ଲକ୍ଷ୍ନୌ: କୁହାଯାଏ, ପ୍ରେମରେ କୌଣସି ସୀମା ନଥାଏ । ସେହିଭଳି ଏକ ବାସ୍ତବ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ପ୍ରତାପଗଡ଼ ଅଞ୍ଚଳରେ । ଉତ୍ତରପ୍ରଦେଶର ଜଣେ ଯୁବକଙ୍କ ପ୍ରମରେ ପଡ଼ି ତାଙ୍କୁ ବିବାହ କରିବାକୁ ସୁଦୂର ରୁଷିଆରୁ ଆସି ପ୍ରତାପଗଡ଼ ବେହ୍ଲାରେ ପହଞ୍ଚିଛନ୍ତି ଯୁବତୀ । ଯୁବତୀ ଜଣକ ନିଜ ପରିବାର ସହ ଆସିଥିବା ବେଳେ ଶନିବାର ଉଭୟଙ୍କର ହଳଦୀ ସମାରୋହ ଅନୁଷ୍ଠିତ ହୋଇଥିଲା ।
ଉତ୍ତରପ୍ରଦେଶ ପ୍ରତାପଗଡ଼ ଅଞ୍ଚଳର ଅମିତ ସିଂହ ଦିଲ୍ଲୀର ଏକ କମ୍ପାନୀରେ କାର୍ଯ୍ୟ କରନ୍ତି । ସେହି କମ୍ପାନୀରେ ଋଷରେ ରହୁଥିବା ବେରୋନିକା ମଧ୍ୟ କାମ କରୁଥିଲେ । ସେହି ଭିତରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଓ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ଏହାପରେ ଅମିତ ଓ ବେରୋନିକା ବିବାହ କରିବା ପାଇଁ ସ୍ଥିର କରିଥିଲେ । ଏନେଇ ଉଭୟ ନିଜ ପରିବାର ଲୋକଙ୍କୁ ନିଜ ପ୍ରେମ ସମ୍ପର୍କ ବିଷୟରେ କହିଥିଲେ । ଉଭୟ ପରିବାର ଲୋକେ ରାଜି ହେବାପରେ ୧୨ ଫେବୃଆରୀରେ ବିବାହ ପାଇଁ ଦିନ ସ୍ଥିର ହୋଇଥିଲା । ଏନେଇ ବେରୋନିକା ନିଜ ପରିବାର ଲୋକଙ୍କ ସହ ଆସି ପ୍ରତାପଗଡ଼ରେ ପହଞ୍ଚିଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ ଶନିବାର ଉଭୟଙ୍କର ହଳଦୀ ସମାରୋହ ଅନୁଷ୍ଠିତ ହୋଇଥିଲା । ରବିବାର ଉଭୟଙ୍କର ବିବାହ ଅନୁଷ୍ଠିତ ହେବ ।
ଶନିବାର ଧୁମଧାମରେ ଉଭୟଙ୍କର ହଳଦୀ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଋଷିଆରୁ ଆସିଥିବା ବେରୋନିକାଙ୍କ ସାଙ୍ଗସାଥି ଭାରତୀୟ ଗୀତରେ ନୃତ୍ୟ ପରିବେଷଣ କରିଥିଲେ । ଭାରତୀୟ ରିତିନୀତି ଓ ପରମ୍ପରା ଅନୁସାରେ ବିବାହ ହେବାକୁ ଥିବାବେଳେ ଉଭୟ ପରିବାର ଏନେଇ ଉତ୍ସାହିତ ଅଛନ୍ତି । ଅମିତ ସିଂହ ସହରର ସିୟାରାମ କଲୋନୀର ଦିନେଶ ସିଂହଙ୍କ ବଡ଼ପୁଅ । ଦିନେଶ ସହରରେ ଜଣେ ବ୍ୟବସାୟୀ ଭାବେ ପରିଚିତ । ଦିଲ୍ଲୀ ଓ ବେଙ୍ଗାଲୁରୁରେ ମଧ୍ୟ ତାଙ୍କର ବ୍ୟବସାୟ ରହିଛି । ତାଙ୍କର ବଡ଼ ପୁଅ ଅମିତ ସିଂହ ଦ୍ବାଦଶ ପଢ଼ିବା ପରେ ଦିଲ୍ଲୀ ଚାଲିଯାଇଥିଲେ । ସେଠାରେ ଏକ ପ୍ରାଇଭେଟ ସଂସ୍ଥାରେ ଆନିମେଶନ କୋର୍ସ କରିବା ପରେ ସେଠାରେ ଏକ କମ୍ପାନୀରେ ଚାକିରି କରୁଥିଲେ । ସେଠାରୁ ବେରୋନିକାଙ୍କ ସହ ତାଙ୍କର ସମ୍ପର୍କ ସ୍ଥାପନ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ