ନୂଆଦିଲ୍ଲୀ: 2002 ଗୁଜୁରାଟ ଗୋଧ୍ରା ଦଙ୍ଗା ମାମଲାରେ ସାମାଜିକ କାର୍ଯ୍ୟକର୍ତ୍ତା ତିସ୍ତା ସେତଲଓ୍ବାଦଙ୍କୁ ନିୟମିତ ଜାମିନ ମଞ୍ଜୁର କରିଛନ୍ତି ସର୍ବୋଚ୍ଚ କୋର୍ଟ । ଏହି ମାମଲାରେ ତିସ୍ତାଙ୍କୁ ହେପାଜତକୁ ନେବାର କୌଣସି ଆବଶ୍ୟକତା ନଥିବା କହିବା ସହ ସର୍ବୋଚ୍ଚ କୋର୍ଟ ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିଦେଇଛନ୍ତି । ତିସ୍ତାଙ୍କ ଜାମିନକୁ ଆଜି ଗୁଜୁରାଟ ସରକାରଙ୍କ ପକ୍ଷରୁ ବିରୋଧ କରାଯାଇଥିଲା । ତିସ୍ତା ଦଙ୍ଗା ସମ୍ପର୍କରେ ଏକାଧିକ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସମେତ ବହୁ ଲୋକଙ୍କୁ ଦଙ୍ଗା ପୀଡିତ ଭାବେ ଦର୍ଶାଇ ସେମାନଙ୍କ ଜରିଆରେ ମିଥ୍ଯା ମାମଲା ଦାଏର କରିଥିବା କହିଥିଲେ ଗୁଜୁରାଟ ସରକାର ।
ଏହି ମାମଲାରେ ତଦନ୍ତ ହୋଇ ଚାର୍ଜସିଟ ଦାଖଲ ହୋଇସାରିଛି ଓ ତିସ୍ତାଙ୍କୁ ବର୍ତ୍ତାମାନ ହେପାଜତକୁ ପଠାଇବାର କୌଣସି ଆବଶ୍ୟକତା ନଥିବା ସୁପ୍ରିମ କୋର୍ଟ କହିବା ସହ ତାଙ୍କୁ ନିୟମିତ ବେଲ ପ୍ରଦାନ କରିଛନ୍ତି । ପୂର୍ବରୁ ଗିରଫ ହୋଇ ଗତ ବର୍ଷ ସେପ୍ଟେମ୍ବରରୁ ଅନ୍ତରୀଣ ବେଲରେ ଥିବା ତିସ୍ତା ପରେ ଏକାଧିକ ଥର ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ମିଳିଥିଲା । ହେଲେ ହାଇକୋର୍ଟ ତାଙ୍କୁ ନିୟମିତ ଜାମିନ ପ୍ରଦାନ କରିବା ପାଇଁ ମନା କରିବା ପରେ ତାଙ୍କ ଗିରଫଦାରି ଆଶଙ୍କା ବଢିଥିଲା । ଯାହାକୁ ନେଇ ତିସ୍ତା ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ଏବେ ତାଙ୍କୁ ନିୟମିତ ବେଲ ମିଳିବା ପରେ ତାଙ୍କ ଗିରଫଦାରି ଉପରେ ଆଶଙ୍କା ହଟିଛି ।
ଆଜି ଏହି ବହୁଚର୍ଚ୍ଚିତ ମାମଲାର ଶୁଣାଣି ଜଷ୍ଟିସ ବି.ଆର ଗାଭାଇ, ଦୀପଙ୍କର ଦତ୍ତ ଓ ଏ.ଏସ ବୋପାନ୍ନାଙ୍କୁ ନେଇ ଗଠିତ 3ଜଣିଆ ଖଣ୍ଡପୀଠ କରିଥିଲେ । କୋର୍ଟ ଅନୁଭବ କରିଥିଲେ ଯେ, ମାମଲାରେ ଅଧିକାଂଶ ପ୍ରମାଣ ନଥିପତ୍ର ପ୍ରମାଣ ସମ୍ପର୍କିତ ଓ ଏହା ତଦନ୍ତକାରୀ ସଂସ୍ଥା ପାଖରେ ପୂର୍ବରୁ ରହିଛି । ଏହି ମାମଲାରେ ଚାର୍ଜସିଟ ମଧ୍ୟ ଦାଖଲ ହୋଇସାରିଛି । ହେପାଜତରେ ତାଙ୍କୁ ପୂର୍ବରୁ ଜେରା ମଧ୍ୟ କରାଯାଇ ସାରିଛି । ଏହିପରି ସ୍ଥିତିରେ ପ୍ରାମାଣ ନଷ୍ଟ କରିବା କିମ୍ବା ତଦନ୍ତ ପ୍ରଭାବିତ ହେବାର ଆଶଙ୍କା ମଧ୍ୟ ନାହିଁ । ଏପରି ସ୍ଥିତିରେ ଅଭିଯୁକ୍ତଙ୍କୁ ହେପାଜତକୁ ନେବାର କୌଣସି ଆବଶ୍ୟକତା ମଧ୍ୟ ନାହିଁ । ତେଣୁ ତିସ୍ତାଙ୍କୁ ନିୟମିତ ବେଲ ପ୍ରଦାନ କରାଯାଉଥିବା କୋର୍ଟ କହିଥିଲେ ।
ତେବେ ପୂର୍ବରୁ ଗୁଜୁରାଟ ହାଇକୋର୍ଟରେ ବେଲ ଆବେଦନ କରିଥିଲେ ତିସ୍ତା । ହାଇକୋର୍ଟ ତାଙ୍କ ବେଲ ଆବେଦନକୁ ଖାରଜ କରିଦେଇଥିଲେ । ତିସ୍ତା ହାଇକୋର୍ଟଙ୍କ ରାୟକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ସର୍ବୋଚ୍ଚ କୋର୍ଟରେ ପ୍ରଥମେ ଦୁଇଜଣିଆ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠରେ ମାମଲାର ରାୟ ପ୍ରକାଶ ନପାଇପାରିବାରୁ ଏହାକୁ 3ଜଣିଆ ଖଣ୍ଡପୀଠକୁ ହସ୍ତାନ୍ତର କରାଯାଇଥିଲା । ଆଜି ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିବା ସହ ତାଙ୍କୁ ବେଲ ପ୍ରଦାନ କରିଛନ୍ତି ତିନିଜଣିଆ ଖଣ୍ଡପୀଠ । ତିସ୍ତାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ପକ୍ଷ ରଖିଥିଲେ ।
ଗତବର୍ଷ (2022) ରେ ତିସ୍ତା ସେତଲଓ୍ବାଦଙ୍କ ସମେତ ଗୁଜୁରାଟ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଆର.ବି ଶ୍ରୀକୁମାର ଓ ପୂର୍ବତନ ଆଇପିଏସ ଅଧିକାରୀ ସଞ୍ଜୀବ ଭଟ୍ଟଙ୍କୁ ଗିରଫ କରାଯାଇଥିଲା । ଗୁଜୁରାଟ ଦଙ୍ଗାରେ ପ୍ରାଣ ହରାଇଥିବା ତତ୍କାଳୀନ କଂଗ୍ରେସ ସାଂସଦ ଇଶାନ ଜାଫରୀଙ୍କ ପତ୍ନୀ ଜାକିଆ ଜାଫରୀଙ୍କ ଦ୍ବାରା ହୋଇଥିବା ଆବେଦନକୁ ଖାରଜ କରିଦେବା ସହ ଏହି ମାମଲାରେ ଏମାନଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ପରେ ତିସ୍ତା ଅନ୍ତରୀଣ ଜାମିନରେ ଜେଲରୁ ମୁକ୍ତ ହୋଇଥିଲେ ।
2002 ରେ ଗୁଜୁରାଟ ଗୋଧ୍ରାରେ ସାବରମତି ଏକ୍ସପ୍ରେସ ପୋଡି କାଣ୍ଡରେ 59 କରସେବକଙ୍କ ହତ୍ୟା ହେବା ପରେ ସମଗ୍ର ଗୁଜୁରାଟରେ ଦଙ୍ଗା ଦେଖାଯାଇଥିଲା । ଏଥିରେ ପ୍ରାୟ ଏକ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ମୃତକଙ୍କ ମଧ୍ୟରେ ଅଧିକାଂଶ ମୁସଲିମ୍ ସମ୍ପ୍ରଦାୟର ଥିଲେ । ଏହି ମାମଲାରେ ଏକାଧିକ ଗିରଫଦାରି ହୋଇଥିଲା । ଏହି ମାମଲାରେ ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମଧ୍ୟ ମାମଲା ଦାଏର ହୋଇଥିଲା । ତିସ୍ତା ଚଳାଉଥିବା ସାମାଜିକ ସଂଗଠନ ତତ୍କାଳୀନ ସରକାରଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ଓ ମିଥ୍ୟା ମାମଲା ଦାଏର କରିଥିବା ଅଭିଯୋଗ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ