ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବାରଣାସୀର ଜ୍ଞାନବ୍ୟାପୀ ମସଜିଦ ପରିସରରୁ ମିଳିଥିବା ଶିବଲିଙ୍ଗର କାର୍ବନ ଡେଟିଂ ଓ ସମ୍ପୂର୍ଣ୍ଣ ପରିସରର ବୈଜ୍ଞାନିକ ସର୍ବେକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ । ଏନେଇ ନିକଟରେ ଆହ୍ଲାବାଦ ହାଇକୋର୍ଟ ଅନୁମତି ପ୍ରଦାନ କରିଥିବା ବେଳେ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ପିଏସ ନରସିଂହ ଏବଂ କେଭି ବିଶ୍ବନାଥନଙ୍କ ମିଳିତ ଖଣ୍ଡପୀଠ ଏହା ଉପରେ ରହିଦାଦେଶ ଜାରି କରିଛନ୍ତି । ଫଳରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମସଜିଦ ପରିସରରେ କୌଣସି ପ୍ରକାର ସର୍ଭେ କରାଯିବ ନାହିଁ ।
ଏହାସହ କେନ୍ଦ୍ର ଓ ଉତ୍ତରପ୍ରଦେଶ ସରକାରଙ୍କୁ ଏନେଇ ନୋଟିସ ମଧ୍ୟ ଜାରି କରାଯାଇଛି । ଆସନ୍ତା ସୋମବାର ମସଜିଦ ପରିସରରେ ସାଇଣ୍ଟିଫିକ ସର୍ଭେ ନେଇ ଜ୍ଞାନବ୍ୟାପୀ ମସଜିଦ ପରିଚାଳନା କମିଟି ପକ୍ଷରୁ ବରିଷ୍ଠ ଆଇନଜୀବୀ ହୁଜେଫା ଅହମାଦି କୋର୍ଟଙ୍କୁ ଅବଗତ କରାଇଥିଲେ । ସେପଟେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ କେସ ଲଢୁଥିବା ଆଇନଜୀବୀ ତଥା ସଲିସିଟର ଜେନେରାଲ ଅଫ୍ ଇଣ୍ଡିଆ ତୁଷାର ମେହେତା କୋର୍ଟଙ୍କୁ ଅବଗତ କରାଇଥିଲେ ଯେ ଏହି ସର୍ଭେ ଦ୍ବାରା ମସଜିଦ କିମ୍ବା ମିଳିଥିବା ଶିବଲିଙ୍ଗର କୌଣସି ପ୍ରକାର କ୍ଷତି ଘଟିବ ନାହିଁ ।
ଏହା ବି ପଢନ୍ତୁ- Gyanvapi Mosque case: ସମ୍ପୂର୍ଣ୍ଣ ଜ୍ଞାନବ୍ୟାପୀ କମ୍ପ୍ଲେକ୍ସର ହେବ ସର୍ଭେ
ସେପଟେ ଶୁଣାଣି ବେଳେ ଆବେଦନକାରୀ ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ କହିଥିଲେ ଯେ, ସର୍ଭେ ବେଳେ ଶିବଲିଙ୍ଗଙ୍କୁ କୌଣସି ପ୍ରକାର କ୍ଷତି ଘଟିବ ନାହିଁ ବୋଲି ASIର ବରିଷ୍ଠ ଅଧିକାରୀ ମଧ୍ୟ ସ୍ପଷ୍ଟ କରିଛନ୍ତି । ମାତ୍ର ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟଙ୍କ ଏହି ଖଣ୍ଡପୀଠ ସାଇଣ୍ଟିଫିକ ସର୍ଭେ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମସଜିଦ ପରିସରରେ କୌଣସି ପ୍ରକାର ସର୍ଭେ ହୋଇପାରିବ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ।
ସୂଚନା ଥାଉ କି ଗତ ମେ ୧୨ ତାରିଖରେ ଶିବଲିଙ୍ଗର କାର୍ବନ ଡେଟିଂ ସର୍ଭେ କରିବା ପାଇଁ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହେଲେ ହିନ୍ଦୁ ପକ୍ଷକୁ ପ୍ରତିନିଧିତ୍ବ କରୁଥିବା ବରିଷ୍ଠ ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ ମସଜିଦର ସମ୍ପୂର୍ଣ୍ଣ ସର୍ଭେ ଲାଗି ବାରଣାସୀ କୋର୍ଟରେ ଆବେଦନ କରିଥିଲେ । ତେବେ କୋର୍ଟ ଗତ ୧୬ ତାରିଖରେ ଏହାକୁ ଗ୍ରହଣ କରିବା ପରେ ଖୁବଶୀଘ୍ର ବିବାଦୀୟ କମ୍ପ୍ଲେକ୍ସର ସର୍ଭେ ହେବ ବୋଲି ଅନୁମାନ କରାଯାଉଥିଲା । ଭାରତୀୟ ପ୍ରତ୍ନତାତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଦ୍ବାରା ସମ୍ପୂର୍ଣ୍ଣ କମ୍ପ୍ଲେକ୍ସର ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନରେ ଦର୍ଶାଇଥିଲା ହିନ୍ଦୁ ପକ୍ଷ । ମାତ୍ର ଆଜି ସୁପ୍ରିମକୋର୍ଟ ଏହା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ।