ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟରେ ବିକାଶ ଯାତ୍ରା ଆରମ୍ଭ ହୋଇଛି । ସିଙ୍ଗରୌଲିରେ ଏହି ଯାତ୍ରା ଚିତରଙ୍ଗୀ ବିଧାୟକଙ୍କ ଉପରେ ଭାରି ପଡ଼ିଛି । ବିଧାୟକ ବିକାଶର ଚିତ୍ର ଦେଖିବା ଲାଗି ସିଙ୍ଗରୌଲି ଯାଇଥିବା ବେଳେ ତାଙ୍କ ରାସ୍ତା ରୋକିଛି ଜଣେ କୁନି ଛାତ୍ର । ତେବେ ବିଦ୍ୟାଳୟରେ ପାଣି ସମସ୍ୟାକୁ ନେଇ ଛାତ୍ର ଜଣକ ବିଧାୟକଙ୍କ ନିକଟରେ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି । ଛାତ୍ର ଜଣକ ନିଜ ଅଭିଯୋଗ ବିଧାୟକଙ୍କ ସାମ୍ନାରେ ରଖୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ବିକାଶ ଯାତ୍ରା ଲାଗି ଚିତରଙ୍ଗି ବିଧାୟକ ସିଙ୍ଗରୌଲିରେ ପହଞ୍ଚିଥିଲେ । ଏହି ସମୟରେ ଜଣେ କୁନି ଛାତ୍ର ତାଙ୍କ ଏସକର୍ଟ ଗାଡ଼ିକୁ ରୋକିଥିଲା । ଏହାସହିତ ଛାତ୍ର ଜଣକ ବିଧାୟକଙ୍କୁ କହିଥିଲା ଯେ ଯେପର୍ଯ୍ୟନ୍ତ ତାଙ୍କ ସ୍କୁଲରେ ପାଣି ସମସ୍ୟାର ସମାଧାନ ହୋଇନାହିଁ, ତାଙ୍କୁ ଏଠାରୁ ଯିବାକୁ ଦିଆଯିବ ନାହିଁ । ସ୍କୁଲ ଛାତ୍ରର ଏହି ଦାବି ଶୁଣି ବିଧାୟକ ସ୍ମିତହାସ୍ୟ ଦେଇଥିବା ବେଳେ ଉପସ୍ଥିତ ଲୋକେ ଏହାର ଭିଡିଓ ଉତ୍ତୋଳନ କରିଥିଲେ । ମାତ୍ର ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଅନେକ ବିଧାୟକଙ୍କୁ ଥଟ୍ଟା ପରିହାସ କରିଥିବା ଦେଖିବାକୁ ମିଳିଛି ।
ଏହା ବି ପଢନ୍ତୁ- RAPE CASE: ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ ! ନାବାଳିକା ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ
ଚିତରଙ୍ଗି ବିଧାନସଭା ମଣ୍ଡଳରେ ବିଧାୟକ ଅମର ସିଂ ବିଭିନ୍ନ ସ୍ଥାନ ବୁଲି ବିକାଶର ଚିତ୍ର ପରଖୁଥିଲେ । ଏହି ସମୟରେ ତାଙ୍କ ସହିତ ଏପରି ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ ଉକ୍ତ ବିଦ୍ୟାଳୟରେ ଅନେକ ଦିନ ଧରି ପାଣି ସମସ୍ୟା ଲାଗି ରହିଛି । ମାତ୍ର ସ୍ଥାନୀୟ ଜନ ପ୍ରତିନିଧି କି ପ୍ରଶାସନ ଏନେଇ ଗୁରୁତ୍ବାରୋପ କରିନାହିଁ । ଯାହାଦ୍ବାରା ବିଦ୍ୟାଳୟରେ ସମସ୍ୟା ଦେଖାଦେଇଛି । ତେବେ ଏହି ଘଟଣାକୁ ନେଇ ବିଧାୟକଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ । ସେପଟେ ବିଜେପି ନେତା କାନ୍ତି ଦେବ ସିଂ ସ୍କୁଲରେ ଯଥାଶୀଘ୍ର ପାଣି ସମସ୍ୟାର ସମାଧାନ ହେବା ନେଇ ପ୍ରତିଶୃତି ଦେଇଛନ୍ତି ।