ନୂଆଦିଲ୍ଲୀ: 7 ଦିନିଆ ରିମାଣ୍ଡରେ ଗଲା ସଂସଦ ସୁରକ୍ଷା ବିଭ୍ରାଟ ମାମଲାର 6ଷ୍ଠ ଅଭିଯୁକ୍ତ ମହେଶ କୁମାଓ୍ବତ । ଗିରଫ ପରେ ତାକୁ ଆଜି ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା । ତାକୁ ଅଧିକ ଜେରାର ଆବଶ୍ୟକତା ଦର୍ଶାଇ ପୋଲିସ 15 ଦିନର ରିମାଣ୍ଡ ଆବେଦନ କରିଥିଲା । ଅତିରିକ୍ତ ଶେସନ ଜଜ୍ ହାର୍ଦ୍ଦିକ କୌର ଏକ ସପ୍ତାହ ପାଇଁ ଅଭିଯୁକ୍ତକୁ ରିମାଣ୍ଡରେ ପଠାଇଛନ୍ତି । ଶୁଣାଣି ସମୟରେ ଅଭିଯୁକ୍ତ ପକ୍ଷରୁ କୌଣସି ଆଇନଜୀବୀ କୋର୍ଟରେ ଉପସ୍ଥିତ ନଥିଲେ । ହେଲେ ନ୍ୟାୟିକ ନିୟମ ଅନୁସାରେ, ଦିଲ୍ଲୀ ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅଭିଯୁକ୍ତ ପାଇଁ ଜଣେ ଓକିଲ ପ୍ରଦାନ କରାଯାଇଥିଲା । ଯିଏ କୋର୍ଟରେ ଅଭିଯୁକ୍ତଙ୍କ ପାଇଁ ପକ୍ଷ ରଖିଥିଲେ ।
13 ତାରିଖ (ବୁଧବାର) ସଂସଦ ଭିତରେ ଓ ବାହାରେ ହଙ୍ଗାମା କରି ଗିରଫ ହୋଇଥିଲେ 4 ଜଣଙ୍କ ।ସେମାନଙ୍କ ମଧ୍ୟରୁ ଗୃହ ଭିତରେ ପ୍ରବେଶ କରି କଲର ବୋମା ମାଡ କରିଥିବା ଦୁଇ ଅଭିଯୁକ୍ତ ଯୁବକ ଲକ୍ଷ୍ନୌର ଶଙ୍କରଲାଲ ଶର୍ମାଙ୍କ ପୁଅ ସାଗର ଶର୍ମା ଓ ମହୀଶୂରର ଡି.ଦେବରାଜଙ୍କ 35 ବର୍ଷୀୟ ପୁଅ ଡି.ମନୋରଞ୍ଜନ ଭାବେ ଚିହ୍ନଟ ହୋଇଥିଲେ । ସେହିପରି ସଂସଦ ବାହାରେ ଗିରଫ ହୋଇଥିବା ଦୁଇଜଣଙ୍କ ମଧ୍ୟରେ ଜଣେ ମହିଳା ଓ ଅନ୍ୟ ଜଣେ ଯୁବକ ରହିଛନ୍ତି । ସେମାନେ ହେଲେ ହରିୟାଣାର ହିସାର ଜିଲ୍ଲାର 42 ବର୍ଷୀୟା ନିଲମ ଦେବୀ ଓ 25 ବର୍ଷୀୟ ଯୁବକ ଅମୋଲ ସିନ୍ଦେ । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ ସେମାନଙ୍କଠାରୁ ମିଳିଥିବା ଆଧାର କାର୍ଡ ଓ ଅନ୍ୟ ପ୍ରମାଣପତ୍ରରୁ ଏହି ପରିଚୟ ସାମ୍ନାକୁ ଆଣିଥିଲା ପୋଲିସ । ପରେ ମୁଖ୍ୟ ଅଭିଯୁକ୍ତ ଲଳିତ ଝା ଓ 6ଷ୍ଠ ଅଭିଯୁକ୍ତ ମହେଶ କୁମାଓ୍ବତଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।
ସଂସଦ ଆକ୍ରମଣର 22ତମ ବାର୍ଷିକୀରେ ପୁଣି ଥରେ ଦେଶର ସର୍ବୋଚ୍ଚ ପଞ୍ଚାୟତର ସୁରକ୍ଷାରେ ବିଭ୍ରାଟ ଦେଖିବାକୁ ମିଳିଥିଲା । ଗୃହ ମଧ୍ୟରେ ପ୍ରବେଶ କରିଥିବା ଦୁଇ ଅଭିଯୁକ୍ତ ଯୁବକ ଭିଜିଟର ପାସରେ ପ୍ରବେଶ କରିଥିଲେ । ଏହି ପାସ ସେମାନଙ୍କୁ ମହୀଶୂରର ବିଜେପି ସାଂସଦ ପ୍ରତାପ ସିହ୍ନାଙ୍କ କାର୍ଯ୍ୟାଳୟରୁ ମିଳିଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଦୁଇ ଅନୁପ୍ରବେଶକାରୀଙ୍କ ମଧ୍ୟରେ ଜଣେ ମହୀଶୂରର ଯୁବକ ମଧ୍ୟ ରହିଛନ୍ତି । ସମସ୍ତଙ୍କ ବିରୋଧରେ ଉପା ଆକ୍ଟରେ ମାମଲା ରୁଜୁ କରି ପୋଲିସ ଆତଙ୍କବାଦ ସମେତ ଅନ୍ୟାନ୍ୟ ଦିଗରୁ ମଧ୍ୟ ତଦନ୍ତ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ