ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ବବିଦ୍ୟାଳୟର ସ୍ନାତକ କଳା (BA) ପାଠ୍ଯକ୍ରମରେ ଥିବା ମହାତ୍ମା ଗାନ୍ଧୀଙ୍କର ଏକ ବିଷୟକୁ ବାଦ ଦିଆଯାଇଛି । BA ରାଜନୀତି ବିଜ୍ଞାନ ଅନର୍ସ ପାଠ୍ୟକ୍ରମରେ ଥିବା 5ମ ପେପରରୁ ଏହି ଗାନ୍ଧୀଙ୍କ ବିଷୟକୁ ବାଦ ଦିଆଯାଇଥିବା ବେଳେ ଏହି ସ୍ଥାନରେ ହିନ୍ଦୁତ୍ବ ବିଚାରକ ବିନାୟକ ଦାମୋଦର ସାବରକରଙ୍କ ସମ୍ପର୍କିତ ଏକ ବିଷୟକୁ ସାମିଲ କରାଯାଇଛି । ଗାନ୍ଧୀଙ୍କ ଚାପ୍ଟରକୁ ସପ୍ତମ ସେମିଷ୍ଟାରରେ ସ୍ଥାନ ମିଳିଛି । ଏହାର ଅର୍ଥ ହେଉଛି, ଯେଉଁ ଛାତ୍ରଛାତ୍ରୀ 4 ବର୍ଷ ପରିବର୍ତ୍ତେ 3 ବର୍ଷିଆ ସ୍ନାତକ ପାଠକ୍ରମ ଅଧ୍ୟୟନ କରୁଛନ୍ତି, ସେମାନେ ଗାନ୍ଧୀଙ୍କ ବିଷୟ ଅଧ୍ୟୟନ କରିପାରିବେ ନାହିଁ ।
ପାଠ୍ୟକ୍ରମ ଅନୁସାରେ, 5ମ ସେମିଷ୍ଟାରରେ ‘ଅଣ୍ଡରଷ୍ଟାଣ୍ଡିଂ ଗାନ୍ଧୀ’ ନାମରେ ଏକ ବିଷୟ ଥିଲା । ଗାନ୍ଧୀବାଦ, ଗାନ୍ଧୀଙ୍କ ରାଜନୈତିକ ଓ ସାମାଜିକ ବିଚାରଧାରା ସମ୍ପର୍କରେ ଏହି ବିଷୟରେ ଉଲ୍ଲେଖ ଥିଲା । ଏହା ପୂର୍ବରୁ ପ୍ରସିଦ୍ଧ ଦେଶାତ୍ମକବୋଧ ସଙ୍ଗୀତ ‘ସାରେ ଜହାଁ ସେ ଆଚ୍ଛା’ ଲେଖିଥିବା ଆଲମା ଇକଓ୍ବାଲଙ୍କୁ ମଧ୍ୟ ପାଠ୍ୟକ୍ରମରୁ ବାଦ ଦେଇଥିଲା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ।
ଶୁକ୍ରବାର ବସିଥିବା ବିଶ୍ବବିଦ୍ୟାଳୟ ଏକାଡେମିକ ପରିଷଦ ବୈଠକରେ ଏହି ପାଠ୍ୟକ୍ରମ ସଂଶୋଧନ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ନିଷ୍ପତ୍ତିକୁ ଅଧ୍ୟାପକଙ୍କ ଏକ ବର୍ଗ କଡା ସମାଲୋଚନା କରିଛନ୍ତି । ଏହି ସଂଶୋଧନ ଶିକ୍ଷା କ୍ଷେତ୍ରରେ ଗେରୁଆକରଣ ସହ ପାଠ୍ୟକ୍ରମରେ ଗାନ୍ଧୀ ଓ ସାବରକରଙ୍କ ମଧ୍ୟରେ ତୂଳନା ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏବେ ଏହି ବିବାଦ ବିଶ୍ବବିଦ୍ୟାଳୟର ସର୍ବୋଚ୍ଚ ନିର୍ଣ୍ଣୟକାରୀ ସଂସ୍ଥା କାର୍ଯ୍ୟକାରିଣୀ ପରିଷଦ ନିକଟରେ ପହଞ୍ଚିଛି । ବିଚାର ବିମର୍ଶ ପରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବା ନେଇ ସୂଚନା ମିଳିଛି ।
ଶୁକ୍ରବାର ହୋଇଥିବା ଏକାଡେମିକ କାଉନସିଲ ବୈଠକରେ ଅଂଶଗ୍ରହଣ କରିଥିବା ଅଧ୍ୟାପକ ଆଲୋକ ପାଣ୍ଡେଙ୍କ କହିବା ଅନୁସାରେ, ପୂର୍ବରୁ ରାଜନୀତି ବିଜ୍ଞାନ ସ୍ନାତକ ସମ୍ମାନ ପେପର 5ମ ପେପର ଓ ଷଷ୍ଠ ପେପରରେ ଗାନ୍ଧୀ ଓ ଆମ୍ବେଦକରଙ୍କ ସମ୍ପର୍କିତ ଚାପ୍ଟର ଥିଲା । ହେଲେ ଏହାକୁ ପରିବର୍ତ୍ତନ କରାଯାଇ ସାବରକାରଙ୍କୁ ସାମିଲ କରାଯାଇଛି । ସାବରକାରଙ୍କୁ ସାମିଲ କାରଯିବାରେ କୌଣସି ଆପତ୍ତି ନାହିଁ, ହେଲେ ଗାନ୍ଧୀଙ୍କୁ ବାଦ ଦେଇ ସାବରକରଙ୍କୁ ସାମିଲ କରିବା ଉଚିତ ନୁହେଁ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏହା ସ୍ନାତକ ପାଠ୍ୟକ୍ରମରୁ ଗାନ୍ଧୀଙ୍କୁ ବାଦ ଦେବା ପାଇଁ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ସେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ବିବାଦ ମଧ୍ୟ ଆରମ୍ଭ ହେଲାଣି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ