ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଭୟଙ୍କର ରୂପ ନେବାରେ ଲାଗିଛି ପ୍ରଦୂଷଣ । ପ୍ରଦୂଷଣ କାରଣରୁ ଦିଲ୍ଲୀର ସମସ୍ତ ବିଦ୍ୟାଳୟ ସୋମବାର ଠାରୁ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ବନ୍ଦ ରହିବ। ସହରରେ ପ୍ରଦୂଷଣ ସ୍ତର ଭୟାନକ ଭାବେ ବୃଦ୍ଧି ପାଉଥିବାରୁ ଏହି ନିଷ୍ପତ୍ତି ନେଇଛି ଦିଲ୍ଲୀ ସରକାର । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରଦୂଷଣ ସମୀକ୍ଷା ବୈଠକରେ ସ୍କୁଲ ବନ୍ଦ ନେଇ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।
ପ୍ରଦୂଷଣ ସଙ୍କଟ ଓ ମୁକାବିଲାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ଶେଷ ହୋଇଛି । ଦିଲ୍ଲୀର ସରକାରୀ ସମସ୍ତ ସରକାରୀ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଆସନ୍ତା ଏକ ସପ୍ତାହ ପାଇଁ ଅଫିସ ଆସିବା ପରିବର୍ତ୍ତେ ଓ୍ବାର୍କ-ଫର୍ମ-ହୋମ କରିବେ । ସେହିପରି ଆସନ୍ତା 14 ତାରିଖରୁ-17 ତାରିଖ ଯାଏ ସହରରେ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ । ପ୍ରଦୂଷଣକୁ ରୋକିବାକୁ ଆବଶ୍ୟକ ପଡିଲେ ଲକଡାଉନ୍ ମଧ୍ୟ ଜାରି ହେବ । ତେବେ ଲକଡାଉନ କିପରି କାର୍ଯ୍ୟକାରୀ କରାଯିବ ସେନେଇ କୋର୍ଟଙ୍କ ସମ୍ମୁଖରେ ଏକ ପ୍ରସ୍ତାବ ରଖିବେ ଦିଲ୍ଲୀ ସରକାର । ଗତ କିଛିଦିନ ମଧ୍ୟରେ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ