ରାୟପୁର: ଛତିଶଗଡ ମହାସମୁନ୍ଦ ସିଂହୋଦା ପୋଲିସର ସଫଳତା । ଓଡିଶାରୁ ଉତ୍ତରପ୍ରଦେଶକୁ ରୂପା ଅଳଙ୍କାର ଚାଲାଣବେଳେ ଜବତ କଲା ଛତିଶଗଡ ପୋଲିସ । ବିପୁଳ ପରିମାଣରେ ରୂପା ଇଟା ଓ ଅଳଙ୍କାର ସହ ନଗଦ ଟଙ୍କା ଜବତ କରିଛି । ପାଖାପାଖି ଏକ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ଅଳଙ୍କାର ଜବତ କରିଛି ପୋଲିସ । କାର ସହ ଦୁଇ ଜଣ ବ୍ୟକ୍ତିକୁ ଗିରଫ କରିଛି ପୋଲିସ ।
ସୂଚନା ଅନୁଯାୟୀ ଉତ୍ତରପ୍ରଦେଶର ଦୁଇଜଣ ବ୍ୟକ୍ତି ଗୌରବ ଶଲ୍ୟା ଓ ସଞ୍ଜୟ ଖାନ ଏକ ଧଳା ରଙ୍ଗର କାରରେ ଓଡିଶାରୁ ବିପୁଳ ମାତ୍ରାରେ ରୂପା ଅଳଙ୍କାର ଚାଲାଣକରି ନେଇଥିଲେ । ଜାତୀୟ ରାଜପଥ 58ରେ ଯାଉଥିବାବେଳେ ଛତିଶଗଡର ମହାସମୁନ୍ଦ ସିଂହୋଦା ପୋଲିସ କବଜାରେ ପଡିଥିଲେ। ସେଠାରେ ପୋଲିସ ସେମାନଙ୍କୁ ଅଟକ ରଖି ପଚରା ଉଚୁରା ବେଳେ ଦୁହେଁ ଉତ୍ତରପ୍ରଦେଶର ବାସିନ୍ଦା ବୋଲି ଜଣାପଡିଛି । ପୋଲିସ କାରକୁ ତଲାସ କରିଥିବାବେଳେ କାର ଭିତରୁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ରୂପା ଅଳଙ୍କାର ସହ ରୂପା ଇଟା ଜବତ କରିଛି । ପୋଲିସ ମୋଟ 235 କେଜି ରୂପା ଇଟା ଜବତ କରିଛି । ସେହିପରି 8 କେଜି ରୂପା ଅଳଙ୍କାର ଯାହାର ଆନୁମାନିକ ମୂଲ୍ୟ 1 କୋଟି 76 ଲକ୍ଷ 5 ହଜାର ଟଙ୍କା ହେବ । ଏହା ସହ ନଗଦ 5 ଲକ୍ଷ 78 ହଜାର 900 ଟଙ୍କା ଜବତ କରାଯାଇଛି ।
ଦୁଇ ଜଣ ବ୍ୟକ୍ତିକୁ ଗିରଫ କରିଛି ପୋଲିସ । ତାଙ୍କ ନିକଟରୁ ଏତେମାତ୍ରାରେ ଅଳଙ୍କାର ଜବତ କରିବା ପରେ ପୋଲିସ କାଗଜପତ୍ର ମାଗିଥିଲା କିନ୍ତୁ ସେମାନେ ଦେଖାଇପାରିନଥିଲେ । ପୋଲିସ ଗିରଫ ଦୁଇ ଜଣଙ୍କୁ ନେଇ କୋର୍ଟ ଚାଲାଣ କରିଛି । ଓଡିଶାରୁ ଉତ୍ତରପ୍ରଦେଶକୁ ବିପୁଳ ପରିମାଣରେ ଚାଲାଣ କରାଯାଉଥିଲା ବୋଲି ଜଣାପଡିଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ