ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟଟୋ-କାର ମୁହାଁମୁହିଁ ଧକ୍କା ହୋଇଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଥିବା ସୂଚନା । ଗତକାଲି(ମଙ୍ଗଳବାର) ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରେ ଏହି ଦୁର୍ଘଟଣା ହୋଇଥିଲା । ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଦୁଇଜଣ ଆଖି ବୁଜିଛନ୍ତି । ମୃତକଙ୍କ ମଧ୍ୟରେ କିଛି ଜଣ ଛୁଆ ରହିଥିବା ମଧ୍ୟ ଜଣାପଡିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲର ଭର୍ତ୍ତି କରାଯାଇଛି ।
ସୂଚନାଅନୁସାରେ, ଲକ୍ଷ୍ନୌ-ହରଦୋଇ ହାଇଓ୍ବେରେ ଏହି ଦୁର୍ଘଟଣା ହୋଇଥିଲା । ଏକ ଓ୍ବାଗନର କାରଟି ଲକ୍ଷ୍ନୌରୁ ହରଦୋଇ ଯାଉଥିବା ବେଳେ ସାମ୍ନାରୁ ହରଦୋଇ ଏକ ଇରିକ୍ସା ବା ଟଟୋ ଆସୁଥିଲା । ତେବେ କାରର ବେଗ ଅଧିକ ରହିଥିବା ଯୋଗୁଁ ଦୁଇଜଣଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ତେବେ ଦୁର୍ଘଟଣା ପରେ ପ୍ରବଳ ଭିଡ ଜମିଥିଲା । ଲୋକେ ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରି ଆହତ ଏବଂ ମୃତକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା ।
ଏହା ମଧ୍ୟ ପଢନ୍ତୁ: ପାୱାର କଟ୍ରୁ ଅତିଷ୍ଠ ଯୁବକ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କୁ ଉଡ଼ାଇଦେବାକୁ ଧମକ
ଏନେଇ ହରଦୋଇ ଏସପି ରାଜେଶ ଦ୍ବିବେଦୀ କହିଛନ୍ତି, "ଦୁର୍ଘଟଣା ଅତି ଭୟଙ୍କର ଥିଲା । ଜଣେ ପୁରୁଷ, ଜଣେ ମହିଳାଙ୍କ ସହ ଏକ ଶିଶୁର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ତେବେ ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଓ୍ବାଗନର କାରର ଡ୍ରାଇଭର ମଧ୍ୟ ରହିଛନ୍ତି । ଅନ୍ୟପଟେ ଆଉ ୫ଜଣଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି । ସେମାନଙ୍କୁ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା କରାଯାଉଛି ।" ତେବେ ମୃତକମାନଙ୍କୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ହସ୍ପିଟାଲ ପଠାଇଥିବା ବେଳେ କାର ଏବଂ ଟଟୋ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।
ପ୍ରକାଶଥାଉକି, ଫତେପୁରରେ ମଧ୍ୟ ଗତକାଲି(ମଙ୍ଗଳବାର) ଦୁର୍ଘଟଣା ହୋଇଥିଲା । ଘଟଣାସ୍ଥଳରେ ହିଁ ୩ଜଣ ପ୍ରାଣ ହରାଇଥିବା ବେଳେ ୫ରୁ ଅଧିକ ଆହତ ହୋଇଥିଲେ । କାର ଏବଂ କଣ୍ଟେନର ମଧ୍ୟରେ ଧକ୍କା ହୋଇଥିଲା । ମଙ୍ଗଳବାର ଭୋର ୪ଟା ସମୟରେ ଏହି ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ପରେ ଖବର ପାଇ ପୋଲିସ ଖବର ପାଇ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ