ମୁମ୍ବାଇ: ରାଜନୈତିକ ହଟଚମଟ, ଦଳୀୟ କନ୍ଦଳ ପରେ BJP ନେତୃତ୍ବାଧୀନ NDA ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ନେଇ ଆଭିମୁଖ୍ୟ ସ୍ପଷ୍ଟ କଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ଶିବସେନା ସାଂସଦମାନେ ଗତକାଲି(ସୋମବାର) ଠାକରେଙ୍କୁ ସାକ୍ଷାତ କରି NDA ପ୍ରାର୍ଥୀଙ୍କୁ ସମର୍ଥନ ପାଇଁ ଚାପ ପକାଇବା ପରେ ସେ ଏହି ଘୋଷଣା କରିଥିବା ବିଶେଷ ସୂତ୍ରରୁ ପ୍ରକାଶ ।
ସୂଚନା ଅନୁଯାୟୀ, ଗତକାଲି ଶିବସେନା ସାଂସଦମାନେ ଉଦ୍ଧବ ଠାକରେଙ୍କୁ ତାଙ୍କ ମତୋଶ୍ରୀ ବାସଭବନରେ ଭେଟିଥିଲେ ଏବଂ ଦ୍ରୋମଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ ଦାବି କରିଥିଲେ । ଶିବ ସେନାର ୧୮ ଲୋକସଭା ସାଂସଦମାନଙ୍କ ମଧ୍ଯରୁ ୧୩ ଜଣ ସାଂସଦ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ଦାବି ଉତ୍ଥାପନ କରିଥିବା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି । ବିଶେଷ କରି ଆଦିବାସୀ କମ୍ୟୁନିଟିରୁ ଆସିଥିବା ସାଂସଦମାନେ ଦାବି ପାଇଁ ଅଧିକ ଚାପ ପକାଇଥିଲେ । ସେପଟେ ଶିବ ସେନା ରାଜ୍ୟସଭା ସାସଂଦ ସଞ୍ଜୟ ରାଉତ ବୈଠକରେ କଂଗ୍ରେସ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଦୃଢ ସମର୍ଥନ କରିଥିବା ଜଣାପଡିଛି ।
ପ୍ରକାଶ ଥାଉ ଯେ, ଆସନ୍ତା ୧୮ ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ଓଡିଆଶର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଥମ ଆଦିବାସୀ ମହିଳା ଭାବେ NDA ପକ୍ଷରୁ ପ୍ରାର୍ଥିନୀ କରାଯାଇଛି । ଏହାରି ମଧ୍ୟରେ ମୁର୍ମୁଙ୍କୁ ବିଭିନ୍ନ ଆଞ୍ଚଳିକ ଦଳ ଖୋଲା ସମର୍ଥନ ଜଣାଇବା ସହ ଶିବସେନା ପକ୍ଷରୁ ମଧ୍ୟ ସମର୍ଥନ ନେଇ ସ୍ପଷ୍ଟ ହୋଇଛି ।