ଲକ୍ଷ୍ନୌ: ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଏକ ବସରେ ବାହାରିଥିଲେ ଲୋକେ । ପହଞ୍ଚି କାର୍ଯ୍ୟକ୍ରମରେ ଯୋଗଦେଇ ଭୋଜି ଖାଇଲେ । ପୁଣି ସେହି ବସ ଯୋଗେ ଘରକୁ ଫେରୁଥିଲେ । ବିଳମ୍ବିତ ରାତିରେ ଆସୁଥିବାରୁ ଲୋକେ ଶୋଇପଡିଥିଲେ । ଭାବିଥିଲେ ଘର ପହଞ୍ଚିଲେ ଉଠିବେ । ହେଲେ କିଛି ଲୋକଙ୍କୁ ଦଇବ ସବୁଦିନ ପାଇଁ ଚିରନିଦ୍ରାରେ ଶୁଆଇ ଦେଲା । ସାମ୍ନାରୁ ଆସୁଥିବା ଏକ ଭାରିଯାନ ସହ ଧକ୍କାରୁ ବର୍ତ୍ତିବା ପାଇଁ ଚେଷ୍ଟା କରୁଥିବା ବେଳେ ଘଟିଗଲା ଭୟଙ୍କର ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବସ । ଫଳରେ ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୧୨ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ମାଧୌଗଡ କୋତଓ୍ବାଲି ଅନ୍ତର୍ଗତ ଭିଣ୍ଡ ଉରଇ ରାଜମାର୍ଗରେ ଏହି ଦୁର୍ଘଟଣା ହୋଇଥିଲା । ମାଧୌଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି ।
ଗତକାଲି(ଶନିବାର) ଧୁତା ଉମରିରୁ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ରେଣ୍ଡର ଥାନା କ୍ଷେତ୍ର ଅଞ୍ଚଳର ମୋହଇ ଗ୍ରାମକୁ ଆସୁଥିଲେ ବରଯାତ୍ରୀ । ବସରେ ପ୍ରାୟ ୪୦ଜଣ ଯାତ୍ରୀ ରହିଥିଲେ । ରାତି ୨ ହୋଇଥିବାରୁ ଲୋକ ଗାଢ ନିଦରେ ଶୋଇଥିଲେ । ତେବେ ସେହି ସମୟରେ ସାମ୍ନାରୁ ଏକ ଭାରି ଯାନ ଆସୁଥିବା ବେଳେ ଦୁର୍ଘଟଣାରୁ ରୋକିବା ପାଇଁ ଚେଷ୍ଟା କରିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା ବରଯାତ୍ରୀ ଗାଡି । ଦୁର୍ଘଟଣା ଏତେ ଭୟଙ୍କର ରହିଥିଲା ଯେ, ଦୁର୍ଘଟଣାରେ ବସର ଛାତ ଉଡିଯାଇଥିଲା । ଭୟଙ୍କର ଦୁର୍ଘଟଣାରେ ବସ ଡ୍ରାଇଭରଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ଲୋକେ ବସ ଭିତରେ ଚିତ୍କାର କରିବାକୁ ଲାଗିଥିଲେ । ଖବରପାଇ ମାଧୌଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଓରଇ ହସ୍ପିଟାଲରେ ଭର୍ତ୍ତି କରିଥିଲା ।
ପୋଲିସ ଅଧୀକ୍ଷକ ଡକ୍ଟର ଇରାଜ ରାଜ କହିଛନ୍ତି," ବସ୍ରେ 40 ଜଣ ଲୋକ ଥିଲେ । ଦ୍ରୁତ ଗତି ଏବଂ ଭାରସାମ୍ୟ ହରାଇ ବସିବା ହେତୁ ଏହି ସଡକ ଦୁର୍ଘଟଣା ଘଟିଛି । ଏଥିରେ ପ୍ରାୟ 5 ଜଣଙ୍କର ମୃତ୍ୟୁ ଘଟିଛି ଏବଂ 12 ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ପୋଲିସ ସହାୟତାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟ ଯାତ୍ରୀମାନଙ୍କୁ ଅନ୍ୟ ଏକ ଗାଡିରେ ଗନ୍ତବ୍ୟ ସ୍ଥଳକୁ ପଠେଇ ଦିଆଯାଇଛି । ମୃତକଙ୍କୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଯାଇଛି । କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା ସେନେଇ ତଦନ୍ତ ଜାରି ରହିଛି ।"
ଅନ୍ୟପଟେ ଦୁର୍ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୁଖ୍ୟମନ୍ତ୍ରୀ କହିଛନ୍ତି," ଜାଲାଉନ ଦୁର୍ଘଟଣା ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ପ୍ରଭୁ ଧୌର୍ଯ୍ୟ ଦିଅନ୍ତୁ । ଏହାସହ ଆହତମାନଙ୍କ ଉତ୍ତମ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦିଆଯାଇଛି ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ