ହାଇଦ୍ରାବାଦ: ମୋଦି ସରକାରଙ୍କ ବହୁଚର୍ଚ୍ଚିତ ‘ବିମୁଦ୍ରୀକରଣ’ ବା ‘ନୋଟବନ୍ଦୀ’କୁ ଆଜି 7 ବର୍ଷ ପୁରିଛି । 2016 ମସିହା ଆଜିର ଦିନରେ ମୋଦି ସରକାର ଏହି ବଡ ନିଷ୍ପତ୍ତି ନେଇଥିଲେ । ରାତି 8 ଟାରେ ପ୍ରଧାନମନ୍ତ୍ରୀଙ୍କ ଅଚାନକ ସମ୍ବୋଧନ ସହ ବଜାର ଓ ବ୍ୟାକିଂ ସିଷ୍ଟମରୁ ବାଦ ପଡିଥିଲା 5 ଶହ ଓ ଏକ ହଜାର ଟଙ୍କିଆ ନୋଟ । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ସାରା ଦେଶକୁ ଚମକାଇ ଦେଇଥିଲା । ଲୋକଙ୍କ ପାଇଁ ବ୍ୟାଙ୍କରେ 5ଶହ ଓ ଏକ ହଜାର ଟଙ୍କିଆ ନୋଟ ବଦଳାଇବାର ସୁଯୋଗ ରଖାଯାଇଥିଲେ ସୁଦ୍ଧା ଏହି ପ୍ରକ୍ରିୟା ଏତେ ସହଜ ହୋଇନଥିଲା । ଏହା ପରେ ପ୍ରଚଳିତ ହୋଇଥିଲା 2 ହଜାର ଟଙ୍କିଆ ନୋଟ । ଅବଶ୍ୟ ଏହାକୁ ମଧ୍ୟ ଚଳିତ ବର୍ଷ ପ୍ରଚଳନରୁ ବାଦ ଦିଆଯାଇଛି ।
2014ରେ କେନ୍ଦ୍ରରେ କ୍ଷମତାକୁ ଆସିବାର 2 ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଘୋଷଣା ପରେ ସାରା ଦେଶରୁ ଭିନ୍ନ ଭିନ୍ନ ଚିତ୍ର ଓ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ମୋଦି ନେତୃତ୍ବାଧୀନ ଭାରତୀୟ ଜନତା ପାର୍ଟି ସରକାର ଏହାକୁ ଐତିହାସିକ ଅର୍ଥନୈତିକ ସଂସ୍କାରମୂଳକ ପଦକ୍ଷେପ କହୁଥିବା ବେଳେ ବିରୋଧୀ ଏହାକୁ ଏକ ଭୁଲ ନିଷ୍ପତ୍ତି ଓ ଏହା ଦେଶର ଅର୍ଥନୀତିକୁ ପଛକୁ ନେଇଯାଇଥିବା ଅଭିଯୋଗ କରିଆସିଛନ୍ତିି । ତେବେ ଏହି ନିଷ୍ପତ୍ତିକୁ ଆଜି 7 ବର୍ଷ ପୂରଣ ହୋଇଥିବା ବେଳେ, ଏବେ ମଧ୍ୟ ଏହା କୌଣସି ଏକ ନିଷ୍କର୍ସ ପରିବର୍ତ୍ତେ ଏକ ଗମ୍ଭୀର ବିତର୍କର ପ୍ରସଙ୍ଗ ହୋଇ ରହିଛି ।
2016 ନଭେମ୍ବର 8 ତାରିଖ ରାତି 8 ଟା: -
ଏହି ଦିନ ରାତି 8ରେ ପ୍ରଧାନମନ୍ତ୍ରୀ ଦୂରଦର୍ଶନ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିଥିଲେ । ତତ୍କାଳୀନ ଅର୍ଥବ୍ୟବସ୍ଥା ଓ ବଜାରରୁ 5 ଶହ ଓ ଏକ ହଜାର ଟଙ୍କିଆ ନୋଟକୁ ପ୍ରଚଳନରୁ ବାଦ ଦିଆଯାଉଥିବା ଘୋଷଣା କରିଥିଲେ । କୌଣସି ପୂର୍ବ ଅନୁମାନ କିମ୍ବା ପୂର୍ବ ସୂଚନା ନଥିବା ପ୍ରଧାନମନ୍ତ୍ରୀଙ୍କ ଏହି ଅଚାନକ ଘୋଷଣା ଅନେକଙ୍କୁ ସମସ୍ୟାରେ ପକାଇଥିଲା । ଏହି ଖବର ଗଣମାଧ୍ୟମରେ ଶିରୋନାମା ପାଲଟିଥିବା ବେଳେ ଆଲୋଚନା ପର୍ଯ୍ୟାଲୋଚନା, ବିତର୍କ ଓ ବିଶ୍ଳେଷଣ ମଧ୍ୟ ଆରମ୍ଭ ହୋଇଯାଇଥିଲା ।
କଣ ଥିଲା ସରକାରଙ୍କ ଯୁକ୍ତି:-
ଦେଶରେ ଭ୍ରଷ୍ଟାଚାର, ଦୁର୍ନୀତି, କଳାଧନ ରୋକିବା, ଆତଙ୍କୀ ପାଣ୍ଠି ମାମଲା ପରି ଗମ୍ଭୀର ଘଟଣାକୁ ରୋକିବା ସହ ଡିଜିଟାଲ ପେମେଣ୍ଟ ସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ଏହା ଏକ ଐତିହାସିକ ପଦକ୍ଷେପ ବୋଲି କହିଥିଲେ ମୋଦି ସରକାର । ଏହି ନିଷ୍ପତ୍ତି ଫଳରେ ଅର୍ଥବ୍ୟବସ୍ଥାରେ ସ୍ବଚ୍ଛତା ଆସିବା ନେଇ ସରକାର କହିଥିଲେ । ମାତ୍ର ବିରୋଧୀ ଏହାକୁ ଶାଣିତ ଟାର୍ଗେଟ କରିଥିଲେ । ଏହା ଭାରତୀୟ ଅର୍ଥନୀତି ଉପରେ ଯୋଜନାବଦ୍ଧ ବା ସଂଘଠିତ ଆକ୍ରମଣ ବୋଲି କହିଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରରୁ ଅର୍ଥମନ୍ତ୍ରୀ ଓ ପରେ 2 ଥର ପ୍ରଧାନମନ୍ତ୍ରୀ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂ ମଧ୍ଯ ନିଷ୍ପତ୍ତିକୁ ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ ବୋଲି କହିଥିଲେ ।
ଏହା ପରେ ବିଭିନ୍ନ ବ୍ୟାଙ୍କ ଓ ଏଟିଏମ ସମ୍ମୁଖରେ ଟଙ୍କା ବଦଳାଇବା ପାଇଁ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ବହୁ ଅବ୍ୟବସ୍ଥା ମଧ୍ୟ ସାମ୍ନାକୁ ଆସିଥିଲା । କିଛି ସ୍ଥାନରେ ସ୍ବାଭାବିକ ପରିମାଣର ଟଙ୍କା ଉପଲବ୍ଧ ନଥିବାରୁ ହିଂସା ଦେଖିବାକୁ ମିଳିଥିଲା । ଅବ୍ୟବସ୍ଥା କାରଣରୁ ସାରା ଦେଶରେ ପ୍ରାୟ 105 ଜଣଙ୍କ ମୃତ୍ୟୁ ହୋଇଥିବା ମଧ୍ୟ କୁହାଯାଏ ।
ବେକାର ହୋଇଥିଲେ 15 ଲକ୍ଷ !
ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମିକ(CMIE) ର ଏକ ଅନୁଧ୍ୟାନ ରିପୋର୍ଟ ଅନୁସାରେ, ଏହି ନିଷ୍ପତ୍ତି ଦେଶରେ ବେରୋଜଗାରି ବୃଦ୍ଧି କରିବାର ଅନ୍ୟ ଏକ ପ୍ରମୁଖ କାରଣ । 2017 ଜାନୁଆରୀରୁ ଅପ୍ରିଲ ମଧ୍ୟରେ ସମଗ୍ର ଦେଶରେ କରାଯାଇଥିବା ଅନୁଧ୍ୟାନରେ ପ୍ରାୟ 15 ଲକ୍ଷ ଲୋକେ ନିଯୁକ୍ତି ହରାଇଥିବା ଜଣାପଡେ । ବିଶେଷ ଭାବେ କ୍ଷୁଦ୍ର ବ୍ୟବସାୟୀ ଏଥିରେ ଗଭୀର ପ୍ରଭାବିତ ହୋଇଥିଲେ । ଏହି ରିପୋର୍ଟ ମୋଦି ସରକାରଙ୍କୁ ସମାଲୋଚନା କରିବା ପାଇଁ ବିରୋଧୀଙ୍କୁ ଆଉ ଏକ ଅବସର ଦେଇଥିଲା ।
ଏହା ମଧ୍ୟ ପଢନ୍ତୁ :- ତୃତୀୟ କାର୍ଯ୍ୟକାଳରେ ବିଶ୍ବର 3ୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବ ଭାରତ: ମୋଦି
ତେବେ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁସାରେ, ବିମୁଦ୍ରୀକରଣ ନିଷ୍ପତ୍ତିରୁ ଚଳିତ ବର୍ଷ ପର୍ଯ୍ୟନ୍ତ ଗତ 7 ବର୍ଷରେ ମୋଟ 245.33 କୋଟି ଜାଲ ନୋଟ ଜବତ କରାଯାଇଛି । ସବିଶେଷ ତଥ୍ୟ ଅନୁସାରେ, ସେହିବର୍ଷ (2016) ରେ 15.92 କୋଟି, 2017 ରେ 55.71 କୋଟି, 2018 ରେ26.35 କୋଟି, 2019 ରେ 34.79 କୋଟି, 2020 ରେ 92.17 କୋଟି, 2021 ରେ15 କୋଟି, 2021 ରେ 20.39 କୋଟି ଟଙ୍କା ବିଭିନ୍ନ ସରକାରୀ ଏଜେନ୍ସି ଦ୍ବାରା ଜବତ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ