ମୁମ୍ବାଇ: ଆଜି ଗୃହରେ ଫ୍ଲୋର ଟେଷ୍ଟ ଦେବା ପୂର୍ବରୁ ଗତକାଲି ରାତିରେ ଇସ୍ତଫା ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଉଦ୍ଧବଙ୍କ ଇସ୍ତଫା ପରେ ପ୍ରତିକ୍ରିୟା ରଖିଛନ୍ତି ଦଳର ବରିଷ୍ଠ ନେତା ତଥା ସାଂସଦ ସଂଞ୍ଜୟ ରାଉତ । ଏପରି ଟ୍ବିଟରେ ମାଧ୍ୟମରେ ବିରୋଧୀ ଗୋଷ୍ଠୀଙ୍କ ସମାଲୋଚନା ପରେ ମଧ୍ୟ ରାଉତ ସୋସିଆଲ ମିଡିଆରେ ସକ୍ରିୟ ରହିିଥିବା ଦର୍ଶାଇବାକୁ ଚାହିଁଛନ୍ତି ।
ସାଂସଦ ରାଉତ କହିଛନ୍ତି, ମୁଖ୍ୟମନ୍ତ୍ରୀ ଅତି ବିନମ୍ର ଭାବରେ ଏହି ପଦ ଛାଡିଛନ୍ତି । ମହାରାଷ୍ଟ୍ର ଏକ ସମ୍ବେଦନଶୀଳ ମୁଖ୍ୟମନ୍ତ୍ରୀଙ୍କୁ ହରାଇଛି । ନିଜ କ୍ଷୋଭ ପ୍ରକାଶ କରି ସଞ୍ଜୟ ରାଉତ ଆହୁରି ମଧ୍ୟ କହିଛନ୍ତି, ପ୍ରତାରଣାର ଅନ୍ତ କେବେ ହେଲେ ଭଲ ହୋଇନଥାଏ । ସେମାନେ ବିଶ୍ବାସଘାତକତା କରି ବିଜୟ ହୋଇଛନ୍ତି । କିନ୍ତୁ ଏହା ହେଉଛି ଶିବସେନାର ବିଜୟ । ଏବେ ପୋଲିସର ମାଡ ଖାଇବୁ, ଆବଶ୍ୟକ ପଡିଲେ ଜେଲକୁ ମଧ୍ୟ ଯିବୁ, କିନ୍ତୁ ଶିବସେନାକୁ ଛାଡିବୁ ନାହିଁ ବୋଲି ସଞ୍ଜୟ କହିଛନ୍ତି ।
ସଙ୍କଟ ଆରମ୍ଭରୁ ଦମ୍ଭୋକ୍ତି ଦେଖାଇ ଆସୁଥିଲେ ସଞ୍ଜୟ । ଶିବସେନା ବିଧାୟକଙ୍କୁ ସିନ୍ଧେ ବଳପୂର୍ବକ ବିଜେପି ଶାସିତ ରାଜ୍ୟ ଗୁଜୁରାଟ ଓ ପରେ ଆସାମର ଗୌହାଟୀ ନେଇ ପୋଲିସ ଲଗାଇ ବନ୍ଧକ ରଖିଥିବା ସେ ଅଭିଯୋଗ ମଧ୍ୟ କରିଥିଲେ । ବିଦ୍ରୋହୀ ବିଧାୟକମାନେ ଶିବସେନାରେ ଅଛନ୍ତି, ମହାବିକାଶ ଅଗାଡି ସରକାର ପ୍ରତି କୌଣସି ସଙ୍କଟ ନାହିଁ ବୋଲି ପ୍ରଥମ ଦିନରୁ ଦମ୍ଭର ସହ ପ୍ରତିକ୍ରିୟା ରଖୁଥିବା ରାଉତଙ୍କ କଣ୍ଠ କ୍ରମଶଃ ବାଷ୍ଫରୁଦ୍ଧ ହୋଇଥିଲା । ଗତକାଲି ଉଦ୍ଧବ ଠାକରେଙ୍କ ଇସ୍ତଫା ସହ ତ୍ରିଦଳୀୟ ମେଣ୍ଟ ସରକାରର ମଧ୍ୟ ପତନ ଘଟିଛି । ବିଦ୍ରୋହୀ ବିଧାୟକଙ୍କ ଗୋଷ୍ଠୀ ସହାୟତାରେ ବିଜେପି ପୁଣି ଥରେ କ୍ଷମତାକୁ ଆସିବାକୁ ଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ