ହାଇଦ୍ରାବାଦ: ଉତ୍ତର ପ୍ରଦେଶ ରାୟବରେଲୀରେ ଘନ କୁହୁଡି ଯୋଗୁ ଏକ ହାଇଓ୍ବା ଜାତୀୟ ରାଜପଥ କଡରେ ଥିବା ଏକ ଦୋକାନରେ ମାଡିଯିବାରୁ 6 ଜଣଙ୍କ ପ୍ରାଣହାନୀ ଘଟିଛି । ଗତକାଲି (ମଙ୍ଗଳବାର) ସକାଳେ ଗୁରୁବାଗଶଗଞ୍ଜ ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଘନ କୁହୁଡିରେ ରାସ୍ତା ଦେଖାଯାଉନଥିବାରୁ ଖାଗିୟା ଖେଡା ଗ୍ରାମ ନିକଟରେ ଜାତୀୟ ରାଜପଥ କଡରେ ଥିବା ଏକ ଚା’ ଦୋକାନ ଉପରେ ଏହି ହାଇଓ୍ବାଟି ମାଡି ଯାଇଥିଲା ।
ଦୋକାନରେ 10ରୁ ଅଧିକ ଲୋକ ଥିବା ବେଳେ 6 ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଛି । କିଛି ଲୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କିଛି ହସ୍ପିଟାଲ ନେବା ବାଟରେ ଆଖି ବୁଜିଛନ୍ତି । ଘନ କୁହୁଡି କାରଣରୁ ରାସ୍ତା ଦେଖାଯାଉନଥିଲା ହାଇଓ୍ବା ଡ୍ରାଇଭର ରାସ୍ତା ନଦେଖିପାରି ଦୋକାନ ଭିତରେ ଗାଡି ମଡାଇ ଦେଇଥିଲା । ତେବେ ଅନ୍ୟ 4ଜଣ ମଧ୍ୟ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସମସ୍ତ ମୃତାହତ ଗୋଟିଏ ଗ୍ରାମର ବୋଲି ଜଣାପଡିଛି ।
ଘଟଣା ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆହତଙ୍କୁ ହସ୍ପିଟାଲ ପଠାଇବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଦୁର୍ଘଟଣା ସମ୍ପର୍କରେ ଜଣାପଡିବା ପରେ ହଜାର ହଜାର ଗ୍ରାମବାସୀ ରାସ୍ତା ଅବରୋଧ କରି ଅନୁକମ୍ପା ରାଶି ଦାବି କରିଥିଲେ । ଉକ୍ତ ଜାତୀୟ ରାଜପଥରେ ଗାଡି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା । ଦୁର୍ଘଟଣା ଘଟାଇଥିବା ହାଇଓ୍ବାକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି ସ୍ଥାନୀୟ ପୋଲିସ । ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ଅନୁକମ୍ପା ରାଶି ଘୋଷଣା ପରେ ଉତ୍ତେଜନା ହ୍ରାସ ପାଇଥିଲା ।
ତେବେ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶୀତ ଲହରୀ ସାଙ୍ଗକୁ ପ୍ରବଳ କୁହୁଡି ଦେଖାଯାଉଛି । ଫଳରେ ଲୋ-ଭିଜିବିଲିଟି କାରଣରୁ ରାସ୍ତାଘାଟ ଦେଖାଯାଉନଥିବା ବେଳେ ଯାତାୟତ ମଧ୍ୟ ବେଶ ପ୍ରଭାବିତ ହୋଇଛି । ନିକଟରେ ଘନ କୁହୁଡି କାରଣରୁ ରାଜଧାନୀ ଦିଲ୍ଲୀରେ ରେଳ ଓ ବିମାନ ସେବାରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ସେହିପରି ଯମୁନା ଏକ୍ସପ୍ରେସ-ଓ୍ବେରେ ମଧ୍ୟ ଏକାଧିକ ଦୁର୍ଘଟଣା ଘଟି ଗୋଟିଏ ଦିନରେ ପ୍ରାୟ 8ଜଣ ଆହତ ହୋଇଥିଲେ । ସେହିପରି ଉତ୍ତର ପ୍ରଦେଶ, ହରିୟାଣା ଓ ପଞ୍ଜାବରେ ମଧ୍ୟ ଘନ କୁହୁଡି ସ୍ଥିତି ଦେଖାଯାଉଛି । ଯେଉଁଥିରେ ଦୁର୍ଘଟଣା ଘଟିବାର ଯଥେଷ୍ଟ ଆଶଙ୍କା ରହୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ