ନୂଆଦିଲ୍ଲୀ: PUBG ଗେମ ଖେଳି ହୋଇଥିଲା ପ୍ରେମ । ଆଉ ପ୍ରେମିକଙ୍କ ସହ ସଂସାର ଗଢିବା ଲାଗି ଶତ୍ରୁ ରାଷ୍ଟ୍ରକୁ ମଧ୍ୟ ଆସିବାକୁ ପଛାଇନଥିଲେ ପାକିସ୍ତାନୀ ମହିଳା । ଖାଲି ନିଜେ ଆସିନଥିଲେ, ତାଙ୍କ 4 ସନ୍ତାନ ସହ ଭାରତ ଆସି ନୋଏଡାରେ ପ୍ରେମିକଙ୍କ ସହ ରହୁଥିଲେ । ବିବାହ ପାଇଁ ଯୋଜନା କରୁଥିବା ବେଳେ ପୋଲିସ ନିକଟରେ ପହଞ୍ଚିଲା ଖବର । ପାକ୍ ଗୁପ୍ତଚର ସନ୍ଦେହରେ ପୋଲିସ ତାଙ୍କୁ ଗିରଫ କରିଛି । ହେଲେ ଆଶ୍ଚର୍ଯ୍ୟର କଥା ମାତ୍ର ପଞ୍ଚମ ପାସ କରିଥିବା ଏହି ପାକ ମହିଳା ସୀମା ଅତି ପ୍ରାଞ୍ଜଳ ଭାବେ ଇଂରାଜୀ ଭାଷା କହୁଛନ୍ତି । ଏହାସହିତ କମ୍ପ୍ୟୁଟର ପରିଚାଳନାରେ ମଧ୍ୟ ସିଦ୍ଧହସ୍ତ । ଯାହାକୁ ନେଇ ତଦନ୍ତ କରୁଛି ପୋଲିସ ।

କଣ ପୁରା ମାମଲା ?:- ପାକିସ୍ତାନର କରାଚି ଅଧିବାସୀ ସୀମା PUBG ଖେଳ ମାଧ୍ୟମରେ ତାଙ୍କ ହିନ୍ଦୁ ପ୍ରେମିକ ତଥା ରବୁପୁରା ଅଧିବାସୀ ସଚିନଙ୍କ ସହିତ ନୋଏଡାରେ ରହୁଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା । ପୂର୍ବରୁ ଏହି 2 ଜଣ ନେପାଳରେ ପରସ୍ପରକୁ ଭେଟିଥିଲେ । ଏହାପରେ ମହିଳା ଜଣକ ଯୁବକଙ୍କ ସହିତ ରହିବା ଲାଗି ପୁଣି ଥରେ ନେପାଳ ଆସିଥିଲେ । ଏହାପରେ ସେଠାରୁ ବସ ଯୋଗେ ଉତ୍ତରପ୍ରଦେଶ ଗୌତମବୁଦ୍ଧ ନଗର ଅଞ୍ଚଳରେ ପହଞ୍ଚିଥିଲେ । ସେ ନିଜ ସାଥୀରେ 4ସନ୍ତାନଙ୍କୁ ଧରି ଆଣିଥିଲେ । ଗତ ମେ' 13 ତାରିଖରେ ମହିଳା ଜଣକ ସଚିନଙ୍କ ଘରେ ପହଞ୍ଚିଥିଲେ । ଏହାପରେ ସଚିନ ଭଡ଼ା ଘର ନେବା ପରେ ଉଭୟ ସାଥୀରେ ରହି ଆସୁଥିଲେ । ସଚିନ ତାଙ୍କୁ ବିବାହ କରିବାକୁ ଯୋଜନା କରୁଥିବା ବେଳେ ଭାରତର ନାଗରିକତାର ମାନ୍ୟତା ପାଇଁ ଚେଷ୍ଟା କରୁଥିଲେ । ହେଲେ ଏହା ପୂର୍ବରୁ ପୋଲିସ ମହିଳାଙ୍କ ସମ୍ପର୍କରେ ଜାଣିବାକୁ ପାଇବା ପରେ ସଚିନ ଓ ମହିଳା ନିଜ 4 ସନ୍ତାନ ସହିତ ଫେରାର ହୋଇଯାଇଥିଲେ । ହେଲେ ପୋଲିସ ସେମାନଙ୍କୁ ଗିରଫ କରିଛି ।
ଏହା ବି ପଢନ୍ତୁ- Pak Woman in Greater Noida: ବୟଫ୍ରେଣ୍ତ ସନ୍ଧାନରେ 4 ସନ୍ତାନ ସହ ନୋଏଡାରେ ପାକ୍ ମହିଳା
ସଚିନଙ୍କ ପଡ଼ୋଶୀଙ୍କ କହିବା ଅନୁସାରେ ଏହି ମହିଳା ଜଣକ ଇଦ ପର୍ବ ମଧ୍ୟ ପାଳିଥିଲେ । ହେଲେ ଯେପରି କାହାର ସନ୍ଦେହ ଜାତ ନ ହେବ ସେଥିଲାଗି ହିନ୍ଦୁ ମହିଳାଙ୍କ ପରି ଶାଢୀ ପିନ୍ଧୁଥିଲେ । ସେ ନିଜ ସନ୍ତାନ ଓ ସଚିନଙ୍କ ସହିତ ଇଦ ପର୍ବ ପାଳନ କରିଥିଲେ । ଏହି ମହିଳାଙ୍କ ପୁରା ନାମ ସୀମା ଗୁଲାମ ହୈଦର । ତାଙ୍କ ପ୍ରଥମ ସ୍ବାମୀଙ୍କଠାରୁ ଗୋଟିଏ ପୁଅ ଓ 3 ଝିଅଙ୍କୁ ମିଶାଇ 4 ସନ୍ତାନ ହୋଇଥିବା ବେଳେ ସେମାନଙ୍କ ନାମ ଫରହାନ ଅଲ୍ଲି, ଫରବା, ଫରିହା ଓ ଫରାହ ବୋଲି ଜଣାପଡ଼ିଛି । ମହିଳାଙ୍କ ଜଣେ ଭାଇ ପାକିସ୍ତାନୀ ସେନାରେ ଥିବା ପୋଲିସ ଜାଣିବାକୁ ପାଇଛି । ଏଣୁ ସେ ପାକ ଗୁପ୍ତଚର ହୋଇପାରନ୍ତି ବୋଲି ସନ୍ଦେହ କରାଯାଉଛି ।
ପାକିସ୍ତାନୀ ଗୁପ୍ତଚର ସନ୍ଦେହ ?:- ପୋଲିସ ମହିଳାଙ୍କୁ ଗିରଫ କରିବା ପରେ ପଚରାଉଚରା କରିଥିଲା । ଏହାପରେ ପୋଲିସର ସନ୍ଦେହ ବଢିବାରେ ଲାଗିଛି । ମହିଳା ଜଣକ ପରିବାର ସଦସ୍ୟଙ୍କ ଯେଉଁ ଫୋନ ନମ୍ବର ଦେଇଥିଲେ ତାହାକୁ ପୋଲିସ ଯୋଗାଯୋଗ କରୁଥିବା ବେଳେ ଏହା ସ୍ବିଚଅଫ ରହିଛି । ଆଉ ଯେତେବେଳେ ମହିଳାଙ୍କୁ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ପଚରାଯାଇଥିଲା ସେତେବେଳେ ସେ ପଞ୍ଚମ ପାସ ବୋଲି କହିଥିଲେ । ହେଲେ ମହିଳା ଜଣକ ହିନ୍ଦୀ, ଇଂରାଜୀ କହିବା ସହିତ କମ୍ପ୍ୟୁଟର ପରିଚାଳନାରେ ଏକ୍ସପର୍ଟ ଥିବା ଜଣାପଡ଼ିଛି । ଏ ନେଇ ଗ୍ରେଟର ନୋଏଡା ଅତିରିକ୍ତ ଡିସିପି ଅଶୋକ କୁମାର ସିଂ କହିଛନ୍ତି ଯେ ମହିଳାଙ୍କଠାରୁ କିଛି କାଗଜପତ୍ର ଓ ମୋବାଇଲ ଫୋନ ଜବତ କରିଛି ।