ନୂଆଦିଲ୍ଲୀ: ଏଣିକି ତ୍ବରିତ ହେବ ବିଚାର ପ୍ରକ୍ରିୟା । ଖାଲିଥିବା ବିଚାରପତି ପଦ ପୂରଣ ପାଇଁ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ସୁପ୍ରିମକୋର୍ଟ କଲେଜିୟମ ବର୍ତ୍ତମାନ ହାଇକୋର୍ଟରେ ଖାଲିଥିବା ବିଚାରପତିଙ୍କ ପଦବୀରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସୁପାରିଶ କରିଛନ୍ତି । ଶୁକ୍ରବାର ଅନୁଷ୍ଠିତ ହୋଇଥିବା କଲେଜିୟମ୍ ବୈଠକରେ 12ଟି ହାଇକୋର୍ଟରେ ଖାଲିଥିବା ବିଚାରପତି ପଦବୀ ପୂରଣ ପାଇଁ ସର୍ବୋଚ୍ଚ ଅଦାଲତରେ ସୁପାରିଶ ହୋଇଛି ।
ଏଥିପାଇଁ ୬୮ ଜଣ ଓକିଲଙ୍କ ନାମ ସୁପାରିଶ କରାଯାଇଛି । ସୁପାରିଶ ହୋଇଥିବା ଓକିଲଙ୍କ ମଧ୍ୟରୁ ସିନିୟର ଆଡଭୋକେଟ ଏବଂ ନିମ୍ନ ଅଦାଲତରୁ ପଦୋନ୍ନୋତି ପାଇ ଆସିଥିବା ଓକିଲଙ୍କ ନାମ ରହିଛି । ହାଇକୋର୍ଟରେ ବିଚାରପତି, ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ଏବଂ ବଦଳି ପାଇଁ କେନ୍ଦ୍ର ସରକାରଙ୍କ ସୁପାରିଶ କ୍ରମେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ନେତୃତ୍ବରେ ୩ ବରିଷ୍ଠ ବିଚାରପତିଙ୍କୁ ନେଇ କଲେଜିୟମ ହୋଇଥାଏ । ଏହି କ୍ରମରେ ଗତକାଲି(ଶୁକ୍ରବାର) ସୁପ୍ରିମକୋର୍ଟରେ ବିଚାରପତିଙ୍କ ନିଯୁକ୍ତି ପାଇଁ ଏକ କଲେଜିୟମ ବୈଠକ ବସିଥିଲା । ବୈଠକରେ ଆହ୍ଲାବାଦ ଏବଂ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ପାଇଁ ସୁପାରିଶ ହୋଇଛି ।
ସୁପ୍ରିମକୋର୍ଟଙ୍କ ବିଜ୍ଞପ୍ତି ଅନୁଯାୟୀ ଆହ୍ଲାବାଦ ହାଇକୋର୍ଟ ପାଇଁ ୧୬, ରାଜସ୍ଥାନ ଓ କୋଲକାତା ପାଇଁ ୬ ଲେଖାଏଁ, ଝାଡଖଣ୍ଡ, ଗୌହାଟୀ ପାଇଁ ୫ ଲେଖାଏଁ, ପଞ୍ଜାବ, ହରିୟାଣା ଏବଂ ମାଡ୍ରାସ ପାଇଁ ୪ ଲେଖାଏଁ, ଛତିଶଗଡ, କର୍ଣ୍ଣାଟକ ଏବଂ ଜମ୍ମୁ କଶ୍ମୀର ହାଇକୋର୍ଟ ପାଇଁ ୨ ଜଣ ଲେଖାଏଁ ଓକିଲଙ୍କ ନିଯୁକ୍ତି ପାଇଁ ନାମ ସୁପାରିଶ ହୋଇଛି । ଅନ୍ୟପଟେ ମଧ୍ୟପ୍ରଦେଶ ହାଇକୋର୍ଟରେ ଜଣେ ବରିଷ୍ଠ ଓକିଲଙ୍କୁ ବିଚାରପତି ନିଯୁକ୍ତି ଦେବା ପାଇଁ ସୁପ୍ରିମକୋର୍ଟର କଲେଜିୟମ ସୁପାରିଶ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ