ଚଣ୍ଡିଗଡ: ପଞ୍ଜାବର ତରନ ତାରନ ସ୍ଥିତ ସରହାଲି ପୋଲିସ ଷ୍ଟେସନ(Sarhali Police Station) ଉପରେ ରକେଟ ପ୍ରୋପେଲଡ ଗ୍ରେନେଡ(RPG) ଆକ୍ରମଣ ହୋଇଛି । ଗତକାଲି ବିଳମ୍ବିତ ରାତିରେ କିଛି ଅଜ୍ଞାତ ଦୁର୍ବୃତ୍ତ ଥାନା ଉପରକୁ RPG ନିକ୍ଷେପ କରିଛନ୍ତି । ଏଥିରେ କେହି ମୃତାହତ ହୋଇଥିବା ନେଇ କୌଣସି ସୂଚନା ନାହିଁ । ହେଲେ ଆକ୍ରମଣରେ ପୋଲିସ ଷ୍ଟେସନର କାଚ ଭାଙ୍ଗି ଯାଇଛି । ତେବେ ଏହା ଆତଙ୍କବାଦୀ ଆକ୍ରମଣ ହୋଇଥିବା ସୁରକ୍ଷା ଏଜେନ୍ସି ସ୍ପଷ୍ଟ କରିଛି । ପାକିସ୍ଥାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହାୟତାରେ ଖଲିସ୍ତାନୀ ଆତଙ୍କବାଦୀ ଆକ୍ରମଣ କରିଥିବା ଆଶଙ୍କା କରାଯାଉଛି ।
ଯାହା ସୂଚନା ମିଳିଛି, ଅମୃତସର-ବଥିଣ୍ଡା ୫୪ ନଂ ଜାତୀୟ ରାଜପଥରୁ କିଛି ଅଜ୍ଞାତ ଦୁର୍ବୃତ୍ତ ଥାନା ଉପରକୁ ଏହି ରକେଟ ପ୍ରୋପେଲଡ ଗ୍ରେନେଡ ଆକ୍ରମଣ କରିଥିଲେ । ଏଥିରେ ଥାନାର କବାଟ, କାଚ ଭାଙ୍ଗି ଯାଇଛି । ତେବେ ରକେଟଟି ଥାନାର ବାହାର କାନ୍ଥରେ ବାଜି ପଛକୁ ପଡିଯିବାରୁ ବିଶେଷ କ୍ଷୟକ୍ଷିତ ହୋଇନାହିଁ । ଏହି ଆକ୍ରମଣ ସମ୍ପର୍କରେ ଖବର ପାଇ ତରନ ତାରନ ଏସଏସପି ଗୁରମିତ୍ ସିଂହ ଚୌହାନ, ଫରେନସିକ୍ ଟିମ୍ ସମେତ ପୋଲିସ୍ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନିକ୍ଷେପ ହୋଇଥିବା RPG ଜବତ କରିଛନ୍ତି ।
କହିରଖୁଛୁ କି, ଏହାପୂର୍ବରୁ ଚଳିତ ବର୍ଷ ମେ' ୮ରେ ପଞ୍ଜାବ ପୋଲିସର ଗୁଇନ୍ଦା ମୁଖ୍ୟାଳୟ ଉପରେ ରକେଟ ପ୍ରୋପେଲଡ ଗ୍ରେନେଡ ମାଡ ହୋଇଥିଲା । ଏଥିରେ କେହି ମୃତାହତ ହୋଇନଥିଲେ । ତେବେ ଏହି ଆକ୍ରମଣ ପଛରେ ଖଲିସ୍ଥାନୀ ଆତଙ୍କବାଦୀ ସଂଗଠନ ବାବର ଖାଲସା ଓ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ରହିଥିବା ପଞ୍ଜାବ ପୋଲିସ ଜଣାଇଥିଲା ।