ଲକ୍ଷ୍ନୌ: ସ୍ବାସ୍ଥ୍ୟ ସେବାରେ ପୁଣି ଦେଖିବାକୁ ମିଳିଛି ଅବହେଳା । କୋଭିଡ୍-୧୯ ଟିକାକରଣ ପାଇଁ ଦାୟିତ୍ବରେ ଥିବା ସ୍ବାସ୍ଥ୍ୟକର୍ମୀ, ୩ ଜଣ ମହିଳାଙ୍କୁ ଭ୍ୟାକସିନ୍ ବଦଳରେ କୁକୁର କାମୁଡା ଇଞ୍ଜେକ୍ସନ୍ ଦେଇଦେଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶରର ସାମଲୀ ଜିଲ୍ଲା କାନ୍ଧାଲା ସରକାରୀ ଡାକ୍ତରଖାନାରେ । ଉଲ୍ଲେଖଯୋଗ୍ୟ ଯେ, 70 ବର୍ଷିୟା ସରୋଜ, 72 ବର୍ଷିୟା ଅନାରକଲୀ ଏବଂ 60 ବର୍ଷିୟା ସତ୍ୟବତୀ- ଏହି ତିନି ମହିଳା କୋରୋନା ଟିକା ନେବା ଲାଗି ହସ୍ପିଟାଲକୁ ଯାଇଥିଲେ । ହେଲ୍ଥ ସେଣ୍ଟରରେ ପହଞ୍ଚିସାରିବା ପରେ ସ୍ବାସ୍ଥ୍ୟ କର୍ମୀମାନେ ତାଙ୍କୁ ସିରିଞ୍ଜ ନେବାକୁ କହିଥିଲେ ଏବଂ ପରେ ୩ ଜଣ ମହିଳାଙ୍କୁ କୁକୁରମାନଙ୍କ ପାଇଁ ଉର୍ଦ୍ଦିଷ୍ଟ ଆଣ୍ଟି ରାବିଜ୍ ଇଞ୍ଜେକ୍ସନ୍ ଦିଆଯାଇଥିଲା ।
ଗାଇଡ୍ଲାଇନ୍ ଅନୁଯାୟୀ ସେମାନେ ୩୦ ମିନିଟ୍ ଧରି ନୀରିକ୍ଷଣରେ ରହିଥିଲେ ଏବଂ ପରେ ଘରକୁ ଫେରିଥିଲେ । ତେବେ ଘରକୁ ଫେରିବାର କିଛି ଘଣ୍ଟା ପରେ ସରୋଜ ଦେବୀଙ୍କ ଦେହ ଖରାପ ହେବାକୁ ଲାଗିଥିଲା । ବାନ୍ତି ହେବା ସହିତ ମୁଣ୍ଡ ବୁଲାଇଥିଲା । ଫଳରେ ପରିବାର ସଦସ୍ୟ ତାଙ୍କୁ ଏକ ଘରୋଇ ଡାକ୍ତରଙ୍କ ନିକଟକୁ ନେଇ ଯାଇଥିଲେ । ଯେଉଁଠାରେ କୋଭିଡ ଟିକା ବଦଳରେ ତାଙ୍କୁ କୁକୁର କାମୁଡା ଟିକା ଦିଆଯାଇଥିବା ଜଣାପଡ଼ିଥିଲା । ଏନେଇ ପୀଡିତାଙ୍କ ପରିବାର ଲୋକେ ସାମଲୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସଞ୍ଜୟ ଅଗ୍ରଓ୍ବାଲଙ୍କୁ ଅଭିଯୋଗ କରିଥିଲେ । ଏହା ସହିତ କାର୍ଯ୍ୟରେ ଗୁରୁତର ଅବହେଳା ପାଇଁ ସଂପୃକ୍ତ ସ୍ବାସ୍ଥ୍ୟ କର୍ମୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।
ସଂପୃକ୍ତ ହେଲ୍ଥ ସେଣ୍ଟରର ଇନଚାର୍ଜ ବ୍ରିଜେନ୍ଦ୍ର ସିଂହ କହିଛନ୍ତି, ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଘଟଣା ବାବଦରେ ତଦନ୍ତ ଆରମ୍ଭ ହୋଇଛି । ଘଟଣାରେ ଯେଉଁମାନେ ସଂପୃକ୍ତ ଥିବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।