ମୁମ୍ବାଇ: ଆର୍ଯ୍ୟନ ଖାନ ବେଲ୍ ପାଇବା ପରେ ମଧ୍ୟ ଥମୁନି ଡ୍ରଗ୍ସ କ୍ରୁଜ ମାମଲାର ବିବାଦ । ଡ୍ରଗ୍ସ କେସ୍ ଏବେ ରାଜନୀତିରୁ ବ୍ୟକ୍ତିଗତ ଆରୋପ ପ୍ରତ୍ୟାରୋପ ଦିଗକୁ ମୁହାଁଇଲାଣି । ପ୍ରତିଦିନ ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ ଏନସିବି ଅଧିକାରୀ ତଥା ଘଟଣାର ପୂର୍ବତନ ତଦନ୍ତକାରୀ ଅଧିକାରୀ ସମୀର ଓ୍ବାଙ୍ଖଡେଙ୍କ ବିରୋଧରେ ନୂଆ ନୂଆ ଅଭିଯୋଗ କରୁଛନ୍ତି । ତେବେ ଏପରି ଅଭିଯୋଗରେ ଅତିଷ୍ଠ ହୋଇ ମନ୍ତ୍ରୀ ନଓ୍ବାବଙ୍କ ବିରୋଧରେ କୋର୍ଟରେ ମାନହାନି ମକଦ୍ଦମା କରିଛନ୍ତି ସମୀର ଓ୍ବାଙ୍ଖଡେଙ୍କ ବାପା ଦ୍ୟାନଦେବ ୱାଙ୍ଖଡେ ।
ମାମଲାରେ କାହାକୁ ମାଷ୍ଟର ମାଇଣ୍ଡ ତ ଆଉ କାହାକୁ ଦାଉଦ ସମ୍ବୋଧନ କରୁଛନ୍ତି ମନ୍ତ୍ରୀ ନୱାବ । ଏଥିସହ ଆର୍ଯ୍ୟନ ଗିରଫ ନୁହେଁ ଅପହରଣ ହୋଇଛନ୍ତି ବୋଲି ନୱାବ ଯୁକ୍ତି ବାଢିଛନ୍ତି । ଏପରିକି ଆରମ୍ଭରୁ ନୱାବ ସମୀର ୱାଙ୍ଖଡେ ଏବଂ ତାଙ୍କ ପରିବାର ବିରୋଧରେ ନାନା ଅଭିଯୋଗ କରିଛନ୍ତି । ତେବେ ଏହାକୁ ନେଇ ଅତିଷ୍ଠ ସମୀର ୱାଙ୍ଖଡେଙ୍କ ବାପା ଦ୍ୟାନଦେବ ୱାଙ୍ଖଡେ ଆଜି(ରବିବାର)ମନ୍ତ୍ରୀ ନୱାବଙ୍କ ନାମରେ ୧.୨୫ କୋଟିର ମାନହାନି ମକଦ୍ଦମା କରିଥିବା ଜଣାପଡିଛି । ନଓ୍ବାବଙ୍କର ଏପରି ଆପତ୍ତିଜନକ ମନ୍ତବ୍ୟ କାରଣରୁ ସମାଜରେ ତାଙ୍କ ପ୍ରତିଷ୍ଠା ଉପରେ ଆଞ୍ଚ ଆସୁଥିବା ସେ ଅଭିଯୋଗ କରି ଏହି ମକଦ୍ଦମା ଦାୟର କରିଛନ୍ତି ଦ୍ୟାନଦେବ ୱାଙ୍ଖଡେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ