ଶିମଲା: ବରଫ ଚାଦରରେ ଢାଙ୍କି ହୋଇଛି ହିମାଚଳ ପ୍ରଦେଶ । ପ୍ରବଳ ବରଫ ବର୍ଷା କାରଣରୁ ଅସ୍ତବ୍ୟସ୍ତ ହିମାଚଳବସୀ ।ଅତ୍ୟଧିକ ବରଫ ବର୍ଷା ଫଳରେ ହିମାଚଳ ପ୍ରଦେଶର ୩୫୫ ରୋଡ ଏବଂ ୩ ଟି ନ୍ୟାସନାଲ ହାଇୱେ ସମ୍ପୂର୍ଣ୍ଣ ଭାବେ ବରଫ ଦ୍ବରା ଆଚ୍ଛାଦିତ ହୋଇ ରହିଛି । ରାସ୍ତା ଜାମ କାରଣରୁ ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହେଉଛି । ହିମାଚଳ ପ୍ରଦେଶର ଜିଲ୍ଲା ୱାଇଜ ଦେଖିଲେ ଚମ୍ବାର ୧୪ ଟି ରୋଡ, କଙ୍ଗରର ୨ଟି, କିନ୍ନୌର ୨୯ ଟି ରୋଡ ବ୍ଲକ ହୋଇଥିଛି । ଅନ୍ୟପଟେ କୁଲୁର ୪୭ ଟି ରୋଡ ସହ ୨ ଟି ନ୍ୟାସନାଲ ହାଇୱେ ରୋହତଙ୍ଗ ପାସ-NH୩ ଏବଂ NH-୩୦୫ ସମ୍ପୂର୍ଣ୍ଣ ଭାବେ ବରଫ ଦ୍ବରା ଆଚ୍ଛାଦିତ ହୋଇ ରହିଛି । ଏହାସହ ମଣ୍ଡି ଜିଲ୍ଲାର ୪୭ଟି ରୋଡ, ଶିମଳାର ୫୪ ଟି ରୋଡ ସହ ଲହୁଲର ୧୧୭ ଟି ରୋଡ ବରଫ ବର୍ଷା ଫଳରେ ଜାମ ହୋଇଯାଇଛି । ଫଳରେ ସମସ୍ତ ଯାତାୟାତରେ ବାଧା ସୃଷ୍ଟି ହୋଇଛି । ଲୋକମାନେ ନିଜ ନିଜ ଘରୁ ବାହାରିବା କଷ୍ଟକର ହୋଇଯାଇଛି ।
ରାଜ୍ୟର ୧୯୪ଟି ବିଦ୍ୟୁତ ଯୋଗାଣ ଯୋଜନା ବ୍ୟାହତ ହୋଇଛି । ସେଥିମଧ୍ୟରୁ ଚାମ୍ବା ବିଦ୍ୟୁତ ଯୋଜନାର ସବୁଠାରୁ ଆଧିକ କ୍ଷତିଗ୍ରସ୍ତ ହେଉଛି । ଚାମ୍ବାରେ ସମୁଦାୟ ୧୨୫ଟି ବିଦ୍ୟୁତ୍ ଯୋଜନା ବ୍ୟାହତ ହୋଇଛି । ହାମିରପୁରରେ ୧, କଙ୍ଗର ପାଲାମପୁରରେ ୧ କ୍ଷତିଗ୍ରସ୍ତ ହୋଇଛି । ଏହାସହ କୁଲୁ ଜିଲ୍ଲାରେ ୪୨, ମାଣ୍ଡିରେ ୧୪ ଏବଂ ଶିମଲାରେ ୧୧ ଟି ବିଦ୍ୟୁତ୍ ଯୋଗାଣ ଯୋଜନା ବ୍ୟାହତ ହୋଇଛି।
ରାଜ୍ୟରେ କେବଳ ବିଦ୍ୟୁତ ଯୋଗାଣ ନୁହେଁ ଜଳ ଯୋଗାଣ ଯୋଜନା ମଧ୍ୟ ବାଧାପ୍ରାପ୍ତ ହୋଇଛି । ଖରାପ ପାଗ ଯୋଗୁଁ ରାଜ୍ୟରେ ୧୯ ଟି ଜଳ ଯୋଗାଣ ଯୋଜନା ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ଚାମ୍ବା ଭରମୟୁର ୧ , ଲାହଲ ସ୍ପିଟିରେ ୨ ଏବଂ ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାରେ ୧୬ଟି ଜଳ ଯୋଗାଣ ଯୋଜନା ବ୍ୟାହତ ହୋଇଛି। ହିମାଚଳ ପ୍ରଦେଶର ଲାହୁଲ ସ୍ପିଟି ଜିଲ୍ଲାର କିଲୋଙ୍ଗ ଶନିବାର ସକାଳେ ଫ୍ରିଜ୍ ପଏଣ୍ଟରୁ ୭.୮ ଡିଗ୍ରୀ ତଳେ ଥିବା ରେକର୍ଡ ହୋଇଛି । ଶିମଲା ୨.୩, ଧର୍ମଶାଳା ୪.୨, ଉନା ୪, ସୋଲାନ ୦.୮, ଏବଂ ମନାଲି 0 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।
ତେବେ ରାସ୍ତା ଠାରୁ ଆରମ୍ଭ କରି ଜଳ ଓ ବିଦ୍ୟୁତ ଯୋଗାଣ ବ୍ୟାପକ ପରିମାଣରେ ବ୍ୟାହତ ହୋଇଛି । ଲୋକମାନେ ନିଜ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ପାଇବା କଷ୍ଟକର ବ୍ୟାପାର ସାଜିଛି । ସେନା ଏବଂ ଏନଡିଆର ପକ୍ଷରୁ ବରଫ କଢ଼ା ଚାଲିଥିଲେ ମଧ୍ୟ ଏହା ଫଳପ୍ରଦ ହେଇପାରୁ ନାହିଁ ।