ବେଙ୍ଗାଲୁରୁ: ଭ୍ରୁଣ ହତ୍ୟା କରିବା ବା ଚିହ୍ନଟ କରିବା ଆମ ଦେଶର ଏକ ବେଆଇନ କାର୍ଯ୍ୟ । ଏହା ସତ୍ତ୍ବେ ବି ଅନେକ ରାଜ୍ୟରେ ଏହି ବେଆଇନ କାର୍ଯ୍ୟ ହେଉଛି । ତେବେ କର୍ଣ୍ଣାଟକରେ ଭ୍ରୁଣ ଚିହ୍ନଟ କରିବା ପରେ ଗର୍ଭପାତ ଭଳି ଖବର ସାମ୍ନାକୁ ଏବେ ସାମ୍ନାକୁ ଆସିଛି । ଏହି ଘଟଣାରେ ପୋଲିସ ୨ ଜଣ ଡାକ୍ତରଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି । ଏହି ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁ୍ଷ୍ଠାନ ଗ୍ରହଣ କରିବା ଲାଗି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିର୍ଦ୍ଦେଶ ଦେଇଛନ୍ତି ।
ଗର୍ଭପାତ ଓ ଭ୍ରୁଣ ଲିଙ୍ଗ ଚିହ୍ନଟ ରାକେଟ ସମ୍ପର୍କରେ ଖବର ମିଳିବା ପରେ ପୋଲିସ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଶିବନାନଜେ ଗୌଡା, ବିରେଶ, ନବୀନ କୁମାର ଓ ନୟନ କୁମାରଙ୍କୁ ଅକ୍ଟୋବରରେ ଗିରଫ କରିଥିଲା । ଏହି ଅଭିଯୁକ୍ତମାନେ ମାଣ୍ଡ୍ୟାର ଏକ ଘରେ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରି ସେମାନଙ୍କ ସ୍କାନିଂ କରୁଥିଲେ । ଯଦି କନ୍ୟା ଭ୍ରୁଣ ଚିହ୍ନଟ ହେଉଥିଲା, ତେବେ ସେମାନଙ୍କର ଗର୍ଭପାତ କରୁଥିଲେ । ପ୍ରତି ମାସରେ ଅତି କମରେ ୨୦ରୁ ୨୫ଟି ଭ୍ରୁଣ ହତ୍ୟା ହେଉଥିଲା । ତେବେ ରବିବାର ପୋଲିସ ଆଉ ୫ ଜଣଙ୍କୁ ଗିରଫ କରିବା ପରେ ମୋଟ ଅଭିଯୁକ୍ତଙ୍କ ସଂଖ୍ୟା ଏବେ ୯ରେ ପହଞ୍ଚିଛି ।
ଏହା ବି ପଢନ୍ତୁ- ବେଆଇନ ଲିଙ୍ଗ ନିରୂପଣ ମାମଲା, ଆଉ ଜଣେ ଡାକ୍ତରଙ୍କୁ ୨ବର୍ଷ ସଜ୍ଜା
ପୋଲିସର କହିବାନୁସାରେ ଏହି ମାମଲାରେ ମହୀଶୂରର ଉଦୟଗିରି ନିକଟ ଏକ ଘରୋଇ ହସ୍ପିଟାଲ ଓ ରାଜକୁମାର ରୋଡ ସ୍ଥିତ ଏକ ଆୟୁର୍ବେଦିକ ଡେ କେୟାର ସେଣ୍ଟରକୁ ସିଲ୍ କରାଯାଇଛି । ଏ ନେଇ ବେଙ୍ଗାଲୁରୁ ଇଷ୍ଟ ଡିଭିଜନ ଡିସିପି ଡି. ଦେବରାଜ କହିଛନ୍ତି, " ଲିଙ୍ଗ ନିରୂପଣ ରାକେଟକୁ ନେଇ କିଛି ଦିନ ପୂର୍ବରୁ ବେୟପ୍ପନହଲ୍ଲି ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଥିଲା । ଏହି ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ କରିବା ପରେ ମାଣ୍ଡ୍ୟାରୁ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଏମାନଙ୍କୁ ଗିରଫ ହେବା ପରେ ଏଭଳି ରାକେଟ ବେଙ୍ଗାଲୁରୁର ଅନ୍ୟ କୌଣସି ହସ୍ପିଟାଲରେ ଚାଲିଛି ସେ ନେଇ ତଥ୍ୟ ସଂଗ୍ରହ ହୋଇଥିଲା । ଏହାପରେ ଏହି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।"
ଡିସିପି ଦେବରାଜ ଆହୁରି କହିଛନ୍ତି ଯେ ଏହି ଅଭିଯୁକ୍ତମାନେ ଲିଙ୍ଗ ନିରୂପଣ କରିବା ଲାଗି ମାଣ୍ଡ୍ୟାର ଏକ ଆଖୁ କ୍ଷେତରେ ଅସ୍ଥାୟୀ ଶିବିର ଖୋଲିଥିଲେ । ଏଠାରେ ଗର୍ଭବତୀ ମହିଳାଙ୍କ ସ୍କାନିଂ କରାଯିବା ପରେ ଭ୍ରୁଣର ଲିଙ୍ଗ ନିରୂପଣ ହେଉଥିଲା । ପଚରାଉଚରା ପରେ ଏହି ଘଟଣାରେ ଡାକ୍ତରଙ୍କ ସମ୍ପୃକ୍ତି ସମ୍ପର୍କରେ ଜଣାପଡ଼ିଥିଲା । ଏହି ରାକେଟ ସମ୍ପର୍କରେ ଜଣାପଡ଼ିବା ପରେ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିର୍ଦ୍ଦେଶ ଦେଇଛନ୍ତି । ଆଜି ସମ୍ବିଧାନ ଦିବସ ଅବସରରେ ବିଧାନସଭା ସମ୍ମୁଖରେ ଥିବା ସମ୍ବିଧାନ ପ୍ରଣେତା ଡକ୍ଟର ବି.ଆର ଆମ୍ବେଦକରଙ୍କୁ ମାଲ୍ୟାର୍ପଣ କରିବା ପରେ ଏହି ନିର୍ଦ୍ଦେଶ ଦେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ