୍ପାନୀଗଡିକ ଟ୍ରକରେ ମଧ୍ୟ ଶୀତତାପ ନିୟନ୍ତ୍ରିତ କ୍ୟାବିନ ଇନଷ୍ଟଲ କରିବା ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆଜି ଏନେଇ କେନ୍ଦ୍ର ପରିବହନ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇଛନ୍ତି ।
ଅଗ୍ରଣୀ ଅଟୋମୋବାଇଲ ନିର୍ମାତା ‘ମହିନ୍ଦ୍ରା’ ଦ୍ବାରା ଆୟୋଜିତ ‘ଦେଶ ଚାଳକ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଗଡକାରୀ କହିଛନ୍ତି, ସେ ଏଇ ନୂଆ ନିୟମ ଲାଗୁ ହେବା ନେଇ ଫାଇଲରେ ଦସ୍ତଖତ କରିଛନ୍ତି । ଏବେ ମାର୍କେଟକୁ ଆସିବାକୁ ଥିବା ଟ୍ରକ ଡ୍ରାଇଭର କ୍ୟାବିନରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ସହ ନିର୍ମାଣ କରାଯିବ । ଫଳରେ ଲମ୍ବା ସମୟ ଧରି ଟ୍ରକ ଚଳାଉଥିବା ଡ୍ରାଇଭରମାନେ ମଧ୍ୟ ଆରମରେ ଡ୍ରାଇଭିଂ କରିପାରିବେ ।
ମନ୍ତ୍ରୀ ଗଡକରୀ କହିଛନ୍ତି, ଟ୍ରକର କ୍ୟାବିନରେ ସାଧାରଣତଃ ତାପମାତ୍ରା 43 ରୁ 47 ଡିଗ୍ରୀ ମଧ୍ୟରେ ରହୁଛି । ତେଣୁ କ୍ୟାବିନର ଅବସ୍ଥା ସହଜରେ ଅନୁମାନ କରାଯାଇପାରେ । ତେବେ ସେ ମନ୍ତ୍ରୀ ହେବା ପରେ ଏହି ନିୟମ ଆଣିବାକୁ ପ୍ରୟାସ କରିଥିଲେ । ହେଲେ ଏହାକୁ ନେଇ ଏକାଧିକ ଦିଗରୁ ଭିନ୍ନ ମତାମତ ଆସିଥିଲା । ଏହି ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ଦ୍ବାରା ଟ୍ରକ ମୂଲ୍ୟରେ ବୃଦ୍ଧି ହେବା ନେଇ କିଛି ନିର୍ମାତା କମ୍ପାନୀ ମତ ଦେଇଥିଲେ । ହେଲେ ସେ ଆଜି ଏସମ୍ପର୍କିତ ଫାଇଲକୁ ଅନୁମୋଦନ ଦେଇଛନ୍ତି । ଫଳରେ ଆଗକୁ ନିର୍ମାଣ ହେବାକୁ ଥିବା ଟ୍ରକର ଡ୍ରାଇଭର କ୍ୟାବିନ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ସହ ମାର୍କେଟକୁ ଆସିବ ।
ଏବେ ଦେଶରେ ଡ୍ରାଇଭରଙ୍କ ସଂଖ୍ୟା ମଧ୍ୟ ଆବଶ୍ୟକତା ଅନୁସାରେ କମ ରହିଛି । ଜଣେ ବୃତ୍ତିଗତ ଟ୍ରକ ଚାଳକଙ୍କୁ ଦୈନିକ ପ୍ରାୟ 14 ରୁ 16 ଘଣ୍ଟା ପର୍ଯ୍ୟନ୍ତ ଟ୍ରକ ଚଳାଇବାକୁ ପଡୁଛି । ଅନ୍ୟ ଦେଶରେ ଭାରି ପରିବହନ ଯାନ ଚଳାଇବା ପାଇଁ ନିର୍ଦ୍ଦିଷ୍ଟ ଘଣ୍ଟାର ସମୟ ମଧ୍ୟ ନିର୍ଦ୍ଧାରଣ ହୋଇଛି । ହେଲେ ଭାରତରେ ସେପରି କିଛି ନିର୍ଦ୍ଦିଷ୍ଟ ନିୟମର ବ୍ୟବସ୍ଥା ନାହିଁ । ତେବେ ଏହି ନୂଆ ନିୟମ ଲାଗୁ ହେବା ନେଇ ଗଡକରୀ କୌଣସି ସମୟ ସୀମା ଘୋଷଣା କରିନଥିବା ବେଳେ ଏହା 2025 ମସିହାରୁ ବାଧ୍ୟତାମୂଳକ ଭାବେ ଲାଗୁ ହେବା ନେଇ ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ