ନୂଆଦିଲ୍ଲୀ: ଆଇପିଏସ ଅଧିକାରୀଙ୍କ ବଦଳିକୁ ନେଇ ପଶ୍ଚିମବଙ୍ଗ ସରକାର ଓ କେନ୍ଦ୍ର ମଧ୍ୟରେ ଲାଗିଥିଲା ବିବାଦ । ଏହାକୁ ନେଇ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଆବେଦନକାରୀ ଏହି ମାମଲାରେ କେନ୍ଦ୍ର ପାଖରେ ଅଧିକାର ଥିବାର ବିଷୟ ଉଠାଇଥିଲେ । ହେଲେ ଏହି ଯାଚିକାକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ ।
ପଶ୍ଚିମବଙ୍ଗରେ ଥିବା ସୁପ୍ରିମକୋର୍ଟ ଆଇନଜୀବୀ ଅବୁ ସୋହେଲଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରାଯାଇଥିଲା । ଆଇପିଏସ କ୍ୟାଡର ଆଇନ 1954ର ନିୟମ 6(1) ଉପରେ ପ୍ରଶ୍ନ ଚିହ୍ନ ଛିଡା କରି କୁହାଯାଇଥିଲା ଯେ କେନ୍ଦ୍ର ସରକାରଙ୍କ ପାଖରେ ରାଜ୍ୟ ସରକାରଙ୍କ ଦ୍ବାରା ବଦଳି ଓ ନିଯୁକ୍ତି ବିଷୟ ଉପରେ ଅଧିକ ଅଧିକାର ରହିଛି ।
ଆବେଦନକାରୀ କହିଛନ୍ତି, ରାଜ୍ୟ ସରକାରଙ୍କୁ କେନ୍ଦ୍ର ଦ୍ବାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ପ୍ରଭାବ ସହିବାକୁ ପଡେ । ଏଭଳିସ୍ଥିତିରେ ଏହି ପ୍ରକ୍ରିୟା ଉପରେ କୋର୍ଟଙ୍କୁ ଧ୍ୟାନ ଦେବାକୁ ପଡିବ । ହେଲେ ଏହି ମାମଲାରେ କୋର୍ଟ ଏଥିରେ ଦଖଲ ଦେବାକୁ ମନାକରି ଯାଚିକାକୁ ରଦ୍ଧ କରିଦେଇଛନ୍ତି ।
ବିଜେପି ରାଷ୍ଟ୍ରୀୟ ଜେପି ନଡ୍ଡାଙ୍କ କାର ଉପରେ ଆକ୍ରମଣ ମାମଲାରେ 3 ଜଣ ଆଇପିଏସ ଅଧିକାରୀଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା କେନ୍ଦ୍ର ଗୃହମନ୍ତ୍ରଣାଳୟ । 3 ଜଣ ଆଇପିଏସ ଅଧିକାରୀଙ୍କର କେନ୍ଦ୍ରକୁ ବଦଳି କରାଯାଇଥିଲା । ଆଇପିଏସ କ୍ୟାଡର ଆଇନ 6(1) ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ କେନ୍ଦ୍ର ଗୃହମନ୍ତ୍ରଣାଳୟ ।
କେନ୍ଦ୍ର ଗୃହମନ୍ତ୍ରଣାଳୟର ଏହି କାର୍ଯ୍ୟାନୁଷ୍ଠାନ ଉପରେ କଡା ଆପତ୍ତି ଜାହିର କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହା ଅସମ୍ବିଧାନିକ ବୋଲି କହିଥିଲେ ମମତା ।
କେନ୍ଦ୍ର ଗୃହମନ୍ତ୍ରଣାଳୟର ଆଦେଶ ଅନୁଯାୟୀ କେନ୍ଦ୍ରୀୟ ପ୍ରତିନିଯୁକ୍ତି ପାଇଁ 3 ଆଇପିଏସ ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟମୁକ୍ତ କରିବାକୁ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଇପିଏସ କ୍ୟାଡର ନିମୟ ଅନୁଯାୟୀ ବିବାଦର ସ୍ଥିତିରେ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ ମାନିବାକୁ ପଡିବ ବୋଲି କୁହାଯାଇଥିଲା ।