ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ନେଇ ଦେଶରେ ଉତ୍ତେଜନା ସ୍ଥିତି ଲାଗି ରହିଥିବାବେଳେ ଆଜି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବେ 3 ସେନାମୁଖ୍ୟ । ତିନି ସେନା ସ୍ଥଳସେନା, ବାୟୁସେନା ଓ ନୌସେନାର ମୁଖ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବେ । ଅଗ୍ନିପଥ ଯୋଜନା ଅଧୀନରେ ତିନି ସେନାରେ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ଯୋଜନା ନେଇ ରହିଥିବା ବିବାଦ ଓ ସାମ୍ପ୍ରତିକ ସ୍ଥିତି ନେଇ ଆସନ୍ତାକାଲିର ସାକ୍ଷାତକାରରେ ଆଲୋଚନା ହେବା ନେଇ ଆଶା କରାଯାଉଛି ।
ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତିନି ସେନା ମୁଖ୍ୟଙ୍କ ସହ ଏକାଧିକ ଥର ବୈଠକ ସାରିଛନ୍ତି । ବୈଠକ ପରେ ଅନେକ ସଂଶୋଧିତ ସର୍ତ୍ତବାଳୀ ମଧ୍ୟ ଆସିସାରିଛି । ତିନି ସେନାରେ ଅଗ୍ନିବୀରଙ୍କୁ ସଂରକ୍ଷଣ ଦେବା ନେଇ ନିଷ୍ପତ୍ତି କରିଥିଲା କେନ୍ଦ୍ର କ୍ୟାବିନେଟ୍ । ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରୀ, ସେନାର ବରିଷ୍ଠ ଅଧିକାରୀମାନେ ଆଶାୟୀ ଯୁବକଙ୍କୁ ହିଂସା ପରିତ୍ୟାଗ କରି ଯୋଜନା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ହାସଲ କରିବାକୁ ପରାମର୍ଶ ଦେବା ଜାରି ରଖିଛନ୍ତି ।
ରହିବାର ତିନିସେନା ପକ୍ଷରୁ ମିଳିତ ପ୍ରେସମିଟ୍ କରାଯାଇ ଯୋଜନାରେ ଭର୍ତ୍ତି ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବା ନେଇ ସୂଚନା ମଧ୍ୟ ଦେଇଥିଲେ । ସୋମବାର ସ୍ଥଳସେନା ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା । ଏହାରି ମଧ୍ୟରେ ଆଜି ତିନି ସେନାମୁଖ୍ୟ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ବର୍ତ୍ତମାନ ଜାରି ରହିଥିବା ସ୍ଥିତି, ନିଯୁକ୍ତି ପ୍ରକ୍ରିୟା ଓ ସଂଶୋଧିତ ନିୟମ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସେନାମୁଖ୍ୟଙ୍କ ସହ ଆଲୋଚନା କରିପାରନ୍ତି । ଏହି ଯୋଜନାରେ ଚୁକ୍ତିଭିତ୍ତିକ ନିଯୁକ୍ତିକୁ ବିରୋଧ କରୁଛନ୍ତି ସେନା ଆଶାୟୀ ପ୍ରାର୍ଥୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ