ନୂଆଦିଲ୍ଲୀ: ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣା ସମଗ୍ର ବିଶ୍ବବାସୀଙ୍କୁ ସ୍ତବ୍ଧ କରି ଦେଇଛି । ଆଖି ପିଛୁଳାକେ ଶହଶହ ଲୋକଙ୍କ ମୃତ୍ୟୁ ଘଟିଗଲା । ଭାରତ ଇତିହାସରେ ଏହା ଏକ ବଡ଼ ରେଳ ଦୁର୍ଘଟଣା । ଏହାକୁ ବିଭିନ୍ନ ରାଷ୍ଟ୍ର ମୁଖ୍ୟ ଏବଂ ପ୍ରଭାବଶାଳୀ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି । ରିଲାଏନ୍ସ ଫାଉଣ୍ଡେସନ ମୁଖ୍ୟ ନୀତା ଅମ୍ବାନୀ ମଧ୍ୟ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏଭଳି ଦୁର୍ଦ୍ଦିନ ସମୟରେ ରିଲାଏନ୍ସ ଫାଉଣ୍ଡେସନ ସେମାନଙ୍କ ପରିବାର ସହ ଥିବା କହିଛନ୍ତି । ଏହି ଦୁର୍ଘଟଣାରେ ମୃତାହତଙ୍କ ପରିବାରକୁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସହାୟତା ପ୍ରଦାନ ପାଇଁ ଘୋଷଣା କରାଯାଇଛି ।
ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ୧୦ ପ୍ରକାର ସହାୟତା ଘୋଷଣା କରାଯାଇଛି ।
୧- ବାହାନଗା ରେଳ ଦୁର୍ଘଟଣାରେ ରିଲିଫ କାର୍ଯ୍ୟରେ ନିୟୋଜିତ ଆମ୍ବୁଲାନ୍ସକୁ ମିଳିବ ମାଗଣା ତେଲ । ଜିଓ-ବ୍ରିଟିଶ ପେଟ୍ରୋଲିୟମ ନେଟୱାର୍କରୁ ମିଳିବ ମାଗଣା ଇନ୍ଧନ ।
୨- ରେଳ ଦୁର୍ଘଟଣାରେ ପିଡ଼ୀତ ଗ୍ରାମୀଣ ପରିବାରକୁ ମିଳିବ ବିକଳ୍ପ ଜୀବିକା । ଗାଈ, ମଇଁଷି, ଛେଳୀ, କୁକୁଡ଼ା ଚାଷ ଭଳି ବିକଳ୍ପ ଜୀବିକା ଯୋଗାଇ ଦିଆଯିବ ।
୩- ମୃତକଙ୍କ ପରିବାରକୁ ୬ ମାସ ଯାଏଁ ମାଗଣା ରାସନ ମିଳିବ । ରିଲାଏନ୍ସ ଷ୍ଟୋର୍ରୁ ଅଟା, ଚିନି, ଡାଲି, ଚାଉଳ ଲୁଣ ଓ ଖାଇବା ତେଲ ମିଳିବ ।
୪- ରେଳ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କୁ ସୁସ୍ଥ ହେବା ଲାଗି ମାଗଣାରେ ଔଷଧ ମିଳିବ । ଦୁର୍ଘଟଣାଜନିତ ହସ୍ପିଟାଲ ସୁବିଧା ମଧ୍ୟ ଯୋଗାଇ ଦିଆଯିବ ।
୫- ଦୁଃଖଦ ସମୟରେ ପରିବାରକୁ କାଉନସେଲିଂ ସେବା ମଧ୍ୟ ଯୋଗାଇବ ।
୬- ମୃତକଙ୍କ ପରିବାରର ଜଣକୁ ରିଲାଏନ୍ସ ଫାଉଣ୍ଡେସନ ଚାକିରି ଦେବ । ରିଲାଏନ୍ସ ରିଟେଲ ଓ ଜିଓ ମାଧ୍ୟମରେ ଚାକିରି ଦିଆଯିବ ।
୭-ଦୁର୍ଘଟଣାରେ ଭିନ୍ନକ୍ଷମ ହୋଇଥିଲେ ସଂସ୍ଥା ପକ୍ଷରୁ ହୁଇଲ ଚେୟାର ଓ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯିବ ।
୮- ମୃତକଙ୍କ ପରିବାର ସଦସ୍ୟଙ୍କୁ ସ୍ବତନ୍ତ୍ର କୌଶଳ ତାଲିମ ପ୍ରଦାନ କରାଯିବ । ଯାହା ଫଳରେ ନୂଆ ରୋଜଗାର ସୁଯୋଗ ପାଇଁ ଏହା ସହାୟକ ହେବ ।
୯-ଏକମାତ୍ର ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇଥିଲେ ସହାୟତା ମିଳିବ । ଏଥିସହ ମହିଳା ସଦସ୍ୟଙ୍କୁ ମାଇକ୍ରୋ ଫାଇନାନ୍ସ ଓ ତାଲିମ ସୁବିଧା ଦିଆଯିବ ।
୧୦-ମୃତକଙ୍କ ପରିବାରକୁ ମାଗଣା ମୋବାଇଲ ସଂଯୋଗ ମିଳିବ । ଜିଓ ତରଫରୁ ଗୋଟିଏ ସିମ୍ ଏବଂ ବର୍ଷକର ମାଗଣା ରିଚାର୍ଜ ଦିଆଯିବ ।
ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ ୧୦ ପ୍ରକାର ସହାୟତା ରାଶି ଘୋଷଣା କରାଯାଇଛି । ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଦୁର୍ଘଟଣା ପରେ ରିଲାଏନ୍ସ ଫାଉଣ୍ଡେସନର ବିପର୍ଯ୍ୟୟ ପରିଚାଳନାର ବିଶେଷଜ୍ଞ ଟିମ୍ ଜିଲ୍ଲା ପ୍ରଶାସନ ସହ ସମନ୍ବୟ ରକ୍ଷା କରିଛନ୍ତି । ଉଦ୍ଧାରକାର୍ଯ୍ୟ ସମୟରେ ମଧ୍ୟ ବିଶେଷଜ୍ଞ ଟିମ୍ ସେଠାରେ ଉପସ୍ଥିତ ରହି ସହାୟତା କରିଛନ୍ତି । ବଗିରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନ ସହ ରିଲାଏନ୍ସ ଫାଉଣ୍ଡେସନ ସ୍ବେଚ୍ଛାସେବୀ ଟିମ୍ ମଧ୍ୟ ସାମିଲ ଥିଲେ ।