ଚଣ୍ଡିଗଡ଼: ପଞ୍ଜାବରେ ଭୟଙ୍କର ସଡକ ଦୁର୍ଘଟଣା । କୁହୁଡି ଯୋଗୁଁ ରାସ୍ତାଘାଟ ଦେଖା ନଯିବାରୁ ଟ୍ରକକୁ ପଛପଟୁ ଧକ୍କା ଦେଲା ପୋଲିସ ବସ୍ । ଦୁର୍ଘଟଣାରେ ଚାଲିଗଲା ୪ ଜଣ ପୋଲିସ କର୍ମୀଙ୍କ ଜୀବନ । ଆଜି (ବୁଧବାର) ପଞ୍ଜାବ ହୋସିଆରପୁରରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା କନେଷ୍ଟବଳ ଅଛନ୍ତି । ଏଥିରେ ଆଉ କିଛି ପୋଲିସ କର୍ମୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କୁହୁଡି ପାଇଁ କିଛି ଦୃଶ୍ୟମାନ ନହେବାରୁ ବସ୍ ଡ୍ରାଇଭର ଜାଣିନପାରି ରାସ୍ତାକଡରେ ଛିଡା ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ସୂଚନା ମୁତାବକ, ଆଜି ସକାଳ ପ୍ରାୟ ୬ଟା ସମୟରେ ଦୁର୍ଘଟଣା ଘଟିଛି । ସକାଳୁ ସକାଳୁ ପଞ୍ଜାବ ପୋଲିସ କର୍ମଚାରୀଙ୍କୁ ନେଇ ଗୋଟିଏ ବସ୍ ଜଳନ୍ଧରରୁ ଗୁରୁଦାସପୁର ଅଭିମୁଖେ ଯାଉଥିଲା । ହୋସିଆରପୁରର ମୁକେରିଆଠାରେ କୁହୁଡି ଯୋଗୁଁ ରାସ୍ତାଘାଟ ଦୃଶ୍ୟମାନ ହେଉନଥିଲା । ସେହି ସମୟରେ ସେଠାରେ ଗୋଟିଏ ଟ୍ରକ ରାସ୍ତାକଡରେ ଛିଡା ହୋଇଥିଲା । ହେଲେ କୁହୁଡି ପାଇଁ ବସ୍ ଡ୍ରାଇଭର ଆଗରେ ଟ୍ରକ ଥିବା ଜାଣିନପାରି ପଛପଟୁ ଜୋରରେ ଧକ୍କା ଦେଇଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍ ସାମ୍ନାପଟ ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଛି । ଏଥିରେ ଘଟଣାସ୍ଥଳରେ ୪ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: ନେପାଳରେ ବସ୍ ଦୁର୍ଘଟଣାରେ 12 ମୃତ, 2 ଭାରତୀୟ
ଏହା ମଧ୍ୟ ପଢନ୍ତୁ: କାମାକ୍ଷାନଗରରେ ୨ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ ଓ ଜଣେ ଗୁରୁତର
ଏହା ଦେଖି ଆଖପାଖର ଲୋକେ ସଙ୍ଗେ ସଙ୍ଗେ ଦୁର୍ଘଟଣାସ୍ଥଳକୁ ଦୌଡି ଯାଇଥିଲେ । ବସ୍ ଭିତରୁ ପୋଲିସ କର୍ମଚାରୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ଖବର ପାଇ ସ୍ଥାନୀୟ ପୋଲିସ ମଧ୍ୟ ସେଠାରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଛି । ଆହତ ପୋଲିସ କର୍ମଚାରୀଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ପୋଲିସ କର୍ମଚାରୀମାନଙ୍କ ଏପରି ଦୁଃଖଦ ମୃତ୍ୟୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।
ଏହା ମଧ୍ୟ ପଢନ୍ତୁ : ନୃଶଂସ ସ୍ବାମୀ: ସ୍ତ୍ରୀକୁ ହତ୍ୟା କରି ଖଣ୍ଡ ଖଣ୍ଡ କରି ନାଳକୁ ଫିଙ୍ଗିଲା
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ