ପାଟନା: ସ୍ବପ୍ନ ଥିଲା ଭାଇକୁ ବର ବେଶରେ ବୁଲେଟରେ ବସାଇ କନିଆଁ ଘରକୁ ନେବା । ଭଉଣୀ ଦେଖିଥିବା ଏ ସ୍ବପ୍ନ ସତ ହେଲା । ବରାଯାତ୍ରୀଙ୍କ ସହ ଧୁମ ଧଡାକା ଗୀତର ତାଳେ ତାଳେ ନାଚି ଭାଇକୁ ବୁଲେଟରେ ବସାଇ କନିଆଁ ଘରକୁ ନେଇଛନ୍ତି ଭଉଣୀ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବିହାର ଗୟାରେ ।
ବିହାର ଗୟାର ବୁଲେଟ ରାଣୀ ଭାବେ ପରିଚିତ ନିକି କୁମାରୀ ତାଙ୍କ ବଡ ଭାଇଙ୍କ ବାହାଘରକୁ ନେଇ ବେଶ ଉତ୍ସାହିତ ଥିଲେ । ଜବରଦସ୍ତ ନାଚ ସହ ବରାଯାତ୍ରୀ ନେଇ ବାହାରିଥିଲେ ବରପକ୍ଷ । ମଝିରେ ନିକି ତାଙ୍କ ଭାଇକୁ ବୁଲେଟରେ ବସାଇ ବିବାହ ମଣ୍ଡପ ଅଭିମୁଖେ ବାହାରିଥିଲେ । ବାଇକରେ ଭାଇକୁ ବସାଇ ନିଜେ ଡ୍ୟାନ୍ସ ବି କରୁଥିଲେ ନିକି । 2020 ମାର୍ଚ୍ଚ 3ରେ ନିଜ ବାହାଘରରେ ନିକି ବାଇକ ଚଲାଇ ବିବାହ ମଣ୍ଡପରେ ପହଞ୍ଚିଥିଲେ । ସେବେଠୁ ବୁଲେଟୱାଲୀ ଦୁଲହନିଆ ନାମରେ ଚର୍ଚ୍ଚିତ ଥିଲେ । ତାଙ୍କୁ ବୁଲେଟ ଚଲାଇବା ଭାରି ପସନ୍ଦ । ତାଙ୍କ ଭାଇଙ୍କ ବିବାହରେ ବୁଲେଟରେ ଭାଇକୁ ବସାଇ ବରଯାତ୍ରୀରେ ଯିବାକୁ ତାଙ୍କ ଇଚ୍ଛାକୁ ସେ ପୂରଣ କରିଛନ୍ତି ।
ନିକିଙ୍କ ଭାଇ ମନୀଷ କୁମାର ଏ ନେଇ କହିଛନ୍ତି, "ମୋର ଭଉଣୀର ଇଚ୍ଛା ଥିଲା ମୋତେ ବାଇକରେ ବସାଇ ବିବାହ ମଣ୍ଡପକୁ ନେବା ପାଇଁ । ଆଜି ତାର ଇଚ୍ଛା ପୂରଣ ହୋଇଛି ।" ଭଉଣୀ ଇଚ୍ଛା ପୂରଣ ପାଇଁ ବୁଲେଟରେ ବର ହୋଇ ଆସିଥିବା କହିଛନ୍ତି ମନୀଷ ।