ହାଇଦ୍ରାବାଦ: ସ୍ପୁଟନିକ-ଭିର ଦ୍ବିତୀୟ ବ୍ୟାଚ ଆଜି( ରବିବାର) ହାଇଦ୍ରାବାଦରେ ପହଞ୍ଚିଛି । ଭାରତରେ ଥିବା ରୁଷିଆର ରାଷ୍ଟ୍ରଦୂତ ନିକୋଲଏ କୁଦାଶେଭ୍ ଏହାକୁ ଅନ୍ତର୍ଜାତୀୟ ସହଭାଗିତା ବୋଲି କହିଛନ୍ତି । ମହାମାରୀ ବିରୋଧ ଲଢେଇରେ ଭାରତ ଓ ରୁଷ ଏକାଠି ଲଢେଇ କରୁଛନ୍ତି ବୋଲି ସେ ମତ ରଖିଛନ୍ତି । ସେ ଏହାମଧ୍ୟ କହିଛନ୍ତି ଯେ, ଆମ ଦ୍ବିପାକ୍ଷିକ ସମ୍ପର୍କର ଏହା ଏକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ।
ବିଶ୍ବର ସର୍ବବୃହତ କୋଭିଡ-19 ଟୀକାକରଣ ଅଭିଯାନରେ ଭାରତରେ ବ୍ୟବହୃତ ହେଉଥିବା ସ୍ପଟନିକ୍ -ଭି ପ୍ରଥମ ବିଦେଶୀ ନିର୍ମିତ ଟିକା । ହାଇଦ୍ରାବାଦରେ ସ୍ପୁଟନିକ୍-ଭି ଟୀକାକରଣ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିଲା । ତେବେ ପ୍ରଥମ ବ୍ୟାଚ୍ ଟିକା ଭାରତରେ 1 ମେ 2021 ରେ ପହଞ୍ଚିଥିଲା। ଉତ୍ପାଦନ କ୍ଷମତା ପ୍ରସଙ୍ଗରେ ରୁଷ ଦୂତ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଆଶା କରୁଛୁ ଭାରତରେ ଏହାର ଉତ୍ପାଦନ ବର୍ଷକୁ ଧୀରେ ଧୀରେ 850 ନିୟୁତ ଡୋଜକୁ ବୃଦ୍ଧି ପାଇବ।
ମହାମାରୀକୁ ରୋକିବା ପାଇଁ ଭାରତ ସହିତ ଆମର ଦ୍ବିପାକ୍ଷିକ ଏବଂ ବହୁପକ୍ଷୀୟ ସହଯୋଗକୁ ଆହୁରି ବିସ୍ତାର ହେବ । ସେ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ ଖୁବ୍ ଶୀଘ୍ର ଭାରତରେ ସ୍ପୁଟନିକ୍- ଲାଇଟ୍ ନାମକ ଟିକା ଆରମ୍ଭ କରିବାକୁ ଯୋଜନା ରହିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ