ଲକ୍ଷ୍ନୌ: ଦେଶରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ମାମଲା ବଢିବାରେ ଲାଗିଛି । ବେପରୁଆ ଗାଡି ଗଲେଇବା, ଟ୍ରାଫିକ ନିୟମ ନମାନିବା, ଓଭର ସ୍ପିଡିଂ ଓ ନିଶା ସେବନ କରି ଗାଡି ଚଲେଇବା କାରଣରୁ ଦୁର୍ଘଟଣା ମାମଲା ବଢୁଥିବା ଦେଖିବାକୁ ମିଳିଛି । ତେବେ ଉତ୍ତର ପ୍ରଦେଶର ମୁରାଦାବାଦରେ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ରବିବାର ଅପରାହ୍ନରେ ମୁରାଦାବାଦ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଯାତ୍ରୀଭର୍ତ୍ତି ଟାଟା ମ୍ୟାଜିକକୁ ଏକ ଡିସିଏମ୍ ଟ୍ରକ୍ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ 8 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 15 ଜଣ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏକ ଟାଟା ମ୍ୟାଜିକରେ ମୋଟ ୨୩ ଜଣ ଯାତ୍ରୀ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ । ଟାଟା ମ୍ୟାଜିକଟି ରମପୁରରୁ ଆସୁଥିବା ବେଳେ ଏପରି ଦୁର୍ଘଟଣା ଘଟିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି ।
ସୂଚନା ଆନୁଯାୟୀ, ଏହି ଦୁର୍ଘଟଣା ମୁରାଦାବାଦର ଭାଗବତପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି । ଏକ ବିବାହ ଉତ୍ସବରେ ଯୋଗଦେବାକୁ କୋରବାକୁ ଗାଁର ଅବ୍ବାସ ସହ ପିରବାର ରାମପୁର ଅଭିମୁଖେ ଯାଉଥିଲା । ଟାଟା ମ୍ୟାଜିକ୍ ରେ ତାଙ୍କ ପରିବାରର ୨୩ ଜଣ ସଦସ୍ୟ ବିସିଥିଲେ । ଟାଟା ମ୍ୟାଜିକ ଦଲତପୁରର କାଶିରାମ ରୋଡରେ ପହଞ୍ଚିବା ମାତ୍ରେ ଆଗରୁ ଦୃତ ଗତିରେ ଆସୁଥିବା ମିନି ଟ୍ରକ୍ ତାଙ୍କ ଗାଡିକୁ ଧକ୍କା ଦେଇଥିଲା । ମୁହାଁମୁହିଁ ଧକ୍କା ହେବା ପରେ ଉଭୟ ଗାଡି ଓଲଟି ପଡିଥିଲା । ଏହି ଦୁର୍ଘଟଣାଟିରୁ ବାହାରିଥିବା ଶବ୍ଦ ସାରା ଅଞ୍ଚଳରେ ପ୍ରତିଧ୍ବନିତ ହୋଇଥିଲା । ଗ୍ରାମାବାସୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ଗୁରୁତରମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା ।
ଘଟଣାସ୍ଥଳରେ ହିଁ ଦୁଇ ଜଣ ମହିଳା ଓ ଶିଶୁଙ୍କର ମୃତ୍ୟୁ ଘଟିଥିଲା । ଚିକିତ୍ସାଧୀନ ଅବସ୍ଥାରେ ୫ଜଣଙ୍କ ମୃତ୍ୟୁ ଘଟିଥିବା ପୋଲିସ ସୂଚନା ଦେଇଛି । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ଆଠ ଜଣଙ୍କର ମୃତ୍ୟୁ ହୋଇଛି । ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଦୁର୍ଘଟଣାରେ ଡିସିଏମ୍ ଟ୍ରକ୍ ଚାଳକ ମଧ୍ୟ ଗୁରୁତର ହୋଇଥିବା ସୂଚନା ରହିଛି । ପୋଲିସ ଉଭୟ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି । CDO ସୁମିତ ଯାଦବ ଆଠ ଜଣଙ୍କ ମୃତ୍ୟୁକୁ ହୋଇଥିବା ସ୍ପଷ୍ଟ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ