ନୂଆଦିଲ୍ଲୀ: ଜେଲ୍ରେ ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ମସାଜ ଘଟଣାକୁ ନେଇ ବିବାଦ ଜୋର୍ ଧରିଥିବା ବେଳେ ପୁଣି ତାଙ୍କର ଏକ ନୂଆ ସିସିଟିଭି ଭିଡିଓ ଭାଇରାଲ ହୋଇଛି । ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ଜୈନଙ୍କୁ ତିହାର ଜେଲ୍ ଭିତରେ ଉପଯୁକ୍ତ ଖାଦ୍ୟ ମିଳୁଥିବାର ଭିଡିଓରେ ଦେଖାଯାଇଛି(Satyendar Jain getting proper food inside Tihar Jail) । ଆପ୍ ନେତା ସ୍ବାଦିଷ୍ଟ ମିଲ୍ ସାଙ୍ଗକୁ, ସେଓ, କମଳା, କଦଳୀ ଭଳି ଫଳ ଖାଉଥିବାର ଦେଖିବାକୁ ମିଳିଛି । ଏପରିକି ଏଠାରେ ତାଙ୍କ ଶରୀରର ଓଜନ ୮ କେଜି ବଢିଥିବା ଜେଲ୍ ସୂତ୍ରରୁ ସୂଚନା ମିଳିଛି । ତେବେ ଜେଲ୍ରେ ତାଙ୍କୁ ଉପଯୁକ୍ତ ଖାଦ୍ୟ ଓ ମେଡିକାଲ ଚେକ୍-ଅପ୍ ସୁବିଧା ମିଳୁନଥିବା ଦିଲ୍ଲୀ ମନ୍ତ୍ରୀ ଦାବି କରୁଥିବା ବେଳେ ଏହି ଭିଡିଓ ସାମ୍ନାକୁ ଆସିଛି ।
ଉପଯୁକ୍ତ ଖାଦ୍ୟ ଅଭାବରୁ ଜେଲ୍ରେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଶରୀରର ଓଜନ ପ୍ରାୟ ୨୮ କେଜି କମିଥିବା ତାଙ୍କ ଓକିଲ କିଛି ଦିନ ତଳେ ଦାବି କରିଥିଲେ । ହେଲେ ଓଲଟା ମନ୍ତ୍ରୀଙ୍କ ଓଜନ ୮ କେଜି ବଢିଥିବା ତିହାର ଜେଲ୍ ସୂତ୍ରରୁ ସୂଚନା ମିଳିଛି । ଗିରଫ ଆପ୍ ମନ୍ତ୍ରୀଙ୍କ କାଉନସିଲର ବରିଷ୍ଠ ଆଇନଜୀବୀ ରାହୁଲ ମେହେରା ଅଭିଯୋଗ ଆଣିଥିଲେ ଯେ, କୋର୍ଟଙ୍କ ବିନା ଅନୁମତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମ୍ବଦେନଶୀଳ ତଥ୍ୟ ମିଡିଆକୁ ଲିକ୍ କରୁଛି । ଏପରିକି ଜେଲ୍ ଭିତରେ ତାଙ୍କୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ମିଳୁଥିବାର ଇଡିର ଅଭିଯୋଗ ମଧ୍ୟ ସେ ଖଣ୍ଡନ କରିଥିଲେ ।
ଏହାମଧ୍ୟ ପଢନ୍ତୁ: ତିହାର ଜେଲ୍ରେ ସତ୍ୟେନ୍ଦ୍ର ଜୈନଙ୍କୁ ମସାଜ ଦେଉଥିଲା ଦୁଷ୍କର୍ମ ଅଭିଯୁକ୍ତ
ଏହାପୂର୍ବରୁ ସତ୍ୟେନ୍ଦ୍ର ଜୈନଙ୍କୁ ମସାଜ ମିଳୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ଡାକ୍ତରଙ୍କ ପରାମର୍ଶକ୍ରମେ ଫିଜିଓଥେରାପିଷ୍ଟ ମନ୍ତ୍ରୀଙ୍କୁ ଫିଜିଓଥେରାପି ଦେଉଥିବା ଆପ୍ ପକ୍ଷରୁ କୁହାଯାଇଥିଲା । ହେଲେ ମସାଜ କରୁଥିବା ବ୍ୟକ୍ତି ଜଣକ କୌଣସି ଫିଜିଓଥେରାପିଷ୍ଟ ନୁହେଁ ବରଂ ଜଣେ ଦୁଷ୍କର୍ମକାରୀ । ନାବାଳିକା ଦୁଷ୍କର୍ମ ମାମଲାରେ ସେ ଗିରଫ ହୋଇ ଜେଲ୍ରେ ଥିବା ଦାବି କରି ବିଜେପି ଆପ୍କୁ ଟାର୍ଗେଟ କରିଥିଲା । ଏହାରି ଭିତରେ ଜେଲ୍ରୁ ସତ୍ୟେନ୍ଦ୍ର ଜୈନଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି ।