ଲକ୍ଷ୍ନୌ: ସୋସିଆଲ ମିଡିଆ ଜରିଆରେ ପ୍ରେମ କରି ଫସୁଛନ୍ତି ଅନେକ ଯୁବ ବର୍ଗ । ଏପରିକି ଅନେକ ଯୁବକ ଯୁବତୀ ଡିପ୍ରେସନର ଶିକାର ହେଉଥିବା ଜଣାପଡିଛି । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଲକ୍ଷ୍ନୌରେ । ଉତ୍ତରପ୍ରଦେଶର ରାଜଧାନୀରେ ଲକ୍ଷ୍ନୌରେ ରହୁଥିବା ଜଣେ ଯୁବକ ବାଣିଜ୍ୟରେ ସ୍ନାତକ ପଢୁଥିବାବେଳେ ସୋସିଆଲ ମିଡିଆ ମାଧ୍ୟମରେ ଜଣେ ଯୁବତୀଙ୍କ ସଂସ୍ପର୍ଶରେ ଆସିଥିଲେ । ଆଉ ତା ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ହେଲେ ଯୁବତୀ ଜଣକ ବିବାହ ପାଇଁ ଅମଙ୍ଗ ହେବାରୁ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ଯୁବକ ।
ପ୍ରଥମେ ଚାଟିଂ ଓ ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତେବେ ପ୍ରେମିକା ଜଣକ ଭିନ୍ନ ସମ୍ପ୍ରଦାୟର ହୋଇଥିବାରୁ ବିବାହ ପାଇଁ ସିଧାସଳଖ ମନା କରିଦେଇଥିଲେ ଯୁବତୀଙ୍କ ପରିବାର । ହେଲେ ଏକଥାକୁ ସହଜରେ ଗ୍ରହଣ କରିପାରିନଥିଲା ପ୍ରେମିକ । ଏହି ଘଟଣା ପରେ ଭାଙ୍ଗି ପଡିବା ସହ ସେ ଜୀବନ ହାରିବାକୁ ଉଦ୍ୟମ କରିଥିବାବେଳେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି । ଖାଲି ସେତିକି ନୁହେଁ, ନିଜର ମାନସିକ ସ୍ଥିତି ହରାଇ ସେ କେତେବେଳେ ବିହାର ତ ଆଉ କେତେବେଳେ ପଡୋଶୀ ଦେଶ ନେପାଳକୁ ଚାଲି ଯାଉଥିବା ପରିବାର ଲୋକେ କହିଛନ୍ତି । ତେଣୁ ବର୍ତ୍ତମାନ ବଳରାମପୁର ହସ୍ପିଟାଲରେ ସାଇକୋଲୋଜି ବିଭାଗରେ ତାଙ୍କର ଚିକିତ୍ସା ଜାରି ରହିଛି ।
ଏହା ବି ପଢନ୍ତୁ...ପ୍ରେମ ପାଇଁ ସୀମା ପାର ଅଞ୍ଜୁଙ୍କ ଭିଡିଓ ମେସେଜ, କହିଲେ 2 ଦିନରେ ଫେରିବି
ଏନେଇ ବରିଷ୍ଠ ମନସ୍ତତ୍ତ୍ବବିତ୍ ଡାକ୍ତର ଦେବାଶିଷ ଶୁକ୍ଳା କହିଛନ୍ତି, "ହସ୍ପିଟାଲକୁ ପ୍ରତ୍ୟକ ଦିନ ଏହିପରି ପାଖାପାଖି 10ରୁ 12 କେସ ଆସୁଛି । ଯେଉଁଥିରୁ ଜଣାପଡିଛି ଯେ, ପ୍ରେମରେ ବିଫଳ ହୋଇଥିବା ଯୁବବର୍ଗ ମାନସିକ ଭାବେ ଆଘାତ ପାଇବା ପରେ ଡିପ୍ରେସନକୁ ଚାଲିଯାଉଛନ୍ତି । ବର୍ତ୍ତମାନର ସୋସିଆଲ ମିଡିଆ ଯୁଗରେ ଖୁବ କମ୍ ସମୟ ମଧ୍ୟରେ ଅନଲାଇନ ଜରିଆରେ ପରସ୍ପର ସହ ପରିଚିତ ହୋଇ ପ୍ରେମ କରି ବସୁଛନ୍ତି ଯୁବପିଢି । ହେଲେ ପରବର୍ତ୍ତୀ ସମୟରେ ପ୍ରେମରେ ବିଫଳ ହେବା ପରେ ସେମାନେ ଡିପ୍ରେସନର ଶିକାର ହେଉଛନ୍ତି ।"
ଡାକ୍ତର ଦେବାଶିଷ ଶୁକ୍ଳା ଆହୁରି ମଧ୍ୟ କହିଛନ୍ତି, "ଏଭଳି ପ୍ରେମ ସମ୍ପର୍କ ସୋସିଆଲ ମିଡିଆରୁ ଆରମ୍ଭ ହୋଇ ସୋସିଆଲ ମିଡିଆରେ ହିଁ ଶେଷ ହୋଇଯାଉଛି । ହେଲେ ପରସ୍ପର ସହ ଚାଟିଂ ଏବଂ କଥାବାର୍ତ୍ତା କରି ଆଶକ୍ତ ହୋଇଥିବା ବ୍ୟକ୍ତି ହଠାତ୍ ବିଚ୍ଛେଦକୁ ଗ୍ରହଣ କରିପାରନ୍ତି ନାହିଁ । ଯେଉଁଥିପାଇଁ ସେମାନେ ମାନସିକ ଭାବେ ଗଭୀର ଆଘାତ ପାଇଥାନ୍ତି । ଆଉ ପରବର୍ତ୍ତୀ ସମୟରେ ଡିପ୍ରେସନର ଶିକାର ହୋଇଥାନ୍ତି ।" ତେବେ ଆଜିର ଏହି ଡିଜିଟାଲ ଯୁଗରେ ପଥଭ୍ରଷ୍ଟ ହେଉଥିବା ଯୁବପିଢିଙ୍କୁ ସେ ସୋସିଆଲ ମିଡିଆର ସଦୁପଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ।