ହାଇଦ୍ରାବାଦ: ପଶ୍ଚିମବଙ୍ଗରେ ଜଣେ ପଞ୍ଚାୟତ ପ୍ରତିନିଧି ଜଣେ ଶାସକ ଦଳର ବିଧାୟକଙ୍କ ପାଦ ମାଲିସ କରିବାକୁ ନେଇ ବିବାଦ ଆରମ୍ଭ ହୋଇଛି । ଯାହାର ଏକ ଫଟୋ ସାମ୍ନାକୁ ଆସିଛି । ରାଜ୍ୟରେ ଶାସନରେ ଥିବା ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) ପଞ୍ଚାୟତ ସଦସ୍ୟାଙ୍କ ଟିଏମସି ବିଧାୟକ ଅଜିତ ମଜୁମଦାରଙ୍କ ପାଦ ମାଲିସ୍ କରୁଥିବା ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଶାସକ ଦଳ ଟିଏମସି ପାଇଁ ନୂଆ ବିବାଦ ସୃଷ୍ଟି କରିଛି । ଯାହାକୁ ନେଇ ବିରୋଧୀ ମମତା ସରକାରକୁ ଘେରିବାକୁ ଆରମ୍ଭ କରିଛନ୍ତି ।
ଭାଇରାଲ ହେଉଥିବା ଫଟୋ ଜାନୁଆରୀ 20 ତାରିଖର ବୋଲି କୁହାଯାଉଛି । ଟିଏମସି ବିଧାୟକ ଦଳର ଜନସମ୍ପର୍କ କାର୍ଯ୍ୟକ୍ରମ "ଦିଦି କା ସୁରକ୍ଷା କଭଚ" ପରିଚାଳନା ସମୟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିବା ଚର୍ଚ୍ଚା ହେଉଛି । ଦିବସବ୍ୟାପୀ କାର୍ଯ୍ୟକ୍ରମରେ ନିର୍ବାଚନମଣ୍ଡଳୀ ପରିଦର୍ଶନ କରିବା ପରେ ବିଧାୟକ ମଜୁମଦାର ଦେବାନନ୍ଦପୁରର ପୀୟୁଷ ଧାର ନାମକ ଜଣେ ଦଳୀୟ କର୍ମୀଙ୍କ ଘରେ ରାତ୍ରୀଯାପନ କରିଥିଲେ । ଏହି ସମୟରେ ଟିଏମସି ପଞ୍ଚାୟତ ସଦସ୍ୟା ରୁମା ରୟ ପାଲ ବିଧାୟକ ମଜୁମଦାରଙ୍କ ପାଦରେ ମାଲିସ କରୁଥିବାର ଏକ ଫଟୋ ସାସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ବିଧାୟକ ଶୟନ ମୁଦ୍ରାରେ ଥିବା ବେଳେ ତାଙ୍କ ପାଦ ତଳେ ବସି ପଞ୍ଚାୟତ ପ୍ରତିନିଧି ମାଲିସ କରୁଥିବା ଉକ୍ତ ଫଟୋରେ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବିରୋଧୀ ସମାଲୋଚନା କରିବା ପରେ ଉଭୟ ଟିଏମସି ବିଧାୟକ ଏବଂ ପଞ୍ଚାୟତ ସଦସ୍ୟା ବିରୋଧୀ ବିଜେପିର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।
ବିଧାୟକ ମଜୁମଦାର କହିଛନ୍ତି, ‘‘ନିକଟରେ ମୁଁ ଏକ ବଡ ଅସ୍ତ୍ରୋପଚାର କରିସାରିଛି ଏବଂ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରି ନାହିଁ । କିନ୍ତୁ ମୋ ପାର୍ଟି କାର୍ଯ୍ୟକ୍ରମରେ ଯୋଗଦେବା ପରେ ମଧ୍ୟ ଯେଉଁମାନେ ଏପରି ଅଶାଳୀନ ମନ୍ତବ୍ୟ ଦେଇଛନ୍ତି ସେମାନଙ୍କୁ ସେମାନଙ୍କ ପିତାମାତା ଉଚିତ୍ ଶିକ୍ଷା ଦେଇ ନାହାଁନ୍ତି ।ଆମର ପାର୍ଟି କର୍ମୀମାନେ ମୋର ଶୁଭେଚ୍ଛୁ ଏବଂ ବିରୋଧୀ ମୋର ମୃତ୍ୟୁ ଚାହୁଁଛନ୍ତି । ମୁଁ ମୋର ପାର୍ଟି କର୍ମଚାରୀଙ୍କ ପାଇଁ ଜଣେ ପିତାଙ୍କ ପରି । ଯଦି ସେମାନେ ମୋର ଯତ୍ନ ନିଅନ୍ତି ତେବେ ଏଥିରେ କିଛି ଭୁଲ୍ ନାହିଁ ।’’ ତେବେ ପଞ୍ଚାୟତ ପ୍ରତିନିଧି ପାଲ କହିଛନ୍ତି ବିଧାୟକ ମୋ ପିତାଙ୍କ ପରି । ତେବେ ବିରୋଧୀ ହୀନ ରାଜନୀତି କରୁଛି ବୋଲି ଶାସକ ଟିଏମସି କହିଛି ।
-
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ