ନୂଆଦିଲ୍ଲୀ: କେନ୍ଦ୍ର ସାହିତ୍ୟ ଏକାଡେମୀ ଆଜି (ଗୁରୁବାର) ସାହିତ୍ୟ ଏକାଡେମୀ ପୁରସ୍କାର ୨୦୨୨ ଘୋଷଣା କରିଛି । ପ୍ରସିଦ୍ଧ ହିନ୍ଦୀ କବି ବଦ୍ରି ନାରାୟଣଙ୍କ ପାଇଁ କବିତା ସଂଗ୍ରହ 'ତୁମଡି କେ ଶବ୍ଦ' ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି । ବିଜେତାଙ୍କ ମଧ୍ୟରେ ଓଡ଼ିଆ ଲେଖିକା ଡକ୍ଟର ଗାୟତ୍ରୀବାଳା ପଣ୍ଡା (Odia writer Dr. Gayatribala Panda)ସାମିଲ ଅଛନ୍ତି । ତାଙ୍କ ଲିଖିତ ଓଡ଼ିଆ କବିତା ଦୟାନଦୀ ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ । ତେବେ ଜାନୁଆରୀ ୧୧, ୨୦୧୬ରୁ ଡିସେମ୍ବର ୩୧, ୨୦୨୦ ମଧ୍ୟରେ ପ୍ରଥମ ଥର ପାଇଁ ପ୍ରକାଶିତ ପୁସ୍ତକ ଉପରେ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
ଏକାଡେମୀ ପ୍ରତିବର୍ଷ ୨୪ଟି ସ୍ବୀକୃତିପ୍ରାପ୍ତ ଭାରତୀୟ ଭାଷାରେ ଉଲ୍ଲେଖନୀୟ ପୁସ୍ତକ ପାଇଁ ବାର୍ଷିକ ପୁରସ୍କାର ଏବଂ ଅନୁବାଦ ପୁରସ୍କାର ଘୋଷଣା କରିଥାଏ । ଏକାଡେମୀ ସଚିବ କେ, ଶ୍ରୀନିବାସ ରାଓ ଏହା ଘୋଷଣା କରିଛନ୍ତି । ୨୩ଟି ଭାରତୀୟ ଭାଷା ପାଇଁ ଘୋଷିତ ଏହି ପୁରସ୍କାରଗୁଡ଼ିକରେ ୭ଟି କବିତା ସଂଗ୍ରହ, ୬ଟି ଉପନ୍ୟାସ, ଦୁଇଟି କାହାଣୀ ସଂଗ୍ରହ, ଦୁଇଟି ସାହିତ୍ୟ ସମାଲୋଚନା, ତିନୋଟି ନାଟକ, ଗୋଟିଏ ଆତ୍ମଜୀବନୀ ପ୍ରବନ୍ଧ, ଗୋଟିଏ ସଂକ୍ଷିପ୍ତ ସିନ୍ଧି ସାହିତ୍ୟ ଇତିହାସ ଏବଂ ଗୋଟିଏ ପ୍ରବନ୍ଧ ସଂଗ୍ରହ ଅନ୍ତର୍ଭୁକ୍ତ । ବଙ୍ଗଳା ଭାଷା ପାଇଁ ପୁରସ୍କାର ପରେ ଘୋଷଣା କରାଯିବ ।
ଓଡ଼ିଆ ଲେଖିକା ଡ. ଗାୟତ୍ରୀବାଳା ପଣ୍ଡା ହେବେ ସମ୍ମାନିତ:-
୨୦୨୨ ମସିହା ପାଇଁ ଗାୟତ୍ରୀବାଳା ପଣ୍ଡାଙ୍କୁ ଏହି ସମ୍ମାନ ମିଳୁଛି । କବିତା ସଂକଳନ 'ଦୟାନଦୀ' ପାଇଁ ଏହି ସମ୍ମାନଜନକ ପୁରସ୍କାର ପାଇଁ ଘୋଷଣା କରାଯାଇଛି । ୧୧ ମାର୍ଚ୍ଚ ୨୦୨୩ରେ କାମାନୀ ଅଡିଟୋରିଅମରେ ଦିଆଯିବ ପୁରସ୍କାର । ୨୪ଟି ଭାଷା ପାଇଁ ପୁରସ୍କାର ଘୋଷଣା କରାଯାଇଥିବା ବେଳେ ଓଡ଼ିଆ ଭାଷା ପାଇଁ ଗାୟତ୍ରୀ ପଣ୍ଡାଙ୍କୁ ଏହା ସମ୍ମାନ ଦିଆଯିବ । ୧ଲକ୍ଷ ଟଙ୍କା ଅର୍ଥରାଶି ଓ ତାମ୍ର ଫଳକ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ଏକ ସ୍ବତନ୍ତ୍ର ଉତ୍ସବରେ ତାଙ୍କୁ ପ୍ରଦାନ କରାଯିବ । କବିତା ସଂକଳନ ‘ଦୟାନଦୀ’ କଳିଙ୍ଗ ଯୁଦ୍ଧ ଉପରେ ଆଧାରିତ । କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କୃତ କବିତା ସଂକଳନ ଦୟାନଦୀ ୨୦୧୭ରେ ପକ୍ଷୀଘର ପ୍ରକାଶନ ସଂସ୍ଥା ଦ୍ବାରା ପ୍ରକାଶ ପାଇଥିଲା । କଳିଙ୍ଗ ଯୁଦ୍ଧର ଏକମାତ୍ର ସାକ୍ଷୀ ଦୟାନଦୀ ଶାନ୍ତି, ପ୍ରୀତି, ମୈତ୍ରୀର ବାର୍ତ୍ତା ଦେଉଥିବା ବଳେ ପ୍ରତି ଓଡ଼ିଆଙ୍କ ପରିଚୟ । ଏହା ଅନେକଙ୍କୁ ମଣିଷପଣିଆର ନିଚ୍ଛକ ଚିତ୍ର ଦେଖାଇଛି । ଆଉ ସେହି ଦୟାନଦୀକୁ ନେଇ ଓଡ଼ିଆ ଭାଷାର ମାଳାରେ ସଞ୍ଚିତ ହୋଇଥିବା ଏହି ସଂକଳନ ସହ ଗାୟତ୍ରୀବାଳା ପଣ୍ଡାଙ୍କର ଅଦ୍ୟାବଧି ୨୫ଖଣ୍ଡ ପୁସ୍ତକ ପ୍ରକାଶ ପାଇଛି । ସେଥିମଧ୍ୟରୁ ଓଡ଼ିଆ ଭାଷାରେ ୧୨ଟି କବିତା ସଂକଳନ, ୨ଟି ଗଳ୍ପ ସଂକଳନ, ୨ଟି ଉପନ୍ୟାସ ଏବଂ ଗୋଟିଏ ପ୍ରବନ୍ଧ ସଂକଳନ ପ୍ରକାଶ ପାଇଛି । ଖାଲି ସେତିକି ନୁହେଁ ହିନ୍ଦୀ ଭାଷାରେ ୫ଟି କବିତା ସଂକଳନ ଓ ଇଂରାଜୀ ଭାଷାରେ ୨ଟି କବିତା ସଂକଳନ, ଗୋଟିଏ ଗଳ୍ପ ସଂକଳନ ପ୍ରକାଶ ପାଇଛି ।
ଏମାନେ ହେବେ ପୁରସ୍କୃତ:-
- କବିତା: ରଶ୍ମୀ ଚୌଧୁରୀ (ବର), ବଦ୍ରି ନାରାୟଣ (ହିନ୍ଦୀ), ଅଜିତ ଆଜାଦ (ମୈଥିଳୀ), କୋଇଜମ ଶାନ୍ତିବାଳା (ମଣିପୁରୀ), ଗାୟତ୍ରୀବାଳା ପଣ୍ଡା (ଓଡିଆ), ଜନାର୍ଦନ ପ୍ରସାଦ ପାଣ୍ଡେ 'ମଣି' (ସଂସ୍କୃତ), କଜଲି ସୋରେନ (ସାନ୍ତାଳୀ) । କାହାଣୀ ପାଇଁ ମନୋଜ କୁମାର ଗୋସ୍ବାମୀ (ଆସାମୀୟା), ସୁଖଜିତ୍ (ପଞ୍ଜାବୀ) ।
- ଉପନ୍ୟାସ: ଅନୁରାଧା ରାୟ (ଇଂରାଜୀ), ମାୟା ଅନିଲ ଖରଙ୍ଗଟେ (କୋଙ୍କଣୀ), ପ୍ରବୀଣ ଦଶରଥ ବାନ୍ଦେକର (ମରାଠୀ), ଏମ.ରାଜେନ୍ଦ୍ରନ (ତାମିଲ), ମଧୁରାନ୍ତକମ ନରେନ୍ଦ୍ର (ତେଲୁଗୁ), ଅନିସ ଅଶଫାକ (ଉର୍ଦ୍ଦୁ) ।
- ସାହିତ୍ୟିକ ସମାଲୋଚନା: ଫାରୁକ ଫୟାଜ (କଶ୍ମିରୀ), ଏମ. ଥୋମାସ ମେଥ୍ୟୁ (ମାଲାୟାଲାମ) ।
- ନାଟକ: ବୀଣା ଗୁପ୍ତା (ଡୋଗରି), କେବି ନେପାଳି (ନେପାଳି) କମଲ ରଙ୍ଗ (ରାଜସ୍ଥାନୀ) ।
- ଆତ୍ମକଥାମୂଳକ ପ୍ରବନ୍ଧ: ଗୁଲାମ ମହମ୍ମଦ ଶେଖ(ଗୁଜୁରାଟୀ)
- ପ୍ରବନ୍ଧ ସଂଗ୍ରହ: ମୁଡଣାକୁଡୁ ଚିନ୍ନାସ୍ବାମୀ (କନ୍ନଡ) ତଥା ସଂକ୍ଷିପ୍ତ ସିନ୍ଧି ସାହିତ୍ୟ ଇତିହାସ ଲାଗି କହ୍ନୈଇଲାଲ ଲେଖବାଣୀ (ସିନ୍ଧି) ପୁରସ୍କୃତ କରାଯିବ ।