ହାଇଦ୍ରାବାଦ: ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୭ ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ଭାରତୀୟ ଯୁବ କଂଗ୍ରେସ ତରଫରୁ ରକ୍ତଦାନ ଶିବିର, କ୍ରୀଡା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ବହୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଥିସହ ଦିଲ୍ଲୀରେ କଂଗ୍ରେସ ପକ୍ଷରୁ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।
ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀକୁ ସଦଭାବନା ଦିବସ ଭାବେ ମଧ୍ୟ ପାଳନ କରାଯାଏ । ଭାରତକୁ ଏକ ବିକଶିତ ଦେଶ କରିବାକୁ ସ୍ୱପ୍ନ ଦେଖୁଥିବା ରାଜୀବ ଗାନ୍ଧୀଙ୍କ ସ୍ମୃତିରେ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଏ । ଭାରତର ସମସ୍ତ ଧର୍ମର ଲୋକଙ୍କ ମଧ୍ୟରେ ଜାତୀୟ ଶାନ୍ତି, ସ୍ନେହ ଏବଂ ସାମ୍ପ୍ରଦାୟିକ ସୌହାଦ୍ଦ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦିନକୁ ସଦଭାବନା ଦିବସ ଭାବେ ପାଳନ କରାଯାଉଛି ।
୧୯୪୪ ମସିହା ଅଗଷ୍ଟ ୨୦ରେ ଜନ୍ମ ଗ୍ରହଣ କରି ମାତ୍ର ୪୦ ବର୍ଷ ବୟସରେ ଭାରତର ୬ଷ୍ଠ ତମ ପ୍ରଧାନମନ୍ତ୍ରୀ ହୋଇଥିଲେ ରାଜୀବ ଗାନ୍ଧୀ । ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ଫିରୋଜ ଗାନ୍ଧୀଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ରାଜୀବ ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ୧୯୮୪-୮୯ ପର୍ଯ୍ୟନ୍ତ ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ।
ଦେଶର ବିକାଶ ଦିଗରେ ତାଙ୍କର ରହିଛି ଉଲ୍ଲେଖନୀୟ ଯୋଗଦାନ । ରାଜୀବ ଗାନ୍ଧୀ ୧୯୮୬ ମସିହାରେ ଉଚ୍ଚ ଶିକ୍ଷା କାର୍ଯ୍ୟକ୍ରମର ଆଧୁନିକୀକରଣ ଓ ବିସ୍ତାର ପାଇଁ ରାଷ୍ଟ୍ରୀୟ ଶିକ୍ଷା ନୀତିର ଘୋଷଣା କରିଥିଲେ । ସେ ୧୯୮୬ ମସିହାରେ ଜବାହର ନବୋଦୟ ବିଦ୍ୟାଳୟର ସ୍ଥାପନ କରିଥିଲେ । ଏହି ସଂସ୍ଥା ଗ୍ରାମୀଣ ଶିଶୁଙ୍କୁ ଷଷ୍ଠରୁ ଦ୍ବାଦଶ ଯାଏଁ ଆବାସିକ ଶିକ୍ଷା ପ୍ରଦାନ କରୁଥିଲା । ଏହାର ସଂଚାଳନ କେନ୍ଦ୍ର ସରକାର କରୁଥିଲେ । ଏଥିସହ ରାଜୀବ ଗାନ୍ଧି ଗ୍ରାମୀଣ କ୍ଷେତ୍ରରେ ଟେଲିଫୋନର ବିସ୍ତାର ପାଇଁ ସାର୍ବଜନିକ କଲ ଅଫିସ (ପିସିଓ) ବି ନିର୍ମାଣ କରିଥିଲେ ।
୧୯୯୧ ମସିହା ମେ’ ୨୧ରେ ଏକ ନିର୍ବାଚନ ପ୍ରଚାର ସମୟରେ ରାଜୀବ ଗାନ୍ଧୀଙ୍କୁ ଶ୍ରୀଲଙ୍କାର ଅଲଗାଓ୍ବବାଦୀ ସଙ୍ଗଠନ ଏଲଟିଟିଇ ଦ୍ବାରା ତାଙ୍କୁ ହତ୍ୟା କରିଥିଲା । ୧୯୯୨ରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସ୍ମୃତିରେ କଂଗ୍ରେସ ପାର୍ଟି ରାଜୀବ ଗାନ୍ଧୀ ରାଷ୍ଟ୍ରୀୟ ସଦଭାବନା ପୁରସ୍କାରର ସ୍ଥାପନା କରାଯାଇଥିଲା । ପ୍ରତିବର୍ଷ ଏହି ପୁରସ୍କାର ସାମାଜିକ ସଦଭାବନାର ପ୍ରଚାର ପ୍ରସାର କରୁଥିବା ବ୍ୟକ୍ତିଙ୍କୁ ଦିଆଯାଇଥାଏ । ପୁରସ୍କାରରେ ୧୦ଲକ୍ଷ ନଗଦ ରାଶି ଓ ସାର୍ଟିଫିକେଟ ପ୍ରଦାନ କରାଯାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ