କିଭ: ୟୁକ୍ରେନର ପୋଲାଣ୍ଡ ସୀମାବର୍ତ୍ତୀ ଅଞ୍ଚଳରେ କ୍ଷେପଣାସ୍ତ୍ର ମାଡ କରିଛି ଋଷ । ପୋଲାଣ୍ଡ ସୀମାଠାରୁ ପ୍ରାୟ 10 କିଲୋମିଟର ଦୂରରେ ଥିବା ଏକ ୟୁକ୍ରେନୀୟ ସାମରିକ ବେସରେ ଋଷ ଏହି ମିସାଇଲ ଆକ୍ରମଣ କରିଛି । ଏଥିରେ ପ୍ରାୟ 9ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆକ୍ରମଣ ହୋଇଥିବା ସ୍ଥାନଟି ପୋଲାଣ୍ଡ ସୀମାବର୍ତ୍ତୀ ବା NATO ଅଞ୍ଚଳର ମଧ୍ୟ ଖୁବ ନିକଟତର ।
ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀଙ୍କ ସୂଚନାନୁସାରେ, ପୋଲାଣ୍ଡର ସୀମାଠାରୁ ପ୍ରାୟ 10 କିଲୋମିଟର ଦୂରରେ ଅବସ୍ଥିତ ଉତ୍ତର-ପଶ୍ଚିମ ଲଭିଭରେ ଥିବା ଏକ ସମାରିକ କେନ୍ଦ୍ରକୁ ଟାର୍ଗେଟ କରିଛି ଋଷସେନା । ଏହି ଆକ୍ରମଣରେ 9ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 57ଜଣ ଆହତ ହୋଇଛନ୍ତି । ଏହି କେନ୍ଦ୍ରରେ ବିଦେଶୀ ପ୍ରଶିକ୍ଷକମାନେ କାର୍ଯ୍ୟ କରୁଥିବାରୁ ମୃତକଙ୍କ ମଧ୍ୟରେ ବିଦେଶୀ ନାଗରିକ ମଧ୍ୟ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।
ତେବେ ଋଷ ପକ୍ଷରୁ ଅସ୍ତ୍ର ବିରତି ଘୋଷଣା କରାଯାଇଥିଲେ ସୁଦ୍ଧା କିଛି ସ୍ଥାନରେ ଋଷସେନା ଆକ୍ରମଣ ଜାରି ରଖିଥିବା ୟୁକ୍ରେନ ପକ୍ଷରୁ ଅଭିଯୋଗ କରାଯାଇଛି । ଅନ୍ୟପଟେ ୟୁକ୍ରେନ-ଋଷ ମଧ୍ୟରେ ଜାରି ରହିଥିବା ଆଲୋଚନା ଏକାଧିକ ପର୍ଯ୍ୟାୟରେ ପହଞ୍ଚିଥିଲେ ସୁଦ୍ଧା ଯୁଦ୍ଧ ବନ୍ଦ କମ୍ବା ଶାନ୍ତି ପ୍ରତିଷ୍ଠା ନେଇ ଉଭୟ ପକ୍ଷ ମଧ୍ୟରେ କୌଣସି ସହମତି ପ୍ରକାଶ ପାଇପାରନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ